ସୁପର ସାଇକ୍ଲୋନର ରୂପ ନେବ କି ମମିତା ଝଡ଼?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଜୱଦ ତ ନରମି ଗଲା। କିନ୍ତୁ ମମିତା ଝଡ଼ ଏବେ ସୁପର ସାଇକ୍ଲୋନର ରୂପ ନେବା ପାଇଁ ପ୍ରସ୍ତୁତ ହେଲାଣି। ମମିତା ମେହେର ହତ୍ୟା ଘଟଣାକୁ ନେଇ ସୋମବାରଠାରୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛି ବିଜେପି। ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ଏନେଇ ଖୋଲାଖୋଲି ରାଜ୍ୟ ସରକାରଙ୍କୁ ଚାଲେଞ୍ଜ ଦେଇଛନ୍ତି। ଯେପର୍ଯ୍ୟନ୍ତ  ହତ୍ୟା ଘଟଣାରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରା […]

Shashi and Bishnu

Shashi and Bishnu

Ordigital Desk
  • Published: Saturday, 04 December 2021
  • Updated: 04 December 2021, 03:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଜୱଦ ତ ନରମି ଗଲା। କିନ୍ତୁ ମମିତା ଝଡ଼ ଏବେ ସୁପର ସାଇକ୍ଲୋନର ରୂପ ନେବା ପାଇଁ ପ୍ରସ୍ତୁତ ହେଲାଣି। ମମିତା ମେହେର ହତ୍ୟା ଘଟଣାକୁ ନେଇ ସୋମବାରଠାରୁ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛି ବିଜେପି। ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ଏନେଇ ଖୋଲାଖୋଲି ରାଜ୍ୟ ସରକାରଙ୍କୁ ଚାଲେଞ୍ଜ ଦେଇଛନ୍ତି। ଯେପର୍ଯ୍ୟନ୍ତ  ହତ୍ୟା ଘଟଣାରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରା ନଯାଇଛି କିମ୍ବା ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ନହୋଇଛି ସପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ମୁଖ୍ୟ ବିରୋଧୀ ଦଳ ବିଜେପି।

ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ,“ମୁଖ୍ୟମନ୍ତ୍ରୀଙ୍କ ଶୁଖିଲା କଥାରୁ କିଛି ମିଳିବ ନାହିଁ। ମମିତା ମେହେରଙ୍କୁ ନ୍ୟାୟ ମିଳିବ ନାହିଁ। ତାଙ୍କ କଥା ଅନ୍ତଃସାରଶୂନ୍ୟ। ଆମ ଦାବି ସଂପର୍କରେ ପଦୁଟିଏ ବି କହି ନାହାଁନ୍ତି ମୁଖ୍ୟମନ୍ତ୍ରୀ। ଆମକୁ ପ୍ରବଚନ ଶୁଣାଇଲା ଭଳି ମୁଖ୍ୟମନ୍ତ୍ରୀ ପାରମ୍ପାରିକ ଶୈଳୀରେ ବିବୃତ୍ତି ରଖିଛନ୍ତି। କଳାହାଣ୍ଡି ଗଲେ ମୁଖ୍ୟମନ୍ତ୍ରୀଙ୍କୁ କରୋନା ହେଉନି। କିନ୍ତୁ ବିଧାନସଭା ଆସିଲେ ହୋଇଯାଉଛି। ସେ ଗୃହର ନେତା, ଗୃହ ବିଭାଗର ମୁଖିଆ ହୋଇ ବି କିଛି ବିବୃତ୍ତି ଦେଉ ନାହାଁନ୍ତି। ଖାଲି ନବୀନ ନିବାସରେ ବସି ଗୋଟିଏ କ୍ୟାସେଟ୍ ବଜାଇ ଦେଉଛନ୍ତି।“

ମୁଖ୍ୟମନ୍ତ୍ରୀ ଗତକାଲି ମମିତା ମେହେର ହତ୍ୟାକାଣ୍ଡରେ ରାଜନୀତି ନ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ହତ୍ୟାକାଣ୍ଡରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଯଦି କିଛି ପ୍ରମାଣ ଅଛି, ତାହାଲେ କୋର୍ଟରେ ଦେବା ପାଇଁ ମଧ୍ୟ ବିରୋଧୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଯାହାର ଜବାବରେ ବିଷ୍ଣୁ ସେଠୀ କହିଛନ୍ତି, “ସେ ତ କେବଳ ରାଜନୀତି କରିବେ, ଆମେ କାହିଁ କରିବୁ? ସେ ବାବାଜୀ ଦଳ, ସନ୍ନ୍ୟାସୀ ହୋଇ ବୁଲୁଛନ୍ତି!” ପ୍ରମାଣ ଦେବା ନେଇ ବିଷ୍ଣୁ କହିଛନ୍ତି, “ପ୍ରମାଣ ପୁଲିସ ଦ୍ୱାରା ନଷ୍ଟ କରାଗଲା ପରେ, ଆମେ ସିବିଆଇ ନା ରଅ(RAW)? ଆମେ କେଉଁବାଟେ ପ୍ରମାଣ ଦେବୁ?”

ପୂର୍ବରୁ ବିଜେପି-ବିଜେଡି ଭାଗୁଆଳ ସରକାର ବେଳେ ସତ୍ୟପାଠରେ ତ୍ରୁଟୀ ଥିବା ଅଭିଯୋଗରେ ବିରୋଧୀ ଦଳ ନେତା ତଥା ତତ୍କାକାଳୀନ ମନ୍ତ୍ରୀ ପ୍ରଦୀପ ନାୟକଙ୍କୁ କାଢ଼ି ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏପରିକି ଦୁର୍ନୀତି ଅଭିଯୋଗରେ ପ୍ରଶାନ୍ତ ନନ୍ଦଙ୍କୁ ମଧ୍ୟ ହଟାଇଥିଲେ। ଏବେ କିନ୍ତୁ ବିରୋଧୀଙ୍କ ଏତେ ହୋହଲ୍ଲା ପରେ ବି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ପାଖରେ ବସାଉଛନ୍ତି। କେବଳ ବିପଦ ବେଳେ ଏପରି କୁଳାଙ୍ଗାର ବୁଦ୍ଧି ଆସିଥାଏ ବୋଲି କହିଛନ୍ତି ବିଷ୍ଣୁ ସେଠୀ। ଯାହାକୁ ବିରୋଧ କରି ସୋମବାର ଏହି ଆନ୍ଦୋଳନ ସୁପର ସାଇକ୍ଲୋନରର ରୂପ ନେବ ବୋଲି ଚେତାଇ ଦେଇଛନ୍ତି ବିଷ୍ଣୁ।

ସେପଟେ ଉଭୟ ବିଜେପି ଓ କଂଗ୍ରେସଙ୍କ ଏପରି ଲଗାତାର ବିରୋଧକୁ କଡ଼ା ସମାଲୋଚନା କରିଛି ବିଜେଡି। ଚାରି ଦିନ ହେଲା ବିଧାନସଭା ସ୍ୱାଭାବିକ ହୋଇପାରୁ ନାହିଁ। ଯାହାକୁ ନେଇ ଦଳର ବରିଷ୍ଠ ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, “ବିରୋଧୀଙ୍କର ଏଭଳି ପ୍ରତିବାଦ ସାରା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଆଶା ରଖା ଯାଉଥିଲା ବିରୋଧୀ ଦଳ ନ୍ୟାୟିକ ବ୍ୟବସ୍ଥା ଉପରେ ଭରଷା ରଖିବେ। କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ଗୃହକୁ ଅଚଳ ରଖାଯାଉ ଥିବାରୁ ଜଣା ପଡୁଛି ରାଜ୍ୟର ଅନ୍ୟ କୌଣସି ଘଟଣା ସେମାନଙ୍କ ପାଖରେ ଗୁରୁତ୍ୱ ବହନ କରୁ ନାହିଁ। ବିଧାନସଭା ଗୃହରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ହୋ ହଲ୍ଲା କରାନଯିବାର ନିଷ୍ପତ୍ତି ଶୁଣାଇଥିଲେ। ଏହା ପରେ ମଧ୍ୟ ଏଭଳି ନାଟକୀୟ ଢଙ୍ଗରେ ଯାହା ସବୁ କରାଯାଉଛି ବିଧାନସଭା ଉପହସିତ ହେଲା ଭଳି ଲାଗୁଛି।“

କଳାହାଣ୍ଡି ସନସାଇନ ସ୍କୁଲର ଶି‍କ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ସ୍କୁଲର ଉପଦେଷ୍ଠା ଗୋବିନ୍ଦ ସାହୁଙ୍କୁ ଗିରଫ କରିଛି ପୁଲିସ। କିନ୍ତୁ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ଥିବା ଅଭିଯୋଗରେ ଏବେ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଲଗାତାର ଆକ୍ରମଣ କରି ଚାଲିଛନ୍ତି। ଉଭୟ ଗୃହ ବାହାରେ ଓ ଗୃହ ଭିତରେ ଚାଲିଛି ମାରାଥନ ପ୍ରତିବାଦ। କେବେ ଅଣ୍ଡାମାଡ଼ ତ କେବେ କଳା ପତକା ପ୍ରଦର୍ଶନ। ଏଥିରୁ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ ପଡ଼ି ନାହାଁନ୍ତି। ଉଭୟ ଦିବ୍ୟ ଶଙ୍କର ଓ ମୁଖ୍ୟମନ୍ତ୍ରୀ ଏ ନେଇ ମୁହଁ ଖୋଲିସାରିଲଣି। କିନ୍ତୁ ମନ୍ତ୍ରୀଙ୍କ ବହିଷ୍କାର ଦାବୀ ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀରେ ନିଦ ଜିଦ୍ଦିରେ ଅଟଳ ବିରୋଧୀ। ମାମଲାକୁ ଏହା ମଧ୍ୟରେ ୨ ମାସ ହେବାକୁ ବସିଲାଣି। ହେଲେ ଥମୁନି ମମିତା ଝଡ଼, ବରଂ ଏହାକୁ ରାଜନୀତିକ ସୁପର ସାଇକ୍ଲୋନରେ ପରିଣତ କରିବାର ଦୃଢ଼ୋକ୍ତି ପ୍ରକାଶ ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos