‘କୋଭିଡ୍ ଚିକିତ୍ସା ପାଇଁ ଦିଆଯାଉଛି ନିମ୍ନମାନର ଔଷଧ ଓ ପିପିଇ କିଟ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌-୧୯ ଚିକିତ୍ସା ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ରାଜ୍ୟ ସରକାର ନିମ୍ନମାନର ଔଷଧ ଓ ପିପିଇ କିଟ୍ ଯୋଗାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ କୋଭିଡ-୧୯ ଚିକିତ୍ସା ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସମୟରେ ଆବଶ୍ୟକ ଔଷଧ ଓ ପିପିଇ କିଟ୍ କାହିଁକି ସ୍ୱଳ୍ପ ପରିମାଣରେ ଯୋଗାଇ ଦିଆଯାଉଛି ଓ ଏହି ଚିକିତ୍ସା ଉପକରଣ ପ୍ରଦାନରେ ବିଡିଓମାନଙ୍କୁ କାହିଁକି ସାମିଲ କରାଯାଇଛି ତାହା ଉପରେ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି ରାଜ୍ୟ ଉପସଭାପତି ଭୃଗୁ […]

baxipatra

Manoranjan Sial
  • Published: Monday, 03 August 2020
  • , Updated: 03 August 2020, 09:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌-୧୯ ଚିକିତ୍ସା ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ରାଜ୍ୟ ସରକାର ନିମ୍ନମାନର ଔଷଧ ଓ ପିପିଇ କିଟ୍ ଯୋଗାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ କୋଭିଡ-୧୯ ଚିକିତ୍ସା ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସମୟରେ ଆବଶ୍ୟକ ଔଷଧ ଓ ପିପିଇ କିଟ୍ କାହିଁକି ସ୍ୱଳ୍ପ ପରିମାଣରେ ଯୋଗାଇ ଦିଆଯାଉଛି ଓ ଏହି ଚିକିତ୍ସା ଉପକରଣ ପ୍ରଦାନରେ ବିଡିଓମାନଙ୍କୁ କାହିଁକି ସାମିଲ କରାଯାଇଛି ତାହା ଉପରେ ବିଜେପି ପ୍ରଶ୍ନ ଉଠାଇଛି।

ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଗଜ କିଛଦିନ ହେଲା ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅକ୍ସିଜେନ୍ ଅଭାବ କାରଣରୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସୋଶାଲ୍‌ ମିଡିଆରେ ପ୍ରଚାର ହେଉଛି। ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦ହଜାର ଟଙ୍କା ଓ ଏହା ୨-୩ଦିନ ଚାଲିବା କଥା। କିନ୍ତୁ ଏହା ମାତ୍ର ୨-୩ ଘଣ୍ଟାରେ ଶେଷ ହୋଇଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟଜନକ କଥା। ଆବଶ୍ୟକ ସମୟରେ ଅକ୍ସିଜେନ୍ ସିଲିଣ୍ଡର ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ହେଉଛି ବୋଲି ସେମାନଙ୍କର ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି। ରାତିରେ ଅକ୍ସିଜେନ୍ ସରିଗଲେ  ବା ଅଭାବ ହେଲେ ତା’ପରଦିନ ସକାଳ ୧୦-୧୧ଟା ପର୍ଯ୍ୟନ୍ତ ଅକ୍ସିଜେନ୍ ଯୋଗାଇ ଦିଆଯାଇ ପାରୁନାହିଁ। ପରିଚାଳନାଗତ ତ୍ରୁଟି ଯୋଗୁ ଡାକ୍ତରଖାନାରେ ଡାକ୍ତରୀ ସେବାର ଅଭାବ ପରିଲକ୍ଷିତ ହେଉଛି। ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ମାତ୍ର ୩୦୦ଟି ବେଡ୍ ରହିଥିବାବେଳେ ଅକ୍ସିଜେନ୍ ଅଭାବ ପରିଲକ୍ଷିତ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି। ଏନେଇ ଅକ୍ସିଜେନ୍ ସିଲିଣ୍ଡିର ଯୋଗାଉଥିବା ସଂସ୍ଥା କିମ୍ବା ଭେଣ୍ଡରକୁ ରାଜ୍ୟ ସରକାର ଓ ପ୍ରଶାସନ କାହିଁକି ପ୍ରଶ୍ନ କରୁନାହାନ୍ତି ବୋଲି ସେ କହିଛନ୍ତି।

ସେହିପରି କୋଭିଡ୍ ଚିକିତ୍ସା ପାଇଁ ଯୋଗାଇ ଦିଆଯାଉଥିବା ପାରାସିଟାମଲ ଓ ଆଜିଥ୍ରୋମାଇସିନ୍ ଟାବଲେଟ୍ , ପିପିଇ କିଟ୍ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁ ରୋଗୀଟି ପ୍ରକୃତ ଚିକିତ୍ସା ପାଇବାରୁ ବଂଚିତ ହେଉଛି, ଆଉ ଆକ୍ରାନ୍ତଙ୍କ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଭଳି ସମୟରେ ଅକ୍ସିଜେନ୍ ବି ମିଳୁନାହିଁ। ଏପରିକି ଡାକ୍ତରଙ୍କ ଆବଶ୍ୟକ ମୁତାବକ ଔଷଧ, ଟେଷ୍ଟିଂ ସାମଗ୍ରୀ, ପିପିଇ କିଟ୍ ଆଦି ବିଡିଓ ଯୋଗାଉ ନାହାନ୍ତି। ଚିକିତ୍ସା ଉପକରଣ ବଣ୍ଟନ ଦାୟିତ୍ୱ କାହିଁକି ବିଡିଓମାନଙ୍କୁ ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଂକ୍ରମିତ ରୋଗୀ ଥରେ ଆଇସୋଲେସନ୍ କେନ୍ଦ୍ରକୁ ଗଲା ପରେ ତାଙ୍କର ସ୍ଥିତି ସମ୍ପର୍କରେ ତାଙ୍କ ପରିବାର ସଦସ୍ୟ କିଛି ଜାଣିପାରୁନାହାନ୍ତି। ପରିବାର ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ କିଛି କୁହାଯାଉନାହିଁ। ତେଣୁ ସମସ୍ତ କୋଭିଡ୍ ସେଣ୍ଟର ଓ ଡାକ୍ତରଖାନାରେ ସିସିଟିଭି ଲଗାଇବା ସହ ଏଭଳି କିଛି ଅଭିଯୋଗ ଆସିଲେ ତା’ର ସତ୍ୟସତ୍ୟକୁ ପ୍ରଶାସନ ଓ ରାଜ୍ୟ ସରକାର ପ୍ରମାଣିତ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏହାନକଲେ ସରକାରଙ୍କ ବ୍ୟବସ୍ଥା ଉପରେ ସାଧାରଣରେ ଅଧିକ ସନ୍ଦେହ ଘନୀଭୂତ ହେବ ବୋଲି ଶ୍ରୀ ବକ୍ସିପାତ୍ର ସତର୍କ କରାଇ ଦେଇଛନ୍ତି।

Related story