ମିନାକ୍ଷୀଙ୍କ ବିଦ୍ରୋହ, ଉତ୍ତର ରଖିଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ କଂଗ୍ରେସର ସ୍ୱାସ୍ଥ୍ୟ ଭଲ ନାହିଁ। ଦିନକୁ ଦିନ କନ୍ଦଳ ବଢ଼ିବାରେ ଲାଗିଛି। ବିବାଦ ସମାଧାନ ହେଉନଥିବାରୁ ସ୍ୱରକୁ ଶାଣିତ କରୁଛନ୍ତି ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି। ଆଜି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିବାଦ ଭିତରକୁ ଟାଣିଛନ୍ତି। ନିରଞ୍ଜନ କୋରାପୁଟ କଂଗ୍ରେସକୁ ଦି’ ଭାଗ କରିଛନ୍ତି ବୋଲି ମିନାକ୍ଷୀ ଅଭିଯୋଗ କରିଛନ୍ତି। ମିନାକ୍ଷୀ ଅଭିଯୋଗର ଜବାବ ରଖିଛନ୍ତି ନିରଞ୍ଜନ। ଦାୟିତ୍ୱରେ ରହିଲେ ଦାୟୀ ରହିବେ ବୋଲି ସେ କହିଛନ୍ତି। ମିନାକ୍ଷୀ ଗଣମାଧ୍ୟମକୁ […]

congress

Manoranjan Sial
  • Published: Monday, 23 August 2021
  • , Updated: 23 August 2021, 06:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ କଂଗ୍ରେସର ସ୍ୱାସ୍ଥ୍ୟ ଭଲ ନାହିଁ। ଦିନକୁ ଦିନ କନ୍ଦଳ ବଢ଼ିବାରେ ଲାଗିଛି। ବିବାଦ ସମାଧାନ ହେଉନଥିବାରୁ ସ୍ୱରକୁ ଶାଣିତ କରୁଛନ୍ତି ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି। ଆଜି ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିବାଦ ଭିତରକୁ ଟାଣିଛନ୍ତି। ନିରଞ୍ଜନ କୋରାପୁଟ କଂଗ୍ରେସକୁ ଦି’ ଭାଗ କରିଛନ୍ତି ବୋଲି ମିନାକ୍ଷୀ ଅଭିଯୋଗ କରିଛନ୍ତି। ମିନାକ୍ଷୀ ଅଭିଯୋଗର ଜବାବ ରଖିଛନ୍ତି ନିରଞ୍ଜନ। ଦାୟିତ୍ୱରେ ରହିଲେ ଦାୟୀ ରହିବେ ବୋଲି ସେ କହିଛନ୍ତି।

ମିନାକ୍ଷୀ ଗଣମାଧ୍ୟମକୁ କହିଛନ୍ତି, “କୋରାପୁଟ ଜିଲ୍ଲାରେ ଆଜି ଯେଉଁ ବିବାଦ ଚାଲିଛି, ତାହା ପିସିସି ଭଲ ଭାବେ ଜାଣିଛି। ଯେ ପର୍ଯ୍ୟନ୍ତ ଏ ବିବାଦ ସମାଧାନ ହୋଇନାହିଁ, ସେ ପର୍ଯ୍ୟନ୍ତ ମୁଁ ପିସିସି ଅଫିସ୍‌ ଯିବାର ଆବଶ୍ୟକତା ନାହିଁ। ବିବାଦ ସମାଧାନ ପାଇଁ ପିସିସି ଯଦି ଡାକେ, ତାହାହେଲେ ମୁଁ ନିଶ୍ଚିତ ଭାବେ ଯିବି।”

ସେ ଆହୁରି କହିଛନ୍ତି, “ନିରଞ୍ଜନ ବାବୁ ଆସିଥିବା ବେଳେ ମୁଁ କୋରାପୁଟ ଜିଲ୍ଲା ସଭାପତି ଥିଲି। ଏବେ ମୁଁ ମଧ୍ୟ କୋରାପୁଟ ଜିଲ୍ଲା ସଭାପତି ଅଛି। କିନ୍ତୁ ପିସିସି କଣ ପାଇଁ ମୋତେ ଅଣଦେଖା କରୁଛନ୍ତି, ତାହା ମୁଁ ବୁଝିପାରୁନାହିଁ। ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ଯିବି। ମୋ ସହିତ ଜିଲ୍ଲା କମିଟି, ବ୍ଲକ କମିଟି ଓ ମୋ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଦିଲ୍ଲୀ ଯାଇ ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧିଙ୍କୁ ଭେଟିବୁ।”

କୋରାପୁଟ ଜିଲ୍ଲାରେ ଦେଖାଦେଇଥିବା କନ୍ଦଳର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡ଼ିବ କି? ଗଣମାଧ୍ୟମ ପ୍ରତିନିଧିଙ୍କ ଏପରି ପ୍ରଶ୍ନରେ ଶ୍ରୀମତି ବାହିନୀପତି କହିଛନ୍ତି, “କନ୍ଦଳ ସମାଧାନ ନହେଲେ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡ଼ିବ। ଦିନେ ଯେଉଁ କୋରାପୁଟ ଥିଲା କଂଗ୍ରେସର ଦୁର୍ଗ, ସେଠାରୁ କଂଗ୍ରେସ ପୋଛି ହୋଇଯିବ।”

ସେ ଆହୁରି କହିଛନ୍ତି, “କୈଳାସବାବୁ ଦଳରୁ ଇସ୍ତଫା ଦେଲେ। ଏ ସମ୍ପର୍କରେ ପିସିସି ଜାଣିଲେ। କୈଳାସଙ୍କ ଇସ୍ତଫା ସମ୍ପର୍କରେ କଣ ନିଷ୍ପତ୍ତି ନିଆଗଲା, ସେ ସମ୍ପର୍କରେ ମୋତେ ଜଣାଗଲା ନାହିଁ। ସେପଟେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର କର୍ମୀମାନେ ମୋତେ ବାରମ୍ୱାର ଫୋନ୍‌ କରି ସେ ସମ୍ପର୍କରେ ପଚାରୁଥିଲେ। କିନ୍ତୁ ପିସିସି ସଭାପତି ନିଷ୍ପତ୍ତି ସମ୍ପର୍କରେ ଜାଣାଇନଥିବାରୁ ମୁଁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇପାରୁନଥିଲି। ପରେ ମୋତେ ଫୋନ୍‌ କରିବାକୁ ପଡ଼ିଲା। କିନ୍ତୁ କୌଣସି ଉତ୍ତର ମିଳିନଥିଲା। ସେପଟେ ସାଂସଦ ତାଙ୍କୁ(କୈଳାସ) ନେଇ ମଞ୍ଚରେ ବସାଇଲେ। ସଭାରେ ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିବା ଦେଖିବାକୁ ପାଇଲି। ହେଲେ ବର୍ତ୍ତମାନର ବିଧାୟକଙ୍କୁ ଦେଖିବାକୁ ପାଇଲି ନାହିଁ।”

ମିନାକ୍ଷୀଙ୍କ ଆରୋପର ଜବାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ‘ସଭାପତି ପଦରେ ରହିଲେ କେହି ନା କେହି ଦାୟୀ କରିବେ। ତେବେ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ ନାହିଁ’ ବୋଲି ନିରଞ୍ଜନ କହିଛନ୍ତି।

 

Related story