‘ଓବିସି’ ରାଜନୀତି: ବିଜେଡିକୁ କଂଗ୍ରେସର ସମର୍ଥନ, ବିଧାନସଭାରେ ବି ଆସିବ ସଂକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପଛୁଆ ବର୍ଗଙ୍କ ଗଣନାକୁ ବିଜେଡି ମୁଖ୍ୟ ପ୍ରସଙ୍ଗ କରିବା ସହ ବିଧାନସଭାର ମୌସୁମୀ ଅଧିବେଶନରେ ଏନେଇ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ବିଜେଡିର ‘ଓବିସି କାର୍ଡ’କୁ କଂଗ୍ରେସର ସମର୍ଥନ ମିଳିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରୁଥିଲେ ମଧ୍ୟ ଓବିସି ଗଣନା ଓ ସଂରକ୍ଷଣର ସୀମାକୁ ୫୦ପ୍ରତିଶତ ମଧ୍ୟରେ ସୀମିତ ନରଖିବା ପ୍ରସଙ୍ଗରେ ବିଧାନସଭାରେ ପ୍ରସ୍ତାବିତ ସଂକଳ୍ପ […]

bjd

bjd

Ordigital Desk
  • Published: Tuesday, 24 August 2021
  • Updated: 24 August 2021, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପଛୁଆ ବର୍ଗଙ୍କ ଗଣନାକୁ ବିଜେଡି ମୁଖ୍ୟ ପ୍ରସଙ୍ଗ କରିବା ସହ ବିଧାନସଭାର ମୌସୁମୀ ଅଧିବେଶନରେ ଏନେଇ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ବିଜେଡିର ‘ଓବିସି କାର୍ଡ’କୁ କଂଗ୍ରେସର ସମର୍ଥନ ମିଳିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରୁଥିଲେ ମଧ୍ୟ ଓବିସି ଗଣନା ଓ ସଂରକ୍ଷଣର ସୀମାକୁ ୫୦ପ୍ରତିଶତ ମଧ୍ୟରେ ସୀମିତ ନରଖିବା ପ୍ରସଙ୍ଗରେ ବିଧାନସଭାରେ ପ୍ରସ୍ତାବିତ ସଂକଳ୍ପ ପ୍ରସ୍ତାବକୁ ବିରୋଧ କରିବାର ସମ୍ଭାବନା କ୍ଷୀଣ । ପଂଚାୟତ ଓ ପୌର ନିର୍ବାଚନ ପର୍ଯ୍ୟନ୍ତ ବିଜେଡି ନିଜର ଏହି ‘ଓବିସି ଗଣନା’ କାର୍ଡକୁ ଜୋରସୋର ଢଙ୍ଗରେ ଉଠାଇ ରାଜ୍ୟର ୫୪ ପ୍ରତିଶତ ଓବିସି ଲୋକଙ୍କ ଆସ୍ଥାଭାଜନ ହେବାକୁ ଲକ୍ଷ୍ୟ ରଖିଛି ।

ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓବିସି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେଡି ଆଜି ନିଜର ଆଭିମୁଖ୍ୟକୁ ଅଧିକ ଶାଣିତ କରିଛି । ଓବିସି ଗଣନା ଦାବିକୁ କେନ୍ଦ୍ର ସରକାର ପୂରଣ ନକରିବା ପର୍ଯ୍ୟନ୍ତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ବିଜେଡି ଧମକ ଦେଇଛି । ବିଜେଡିର ଦୁଇ ନେତା ତଥା କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ଓବିସି ଜନଗଣନାରେ ସଂଘୀୟ ଢାଂଚା ପ୍ରତିବନ୍ଧକ ସାଜିଛି । ପଛୁଆ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ । ସଂରକ୍ଷଣ ବୃଦ୍ଧି ଓ ଜାତିଭିତ୍ତିକ ଜନଗଣନା ହେଉଛି ଗୋଟଇଏ ମୁଦ୍ରାର ଦୁଇଟି ପାଶ୍ୱର୍। ଜାତିଭିତ୍ତିକ ଜନଗଣନା ହେଲେ ହିଁ ରାଜ୍ୟରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ। ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଅଧାରୁ ଅଧିକ । ସେମାନଙ୍କୁ ସେହି ସଂଖ୍ୟା ଅନୁପାତରେ ଅଧା ସଂରକ୍ଷଣ ବି ମିଳିପାରୁନି। ଦୀର୍ଘମିଆଦୀ ସୂତ୍ରରେ କାର୍ଯ୍ୟ କରିବାକୁ ବିଜେଡି ଦାବି କରୁଛି। ତେଣୁ ସେମାନଙ୍କର ପ୍ରକୃତ ସଂଖ୍ୟା ଜାଣିଲେ , ବିକାଶ କରାଯାଇପାରିବ ବୋଲି ବିଜେଡି ଭାବୁଛି। ଏବେ ଜାତିଭିତ୍ତିକ ଜନଗଣନା ହେଉଛି ସମୟର ଆବଶ୍ୟକତା ଓ ଆହ୍ୱାନ। ଏନଡିଏର ଅନେକ ସହଯୋଗୀ ଦଳ ବି ସମାନ ଦାବି ଉଠାଇଛନ୍ତି । ତେଣୁ ଜାତିଭିତ୍ତିକ ଜନଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବାକୁ ବିଜେଡି ଦାବି କରୁଛି । ଏହି ଦୁଇଟି ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ ହୋଇଥିବାରୁ ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିଜେଡି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଉଭୟ ନେତା ଚେତାବନୀ ଦେଇଛନ୍ତି।

ବିଜେଡିର ଏହି ଦାବିକୁ ଆଜି କଂଗ୍ରେସ ମଧ୍ୟ ସମର୍ଥନ କରିଛି। କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା ପାଇଁ ତାଙ୍କ ଦଳ ଜାତୀୟ ଓ ରାଜ୍ୟସ୍ତରରେ ଦାବି କରିଆସୁଛି । ୨୦୧୧ରେ ଏସଇବିସି ଗଣନା ହେଲା, କିନ୍ତୁ ରିପୋର୍ଟ ଆସିଲା ନାହିଁ । ୨୦୧୬ରେ ଏଥିରେ କେନ୍ଦ୍ରର ବିଜେପି ସରକାର ତ୍ରୁଟି ଦେଖାଇଲେ । ଜାତିଭିତ୍ତିକ ଗଣନାରୁ କେଉଁ ବର୍ଗର କେତେ ଲୋକ ଅଛନ୍ତି ତାହା ସ୍ପଷ୍ଟ ହୋଇପାରିବ ତଥା ସେମାନଙ୍କ ପାଇଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ବି କରିହେବ। ୫୦ ପ୍ରତିଶତ ସଂରକ୍ଷଣ ସୀମା ବ୍ୟବସ୍ଥା ଉଠିବା ଦରକାର । ସୁପ୍ରିମକୋର୍ଟ ମଧ୍ୟ ଏନେଇ ସବୁ ରାଜ୍ୟର ମତାମତ ମାଗିଛନ୍ତି। ଜାତିଭିତ୍ତିକ ଗଣନା ହେଉନଥିବାରୁ ଲୋକେ ଅନ୍ଧାରରେ ରହିଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା ଦାବି କରି ବିଜେଡି ରାଜନୀତି କରୁଛି। ଓବିସିମାନଙ୍କୁ ସେମାନଙ୍କ ହକ୍ ନଦେଇ ରାଜ୍ୟ ସରକାର ଭୁଆଁ ବୁଲାଉଛନ୍ତି। କେନ୍ଦ୍ର ସରକାର ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ କହୁଛନ୍ତି, କିନ୍ତୁ ରାଜ୍ୟ ମାତ୍ର ୧୧.୨୫ ପ୍ରତିଶତ ଦେଉଛି। ଏସଇବିସି ବର୍ଗରୁ କେତେକ ଜାତି ଓ ଉପଜାତିଙ୍କୁ ଜାଣିଶୁଣି ବଂଚିତ କରାଯାଉଛି । ସେହିପରି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ବିଜେଡି ବାସ୍ତବରେ ଓବିସିଙ୍କ ବିକାଶ ଚାହୁଁନି। ବିଜେଡି ମିଛୁଆ ରାଧୁଆ ସରକାର ଓ ଘୋଷଣା ସର୍ବସ୍ୱ ହୋଇଛି । ଯେତିକି ସଂରକ୍ଷଣ ଅଛି ସେତିକି ଶିକ୍ଷା ଓ ଚାକିରିରେ ଓବିସି ବର୍ଗଙ୍କୁ ଦେଉନାହାନ୍ତି । ଶାସକ ଦଳ ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜାତିଭିତ୍ତିକ ପଛୁଆବର୍ଗଙ୍କ ଗଣନା ପାଇଁ କେନ୍ଦ୍ର ସରକାର ମନା କରିଦେବା ପରେ ୨୦୨୦ ଜାନୁୟାରୀ ୧୧ତାରିଖରେ ରାଜ୍ୟ କ୍ୟାବିନେଟ ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଏକ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ଜନଗଣନାରେ ଓବିସିଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରାଯାଇପାରିବ ନାହିଁ ବୋଲି ରୋକଠୋକ୍ ଜଣାଇବା ପରେ ଓଡ଼ିଶା ସରକାର ୨୦୨୦ ଫେବୃୟାରୀ ୧୨ରେ ଓବିସି କମିଶନ ଗଠନ କରିଥିଲେ । ଏହାର ୫ଦିନ ପରେ ଫେବୃୟାରୀ ୧୭ରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ପାରିତ କରି ଓବିସି ଆଇନ-୧୯୯୩ରେ ସଂଶୋଧନ କରି ଓବିସିଙ୍କ ଗଣନା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଥିଲେ ।
ଏବେ ଅନ୍ୟ ରାଜନୀତିକ ଦଳଗୁଡ଼ିକ ଦ୍ୱାରା ଓବିସି ଗଣନା ପାଇଁ ଜାତୀୟସ୍ତରରେ ଚାପ ସୃଷ୍ଟି ହେଉଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରର ସର୍ବଦଳୀୟ ଟିମ୍ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ବିଜେଡି ମଧ୍ୟ ଅନୁରୂପ ଭାବେ ନିଜର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁରୂପ ସର୍ବଦଳୀୟ ଟିମ୍ ନେଇ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ରଣନୀତି ପ୍ରସ୍ତୁତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos