ସୁରଟ୍‌ରେ ଓଡ଼ିଆ ଭୋଟର: ବିଜେଡି ଭୁଲିଗଲା, ବିଜେପି ପଠାଇଲା ଟିମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗୁଜୁରାଟର ସୁରଟରେ ରହୁଥିବା ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁରଟରେ ରହୁଥିବା ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ବିଜେଡି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ଏବେ ସେସବୁ ଭୁଲି ଯାଇଥିବାରୁ ତା’ର ରାଜନୀତିକ ଫାଇଦା ନେବା ପାଇଁ ବିଜେପି ନିଜର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୁରଟ ପଠାଇଛି। ଆଜି ଏହି […]

Aparajita Sarangi

Ordigital Desk
  • Published: Friday, 17 September 2021
  • , Updated: 17 September 2021, 10:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗୁଜୁରାଟର ସୁରଟରେ ରହୁଥିବା ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁରଟରେ ରହୁଥିବା ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ବିଜେଡି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ଏବେ ସେସବୁ ଭୁଲି ଯାଇଥିବାରୁ ତା’ର ରାଜନୀତିକ ଫାଇଦା ନେବା ପାଇଁ ବିଜେପି ନିଜର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୁରଟ ପଠାଇଛି। ଆଜି ଏହି ଟିମ୍ ସୁରଟ ଗସ୍ତ କରିଥିବାବେଳେ ସେଠାରେ ୩ଦିନ ରହି ସୁରଟରେ ଦଳୀୟ ସାଂଗଠନିକ ସ୍ଥିତି ଓ ବ୍ୟବସ୍ଥା, ସାଂଗଠନିକ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶେଷ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।

ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିନିଧି ଦଳର ସୁରଟ ଗସ୍ତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଦଳୀୟ ତଥା ରାଜନୀତିକ ସାଂଗଠନିକ ସଂରଚନା ଓ କାର୍ଯ୍ୟଶୈଳୀରେ ବିଶେଷ ଅନୁଧ୍ୟାନ ନିମନ୍ତେ ରାଜ୍ୟସ୍ତରୀୟ ୯ଜଣିଆ ଟିମ୍ ସୁରଟ ଗସ୍ତ କରିଛନ୍ତି। ଏହି ଟିମରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ବିଧାୟକ ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗ, ଅଭିମନ୍ୟୁ ସେଠୀ, ଶାରଦା ଶତପଥୀ, ଅଶୋକ ମିଶ୍ର ଓ ବିଜେପି ଆଇଟି ସେଲ୍ ମୁଖ୍ୟ ସ୍ୱୟଂପ୍ରକାଶ ବରାଳ ସୁରଟ ଗସ୍ତ କରିଛନ୍ତି। ଏହି ଟିମ୍ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ସୁରଟଠାରେ ଦଳୀୟ ସାଂଗଠନିକ ସ୍ଥିତି ଓ ବ୍ୟବସ୍ଥା, ସାଂଗଠନିକ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗ ଦେଇ ବିଶେଷ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଦିନରେ ରାଜ୍ୟରେ ଉଭୟ ପୌର ଓ ପଂଚାୟତ ନିର୍ବାଚନ ହେବାକୁ ଥିବାରୁ ସୁରଟରେ ରହୁଥିବା ଓଡ଼ିଆ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ରାଜ୍ୟ ବିଜେପି ଏବେଠୁ ପ୍ରୟାସ ଆରମ୍ଭ କରିଛି। ସୁରଟରେ ପ୍ରାୟ ୭ଲକ୍ଷ ଓଡ଼ିଆ ରହୁଥିବାବେଳେ ସେଠାରେ ୧ଲକ୍ଷରୁ ଅଧିକ ଓଡ଼ିଆ ନିଜର ମତାଧିକାର ସୁରଟରେ ସାବ୍ୟସ୍ତ କରିଥାନ୍ତି। ବାକି ୬ଲକ୍ଷ ଲୋକ ଓଡ଼ିଶାରେ ନିଜର ମତାଧିକାର ସାବ୍ୟସ୍ତ କରିଥାନ୍ତି। ଏହି ଲୋକମାନେ ସୁରଟର ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି, ଜୁଏଲାରୀ ଆଦି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ବିଶେଷକରି ଉଧାନା, ଲିମ୍ବାୟତ୍‌, ପାଣ୍ଡସେରା, ସଚିନ, କାଟାରଗାମ୍ ଆଦି ଅଂଚଳରେ ଗଞ୍ଜାମ ଅଂଚଳରୁ ଯାଇଥିବା ଓଡ଼ିଆ ଲୋକମାନେ ବହୁ ପରିମାଣରେ ରହୁଛନ୍ତି। ଏହି ଓଡ଼ିଆ ଭୋଟରମାନେ ମୁଖ୍ୟତଃ ସୁରଟ ଓ ନଭସାରୀ ନିର୍ବାଚନମଣ୍ଡଳୀରେ ରହୁଥିବାବେଳେ ଗତ ଫେବୃୟାରୀରେ ଶେଷ ହୋଇଥିବା ସୁରଟ ମହାନଗର ନିର୍ବାଚନରେ ବିଜେପି ନିଜର ଦବଦବା କାଏମ ରଖିଛି।

ଆସନ୍ତାବର୍ଷ ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବାବେଳେ ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ଓଡ଼ିଶାରେ ପଂଚାୟତ ଓ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ତେଣୁ ବିଜେପିର ପ୍ରତିନିଧି ଦଳ ଏବେଠୁ ସୁରଟ ଗସ୍ତ କରି ସେଠାରେ ରହୁଥିବା ଓଡ଼ିଆଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ଗଞ୍ଜାମ ଜିଲ୍ଲା ବିଜେଡିର ଗଡ଼ ପାଲଟିଥିବାବେଳେ ସୁରଟରେ ରହୁଥିବା ଜିଲ୍ଲାର ପ୍ରାୟ ୬ଲକ୍ଷ ଭୋଟରଙ୍କ ମାଧ୍ୟମରେ ବିଜେପି ନିଜର ସ୍ଥିତି ସୁଦୃଢ଼ କରିବାକୁ ଯୋଜନା କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସେଠାରେ ଏକାଧିକ କାର୍ଯ୍ୟକ୍ରମ ଓ ପ୍ରତିଶ୍ରୁତି ଦେଇ ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିଥିଲା । ମାତ୍ର ନିର୍ବାଚନ ପରେ ସେମାନଙ୍କୁ ଭୁଲି ଯାଇଥିବାରୁ ରାଜ୍ୟ ବିଜେପି ତା’ର ଫାଇଦା ନେବାକୁ ରଣନୀତି ପ୍ରସ୍ତୁତ କରିଛି ବୋଲି ଜଣାପଡ଼ିଛି।

Related story