ବିଜୁ ସ୍ମାର୍ଟ କାର୍ଡ : ବିଜେଡି-ବିଜେପି ସମ୍ପର୍କକୁ ନେଇ ଦ୍ୱନ୍ଦ୍ୱରେ ଭୋଟର, ବିଜେପିକୁ ପଡ଼ିପାରେ ମହଙ୍ଗା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ସବୁ ପ୍ରୟାସ ସତ୍ତ୍ୱେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ଦୀର୍ଘ ୩ବର୍ଷ ପରେ ବି ଲାଗୁ କରିନଥିବା ବିଜେଡି ସରକାର ଏବେ ଜୋରଦାର ଢଙ୍ଗରେ ନିଜସ୍ୱ ଫ୍ଲାଗସିପ୍ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି। ୨୦୧୮ ଅଗଷ୍ଟ ୧୫ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏବେ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡି […]

BJDBJP

BJDBJP

Ordigital Desk
  • Published: Saturday, 09 October 2021
  • Updated: 09 October 2021, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ସବୁ ପ୍ରୟାସ ସତ୍ତ୍ୱେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ଦୀର୍ଘ ୩ବର୍ଷ ପରେ ବି ଲାଗୁ କରିନଥିବା ବିଜେଡି ସରକାର ଏବେ ଜୋରଦାର ଢଙ୍ଗରେ ନିଜସ୍ୱ ଫ୍ଲାଗସିପ୍ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି। ୨୦୧୮ ଅଗଷ୍ଟ ୧୫ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏବେ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡି ଏହି ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରୁଛି। ଏପର୍ଯ୍ୟନ୍ତ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ ହୋଇଥିବାବେଳେ ସାଢ଼େ ୯୬ଲକ୍ଷ ପରିବାରକୁ କାର୍ଡ ବଣ୍ଟନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ମାତ୍ର ଯେଉଁ ଶୈଳୀରେ ଜିଲ୍ଲାଗୁଡ଼ିକରେ ବିଜେଡି ଏହି କାର୍ଡ ବଣ୍ଟନ କରୁଛି ଓ ବିଜେପିର ବିଧାୟକ ଓ ସାଂସଦମାନେ ସହଯୋଗର ହାତ ବଢ଼ାଉଛନ୍ତି ତାହା ଉଭୟ ବିଜେପି କର୍ମୀ ଓ ସାଧାରଣ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏପରିକି ବିଜେପିର ଏଭଳି ସହଯୋଗ ମଧ୍ୟ ଦଳକୁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ଦୀର୍ଘ ୩ବର୍ଷ ଧରି ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ଲାଗୁ କରିବା ନିମନ୍ତେ ବିଜେପି ପକ୍ଷରୁ ସବୁ ସମୟରେ ଦାବି ହୋଇ ଆସୁଛି। ମାତ୍ର ବିଜେପିର ଏହି ଦାବିକୁ ବିଜେଡି ସବୁବେଳେ ଖାରଜ କରିବା ସହ ନିଜସ୍ୱ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ଅଧିକ ଭଲ ବୋଲି ଯୁକ୍ତି ବାଢ଼ୁଛି । ତେବେ ଏହି ଯୋଜନାରେ ପ୍ରାୟ ସାଢ଼େ ୯୬ଲକ୍ଷ ପରିବାରକୁ ସାମିଲ କରିବା ସହ ଅଗଷ୍ଟ ୨୦ତାରିଖରୁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରୁ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି ଓ ପୁରୀ ଜିଲ୍ଲାରେ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇସାରିଥିବାବେଳେ ବିଜେପି ବିଧାୟକ ଓ ସାଂସଦମାନେ ଏହି ସରକାରୀ କାର୍ଯ୍ୟକ୍ରମରେ ବେଶ୍ ସହଯୋଗ ଯୋଗାଇ ଦେଉଛନ୍ତି । ଯଦିଓ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିଜେଡି ନିଜର ଦଳୀୟ କାର୍ଯ୍ୟକ୍ରମ ଶୈଳୀରେ ଜିଲ୍ଲାସ୍ତରରେ କରୁଛି, ଆଉ ଏହାକୁ ଜାଣି ମଧ୍ୟ ବିଜେପି ପକ୍ଷରୁ ସହଯୋଗର ହାତ ବଢ଼ାଯିବା ସାଧାରଣ ଲୋକଙ୍କୁ ଚକିତ କରିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ବିଜେଡି ନିଜର ସଂଗଠନ ଦୁର୍ବଳ ଥିବା ଜିଲ୍ଲାଗୁଡ଼ିକ ଉପରେ ଫୋକସ୍ କରି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦେଇଛି । ଆଉ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଜିଲ୍ଲାରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କରୁଛନ୍ତି ବିଜେଡି ନିଜର ମନ୍ତ୍ରୀ ଓ ନେତାମାନଙ୍କୁ ପଠାଇ ସେସବୁ ଜିଲ୍ଲାର ପଂଚାୟତ ଓ ପୌରାଂଚଳର ୱାର୍ଡଗୁଡ଼ିକରେ କାର୍ଡ ବାଣ୍ଟି ପରୋକ୍ଷରେ ନିଜର ସଂଗଠନକୁ ସକ୍ରିୟ କରାଉଛି। ଆଉ ବିଜେପି ବିଧାୟକମାନେ ଏସବୁ ଅଂଚଳରେ କାର୍ଡ ବଣ୍ଟା ଆଳରେ ମୋହରା ପାଲଟୁଛନ୍ତି।

ମାଲକାନଗିରିରେ କାର୍ଡ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେପି ବିଧାୟକ ଆଦିତ୍ୟ ମାଢ଼ୀ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବାକୁ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅନେକ ଦାବି ରଖିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ସମ୍ପୂର୍ଣ୍ଣ ଭାବେ ‘ହାଇଜ୍ୟାକ୍‌’ କରି ନେଇଥିବାରୁ ସେଠାରେ ବିଜେପିର ସ୍ୱର କ୍ଷୀଣ ରହିଲା । ଅନୁରୂପ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ସେ ସାମିଲ ହୋଇନଥିଲେ। ମାତ୍ର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ବିଜେଡି ନେତାମାନଙ୍କ ସହ ମିଶି କାର୍ଡ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ସେହିପରି ବଲାଙ୍ଗିରରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ, ଗଜପତିରେ ବିଜେପି ବିଧାୟକ କେ.ନାରାୟଣ ରାଓ, ପୁରୀରେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଦେବଗଡ଼ରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ପୁରୀର ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଶ୍ରୀ ମହାପାତ୍ରଙ୍କୁ ବିଜେଡି ମନ୍ତ୍ରୀ ଓ ସାଂସଦଙ୍କ ଅପଦସ୍ତ କରିବାକୁ ପଛାଇ ନଥିଲେ । ତଥାପି ବିଜେପି ଏଥିରୁ କିଛି ନଶିଖି ଓଲଟା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ସ୍ମାର୍ଟ କାର୍ଡ ବଣ୍ଟନରେ ବିଜେଡିକୁ ସହଯୋଗର ହାତ ବଢ଼ାଇଛି।

ଆଜି ପୁରୀ ପୌରାଂଚଳରେ ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟାଯିବାବେଳେ ପେଣ୍ଠକଟାଠାରେ ଉଭୟ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ଧରି ବିଜେଡି ମନ୍ତ୍ରୀ ଅଶୋକ ପଣ୍ଡା ଓ ଶ୍ରୀମୟୀ ମିଶ୍ର ଏହି କାର୍ଡ ବାଣ୍ଟୁଥିବାବେଳେ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’କୁ ନେଇ ଦୁଇ ଦଳର କର୍ମୀ ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ପୁରୀରେ ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ଏହି କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ତେଣୁ ଏହି କାର୍ଡ ବଣ୍ଟା ଭଳି ସରକାରୀ କାର୍ଯ୍ୟକ୍ରମରୁ ସ୍ୱାସ୍ଥ୍ୟ ବିଭାଗର କୌଣସି କର୍ମଚାରୀଙ୍କୁ ସାମିଲ ନକରି ଶାସକ ବିଜେଡି ନିଜର ରାଜନୀତିକ ଫାଇଦା ଚାହୁଁଥିବାବେଳେ ବିଜେପିର ଆଭିମୁଖ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗୋଟିଏପଟେ ବିଜେପ ନିଜର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡ଼ା ଗସ୍ତକୁ ବିରୋଧ କରି ଦଳୀୟ ପଦାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଅନ୍ୟପଟେ ବିଜେଡିକୁ ରାଜନୀତିକ ମାଇଲେଜ୍ ଦେବାକୁ ଉଦ୍ଦିଷ୍ଟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରୁଛି। କାର୍ଡ ବଣ୍ଟା କାର୍ଯ୍ୟକ୍ରମରେ ବିଜେପିର ଏଭଳି ସହଯୋଗ ପରୋକ୍ଷରେ ବିଜେଡିକୁ ସୁହାଉଥିବାବେଳେ ବିଜେପି ପାଇଁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଏହା ବୁମେରାଂ ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos