କଂଗ୍ରେସ ହଜୁଛି, ତଥାପି ଅପାରଗତାକୁ ସ୍ୱୀକାର କରିବାକୁ ନାରାଜ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ଭାବେ କଂଗ୍ରେସ ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବାବେଳେ ପ୍ରଦେଶ କଂଗ୍ରେସ ସଭାପତି ତଥା ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକ ନିଜର ଅପାରଗତାକୁ ସ୍ୱୀକାର କରିବାକୁ ରାଜି ନଥିବା ଜଣାପଡ଼ିଛି । ଦଳର ଖରାପ ପ୍ରଦର୍ଶନ ପାଇଁ ପିସିସି ସଭାପତିମାନଙ୍କୁ ଇସ୍ତଫା ଦେବାକୁ କଂଗ୍ରେସ ହାଇକମାଣ୍ଡ କହିବା ପରେ ଆଜି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଳର ପରାଜୟ ପାଇଁ କେବଳ ପିସିସି ସଭାପତିମାନେ ଦାୟୀ ନୁହଁନ୍ତି ବୋଲି […]

Niranjan Patnaik

Ordigital Desk
  • Published: Wednesday, 16 March 2022
  • , Updated: 16 March 2022, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ଭାବେ କଂଗ୍ରେସ ନିଜର ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବାବେଳେ ପ୍ରଦେଶ କଂଗ୍ରେସ ସଭାପତି ତଥା ରାଜ୍ୟ ମୁଖିଆ ନିରଞ୍ଜନ ପଟ୍ଟନାୟକ ନିଜର ଅପାରଗତାକୁ ସ୍ୱୀକାର କରିବାକୁ ରାଜି ନଥିବା ଜଣାପଡ଼ିଛି । ଦଳର ଖରାପ ପ୍ରଦର୍ଶନ ପାଇଁ ପିସିସି ସଭାପତିମାନଙ୍କୁ ଇସ୍ତଫା ଦେବାକୁ କଂଗ୍ରେସ ହାଇକମାଣ୍ଡ କହିବା ପରେ ଆଜି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଳର ପରାଜୟ ପାଇଁ କେବଳ ପିସିସି ସଭାପତିମାନେ ଦାୟୀ ନୁହଁନ୍ତି ବୋଲି କହିଛନ୍ତି । ଏଭଳି ବୟାନ ଦେଇ ସେ ନିଜର ଅପାରଗତାକୁ ଲୁଚାଇବାକୁ ପ୍ରୟାସ କରିଥିବାବେଳେ ତାଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ କ୍ରମାଗତ ଭାବେ ନିଜର ଭୋଟ ବ୍ୟାଙ୍କ ହରାଇ ଚାଲିଥିବା ଜଣାପଡ଼ିଛି ।

ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଚନ୍ତି ଯେ, ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଦଳର ହାଇକମାଣ୍ଡ ସମ୍ପୃକ୍ତ ରାଜ୍ୟର ପିସିସି ସଭାପତିମାନଙ୍କୁ ଇସ୍ତଫା ମାଗିବା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ । କିନ୍ତୁ ପରାଜୟ ପାଇଁ ଯଦିଓ ପିସିସି ସଭାପତିମାନେ ଉତ୍ତରଦାୟୀ କିନ୍ତୁ ସେମାନଙ୍କୁ ଏକାକୀ ଦାୟୀ କରାଯାଇନପାରେ । ନିର୍ବାଚନ ଲଢ଼ିବା ପାଇଁ ପାଣ୍ଠି ଅଭାବ ଥିବାରୁ ପିସିସି ସଭାପତିମାନେ କିଛି କରିବା ସମ୍ଭବପର ହେଉନି ।

୨୦୧୯ ବିଧାନସଭା ନିର୍ବାଚନ ପରଠୁ ସେ ତାଙ୍କ ପଦରୁ ଅବ୍ୟାହତ ନେବାକୁ ହାଇକମାଣ୍ଡଙ୍କୁ ବାରମ୍ବାର ଚିଠି ଲେଖି ଆସୁଛନ୍ତି । ତେବେ ସେ ସଭାପତି ରୁହନ୍ତୁ କି ନାହିଁ, ଦଳରେ ରହି ବିନା ପଦପଦବୀରେ ଆଦର୍ଶ ରାଜନୀତି କରିବେ ବୋଲି କହିଛନ୍ତି । ପଂଚାୟତ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିର୍ବାଚନ ଫଳାଫକୁ ନେଇ ଆମର ଆପତ୍ତି ନାହିଁ । କାରଣ ଦଳ ପାଖରେ ଅନ୍ୟ ଦଳ ସହ ଲଢ଼ିବା ପାଇଁ ଆବଶ୍ୟକ ନିର୍ବାଚନ ପାଣ୍ଠି ନାହିଁ । ପ୍ରାର୍ଥୀ ଚୟନଠୁ ଭୋଟ୍ ଜିତିବା ପର୍ଯ୍ୟନ୍ତ ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଛି । ତେଣୁ ଏଭଳି ସ୍ଥିତିରେ ଆମ ପାଖରେ କିଛି ବିକଳ୍ପ ହିଁ ନାହିଁ । ତେବେ ଆମେ ଦଳୀୟ ପ୍ରାର୍ଥୀଙ୍କୁ କହିଛୁ ସତ ଉପାୟରେ ନିର୍ବାଚନ ଲଢ଼ିବା। ପୂର୍ବରୁ ନିର୍ବାଚନରେ ଏତେ ଅର୍ଥ ଖର୍ଚ୍ଚ ହେଉନଥିଲା । ଅର୍ଥ ଲାଗି ଗଣତନ୍ତ୍ର ଏବେ ବିପଦରେ, ଏହା ଲୋକ ବୁଝିବା ଦରକାର । ଆଗଭଳି ଗଣତନ୍ତ୍ର ଆଉ ଚାଲୁନି । ୨୦୦୪ ନିର୍ବାଚନ ପରଠୁ ରାଜ୍ୟରେ ସ୍ଥିତି ଏପରି ହୋଇଛି । ଲୋକେ ନବୁଝିବା ପର୍ଯ୍ୟନ୍ତ ଏଭଳି ଚାଲିଥିବ ବୋଲି ସେ କହିଛନ୍ତି ।

ତେବେ ତଥ୍ୟ କହୁଛି, ୨୦୧୪ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଭୋଟ ପରିମାଣ ୫୫.୩୫ଲକ୍ଷ(୨୭.୭୦% ଓ ୧୬ଜଣ ବିଧାୟକ) ଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ତାହା ୩୭.୭୯ଲକ୍ଷ ଭୋଟ(୧୬.୧୨% ଓ ୯ଜଣ ବିଧାୟକ)କୁ ହ୍ରାସ ପାଇଥିଲା। ସେହିପରି ୨୦୧୭ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ୧୬% ଭୋଟ୍ ମିଳିଥିବାବେଳେ ୨୦୨୨ ପଂଚାୟତ ନିର୍ବାଚନରେ ଦଳକୁ ୧୩.୫୭% ଭୋଟ୍ ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ନିରଞ୍ଜନଙ୍କ ନେତୃତ୍ୱରେ ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଂଚୟତ ନିର୍ବାଚନ କଂଗ୍ରେସ ଲଢ଼ିଥିଲେ ବି ଦଳ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିନି ।

କଂଗ୍ରେସ ବାରମ୍ବାର ତଳକୁ ତଳ ଯାଉଥିଲେ ମଧ୍ୟ ରାଜ୍ୟରେ କଂଗ୍ରେସ ନେତାମାନେ ସଂଠଗନକୁ ସୁଦୃଢ଼ କରିବା ଦିଗରେ ଏକଜୁଟ ହେବାରେ ସକ୍ଷମ ହୋଇପାରୁନାହାନ୍ତି । ତୀବ୍ର ଗୋଷ୍ଠୀକନ୍ଦଳ ଓ କେବଳ ଗଣମାଧ୍ୟମରେ ଲମ୍ବାଚଉଡ଼ା ଭାଷଣ ଦେଇ ଦଳ ନିଜର ଅସ୍ତିତ୍ୱ ରକ୍ଷା କରିବାକୁ ଚାହୁଁଛି । ଅଭିଯୋଗ ହେଉଛି, ଶାସକ ଦଳ ସହ ଦୀର୍ଘ ବର୍ଷ ଧରି ରହିଥିବା ଭିତରି ବୁଝାମଣା ହିଁ କଂଗ୍ରେସ ଏବେ ରାଜ୍ୟରେ ଅସ୍ତିତ୍ୱ ହରାଇବାକୁ ବସିଛି ।

Related story