ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଦେଇଥିବା ମନ୍ତବ୍ୟକୁ ଇଙ୍ଗିତ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଜି ଅଫିସରଙ୍କୁ ସେମାନଙ୍କର ଲକ୍ଷଣରେଖା ସମ୍ପର୍କରେ ସଚେତନ କରାଇଛନ୍ତି । ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାରତମ୍ୟ ଯେଭଳି ଭବିଷ୍ୟତରେ ନକରିବେ ସେନେଇ ରୁଲିଂ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।
ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପୁଲିସ କମିଶନରଙ୍କ ନାଁ ନନେଇ ତାଙ୍କୁ ଇଙ୍ଗିତ କରି ତାଙ୍କର ମନ୍ତବ୍ୟକୁ ନିନ୍ଦା କରିଥିଲେ। ଶ୍ରୀ ନାଏକ କହିଥିଲେ ଯେ, ଅଫିସର କହୁଛନ୍ତି ସିବିଆଇ ପାରିଲା ନାହିଁ, ଆମେ ପାରିଲୁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମିତି ତାରତମ୍ୟ ରଖିବା ଠିକ୍ ନୁହେଁ। କୌଣସି ସରକାରୀ ଅଫିସର ନିଜର ବାହାଦୂରୀ ମାରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାରତମ୍ୟ କରିବା ଅନୁଚିତ୍। ଯଦି ବାହାଦୂରୀ ନେବାର ଥିଲା ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ ଭଲ ହୋଇଥାନ୍ତା। ଚାକିରି ସର୍ତ୍ତାବଳୀରେ ଅଫିସରମାନଙ୍କ ଆଚରଣ କିଭଳି ହେବା ଉଚିତ୍ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ତଥାପି ଅଫିସରମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି। ଏହାକୁ ଆମେ ନିନ୍ଦା କରୁଛୁ ଓ ତୁରନ୍ତ ଏନେଇ ସମ୍ପୃକ୍ତ ଅଫିସର କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।