ପଦ୍ମପୁର ରେଜଲ୍ଟ: ବିଜେଡି ଓ ବିଜେପିର ପ୍ରୟୋଗଶାଳା, ୨୪ ନିର୍ବାଚନ ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଶାଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପ୍ରାୟ ୪୨୬୭୯ଖଣ୍ଡ ଭୋଟରେ ପରାସ୍ତ କରିବା ପରେ ବିଜେଡି ମହଲରେ ଉତ୍ସାହ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ନିଜର ଅମାନତ ରଖିବାକୁ ସକ୍ଷମ ନହେବା କଂଗ୍ରେସ ପାଇଁ ବିପର୍ଯ୍ୟୟର କାରଣ ହୋଇଛି । ତେବେ ପଦ୍ମପୁର ଉପନିର୍ବାଚନରେ ବିଜେଡି ଓ ବିଜେପି ମୁହାଁମୁହିଁ ହେବା ସହ […]

bjd-and-bjp

bjd-and-bjp

Ordigital Desk
  • Published: Thursday, 08 December 2022
  • Updated: 08 December 2022, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଶାଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପ୍ରାୟ ୪୨୬୭୯ଖଣ୍ଡ ଭୋଟରେ ପରାସ୍ତ କରିବା ପରେ ବିଜେଡି ମହଲରେ ଉତ୍ସାହ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ନିଜର ଅମାନତ ରଖିବାକୁ ସକ୍ଷମ ନହେବା କଂଗ୍ରେସ ପାଇଁ ବିପର୍ଯ୍ୟୟର କାରଣ ହୋଇଛି । ତେବେ ପଦ୍ମପୁର ଉପନିର୍ବାଚନରେ ବିଜେଡି ଓ ବିଜେପି ମୁହାଁମୁହିଁ ହେବା ସହ ଏହାକୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରୟୋଗଶାଳା କରିବାର ଯେଉଁ ରିସ୍କ ଉଭୟ ଦଳ ନେଇଛନ୍ତି ତାହା ସେମାନଙ୍କ ପାଇଁ ସତର୍କ ଘଂଟି ପାଲଟିଛି । ତା’ଛଡ଼ା ରାଜ୍ୟରେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଲଢ଼େଇ କରୁଥିବା କଂଗ୍ରେସ ନିଜର ପୁରୁଖା ନେତାଙ୍କୁ ମଇଦାନକୁ ଓହ୍ଲାଇଥିଲେ ବି ସାଂଗଠନିକ ବିପର୍ଯ୍ୟୟର ନୂଆ ଅନୁଭୂତି ପାଇଛି । ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ପରିଚାଳନା ଓ ଫଳାଫଳ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସକୁ ଆଗାମୀ ୨୦୨୪ ନିର୍ବାଚନରେ ଲଢ଼ିବା ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବାକୁ ଏକରକମ ବାଧ୍ୟ କରିଛି ।

ସୂଚନା ଅନୁସାରେ ପଦ୍ମପୁର ଉପନିର୍ବାଚନ ଫଳାଫଳ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ବିଜେଡି ପାଇଁ ଉତ୍ସାହବର୍ଦ୍ଧକ ରହିଛି । ଧାମନଗରରେ ଶକ୍ତ ପରାଜୟ ପରେ ନିଜକୁ ସଜାଡ଼ି ପରିବର୍ତ୍ତିତ ରଣନୀତି ସହ ପଦ୍ମପୁରକୁ ଓହ୍ଲାଇଥିବା ଶାସକ ବିଜେଡିକୁ ଯଦିଓ ଆଶାତୀତ ସଫଳତା ମିଳିଛି କିନ୍ତୁ ତାହା ଓଡ଼ିଶା ନିର୍ବାଚନୀ ଇତିହାସରେ ଏକ ନୂଆ ଅଧ୍ୟାୟ ଓ ପରମ୍ପରାକୁ ଜନ୍ମ ଦେଇଛି । ଯାହାକି ବିଜେଡି ପାଇଁ ୨୦୨୪ ସାଧାରଣ ନିର୍ବାଚନରେ ବୁମେରାଂ ହେବାର ଆଶଙ୍କା ରହିଛି ।

ପଦ୍ମପୁର ଉପନିର୍ବାଚନରେ ଦଳର ସ୍ଥାନୀୟ ନେତା ଓ ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦେଇ ଆଗରେ ରଖି ସଂଘବଦ୍ଧ ଭାବେ ନିର୍ବାଚନ ପରିଚାଳନା କରିବା, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ପଂଚାୟତକୁ କୋଟିଏ ଟଙ୍କାର ପ୍ୟାକେଜ୍ ଓ ଇନଷ୍ଟାଣ୍ଟ୍ ଯୋଜନା ଘୋଷଣା ସହ ସେହି କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି, ୨.୫୭ଲକ୍ଷ ଭୋଟରଙ୍କ ମଧ୍ୟରୁ ପ୍ରାୟ ୬୦% ଭୋଟରଙ୍କୁ ଟାର୍ଗେଟ୍ କରି ସେମାନଙ୍କ ପାଖରେ ପହଂଚିବା ଏବଂ ପଂଚାୟତରେ ରାଜ୍ୟସ୍ତରୀୟ ନେତାଙ୍କୁ ଦାୟିତ୍ୱ ଦେଇ ବୁଥସ୍ତରରେ ଭୋଟରଙ୍କ ଉପରେ ନଜର ରଖିବା, ନିଜର ଟ୍ରମ୍ପକାର୍ଡ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବା ଭଳି ସାମୁହିକ ରଣନୀତି କରାଯିବା ବିଜେଡିକୁ ପଦ୍ମପୁରରେ ଆକଳନଠୁ ଅଧିକ ସଫଳତା ଦେଇଛି । କେବଳ ସେତିକି ନୁହେଁ ବିଜେଡି ନିଜର ମହିଳା ଏସଏଚଜି ମାଧ୍ୟମରେ ମହିଳା ଭୋଟ୍ ହାତେଇବାର ରଣନୀତି ଉପରେ ଅଧିକ ଗୁରୁତ୍ୱ ନଦେଇ ଶ୍ରମିକ କାର୍ଡ ଓ କେନ୍ଦୁପତ୍ର ତୋଳାଳୀଙ୍କୁ ମନେଇବାକୁ ପଦକ୍ଷେପ ନେଇଥିଲା । ଯଦିଓ ନିର୍ବାଚନ ଘୋଷଣା ସମୟରେ ପଦ୍ମପୁରରେ ଚାଷୀ ସମସ୍ୟା ଓ ଜିଲ୍ଲା ମାନ୍ୟତା ଦାବି ଭଳି ସ୍ଥାନୀୟ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ଆକ୍ରୋଶ ଥିଲା, କିନ୍ତୁ ଅତ୍ୟନ୍ତ ଚତୁରତାର ସହ ବିଜେଡି ଏଥିରେ ତାଳିପକା ସମାଧାନ କରି ସବୁ ଗୋଷ୍ଠୀଙ୍କୁ ମନାଇବାରେ ସକ୍ଷମ ହୋଇଛି । ଯେଉଁଥିପାଇଁ ବିଜେଡି ସପକ୍ଷରେ ପଦ୍ମପୁରରେ ଅଦ୍ୟାବଧିର ସର୍ବାଧିକ ୫୮% ଭୋଟ୍ ପଡ଼ିଛି ।

ବିଜେଡିର ବିଜୟ ରଞ୍ଜନ ସିଂ ବରିହାଙ୍କୁ ୨୦୦୪ରେ ୪୮.୭୩ %,୨୦୦୯ରେ ୪୪.୧୫% , ୨୦୧୪ରେ ୩୬.୩୯% ଓ ୨୦୧୯ରେ ୪୧.୨୯% ଭୋଟ୍ ମିଳିଥିଲା । ତେବେ ପଦ୍ମପୁର ଉପନିର୍ବାଚନକୁ ଜିତିବା ପାଇଁ ବିଜେଡି ନିଜର ସମସ୍ତ ଲୋକାଭିମୁଖୀ ଯୋଜନାକୁ ଛାଡ଼ି ଇନଷ୍ଟାଣ୍ଟ ଯୋଜନା ଘୋଷଣା ଓ କାର୍ଯ୍ୟକାରୀ କରିବାର ଯେଉଁ ଫର୍ମୂଲା ଆପଣାଇଛି ତାହା ଦଳ ପାଇଁ ଆଗାମୀ ଦିନରେ ବୁମେରାଂ ହେବ । ଅବଶ୍ୟ ସଂଗଠନକୁ ପରିଚାଳନା କରିବାର ଶୈଳୀରେ ବିଜେଡି ଆବଶ୍ୟକୀୟ ପରିବର୍ତ୍ତନ କରିଛି । ଯାହା ଦଳର ନେତାମାନଙ୍କୁ ସଂଗଠିତ କରାଇପାରିଛି । ଆଉ ଦିବଂଗତ ବିଜୟରଞ୍ଜନଙ୍କ ଝିଅ ବର୍ଷାଙ୍କ ଜିତିବାର ମାର୍ଗକୁ ପ୍ରଶସ୍ତ କରିଛି ।

ଅନ୍ୟପକ୍ଷରେ ବିଜେପି କ୍ରମାଗତ ଭାବେ ପଦ୍ମପୁରରେ ନିଜର ଭୋଟ ହାର ହ୍ରାସ କରିଚାଲିଛି । ଚଳିତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩୭.୫୧% ଭୋଟ୍ ମିଳିଛି । ବିଜେପି ପାଖରେ ପଦ୍ମପୁରକୁ ଜିତିବାର ସବୁ ସୁଯୋଗ ଥାଇ ମଧ୍ୟ ଦଳ ସ୍ଥାନୀୟ ଲୋକଙ୍କ ମାନସିକତାକୁ ଧରି ରଖିବାରେ ସକ୍ଷମ ହୋଇପାରିଲା ନାହିଁ । ବୁଥସ୍ତରରେ ସଂଗଠନ ସୁଦୃଢ଼ ଉପରେ ଗୁରୁତ୍ୱ ଦେଉଥିବା ବିଜେପି ଚଳିତ ଉପନିର୍ବାଚନରେ ବୁଥସ୍ତରର ନିଜର କର୍ମୀଙ୍କ ମନୋବଳ ବୃଦ୍ଧି ଓ ସେମାନଙ୍କୁ ଆବଶ୍ୟକ ସୁବିଧାସୁଯୋଗ ଠିକ୍ ସମୟରେ ପହଂଚାଇବାରେ ସକ୍ଷମ ହେଲାନି । ବିଜେଡିର ରାଜ୍ୟସ୍ତରୀୟ ନେତାମାନେ ପଦ୍ମପୁରରେ ୨୫ଦିନ ଧରି ପଡ଼ି ରହି ବୁଥସ୍ତରରେ ମତଦାତାଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ ସ୍ଥାନୀୟ ବରିଷ୍ଠ ନେତାମାନେ ନିର୍ବାଚନ ପରିଚାଳନା କଲେ । କିନ୍ତୁ ବିଜେପି ପଂଚାୟତସ୍ତରରେ ରାଜ୍ୟସ୍ତରୀୟ ନେତାମାନଙ୍କୁ ଖଞ୍ଜି ରଖିପାରିନଥିଲା କିମ୍ବା ବୁଥସ୍ତରରେ ବିଜେଡିର ନିର୍ବାଚନ ପରିଚାଳନାକୁ କାଉଣ୍ଟର କରିବାର ରଣନୀତି ବି ପ୍ରସ୍ତୁତ କରିନଥିଲା । ତା’ଛଡ଼ା ବିଜେଡି ପ୍ରାର୍ଥୀଙ୍କ ଜାତି, ବିବାହ ଆଦି ପ୍ରସଙ୍ଗରେ ବିଜେପି ନେତାମାନେ ମୁହଁ ଖୋଲିବାକୁ ବିଜେଡି ଅତ୍ୟନ୍ତ ଚତୁରତାର ସହ ମହିଳାବିରୋଧୀ ବୟାନ ଭାବେ ଚିତ୍ରଣ କରାଇ ପାରିଲା । କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ଭୋଇଙ୍କୁ ଦଳରେ ସାମିଲ କରାଇ ମଧ୍ୟ କୁଲତା ସମାଜ ଭୋଟବ୍ୟାଙ୍କରେ ଛିଦ୍ର କରାଇବାରେ ବିଜେପି ସକ୍ଷମ ହେଲାନି କିମ୍ବା ସଞ୍ଜୟଙ୍କ ସହ ଥିବା ପ୍ରାୟ ୫ରୁ ୭ହଜାର ସମର୍ଥକଙ୍କ ଭୋଟ୍ ମଧ୍ୟ ହାତେଇପାରି ନଥିବା ଜଣାପଡ଼ିଛି ।

ପଦ୍ମପୁରରେ ପ୍ରଦୀପଙ୍କ ନିଜସ୍ୱ ସଂଗଠନ ଓ ବିଜେପିର ଦଳୀୟ ସଂଗଠନ ସୁଦୃଢ଼ ବୋଲି କହୁଥିଲେ ମଧ୍ୟ ବିଜେପିର ପ୍ରଦୀପଙ୍କୁ ୨୦୧୪ରେ ୩୮.୯୪%, ୨୦୧୯ରେ ୩୮.୪୫% ଭୋଟ୍ ମିଳିଥିଲା । ଯାହା ଚଳିତ ଉପନିର୍ବାଚନରେ ହ୍ରାସ ପାଇ ୩୭.୫୧% ରହିଯାଇଛି । ବିଜେଡି ଓ ବିଜେପି ମଧ୍ୟରେ ସଲାସୁତୁରା ରହିଛି ବୋଲି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିକୁ ପଦ୍ମପୁରରେ କଡ଼ା ଟକ୍କର ଦେଇ ନିଜର କର୍ମୀଙ୍କ ମଧ୍ୟରେ ଜୋସ୍ ଭରିବାରେ ବିଜେପି ସକ୍ଷମ ହୋଇଛି । କିନ୍ତୁ ଏହି ଧାରାକୁ ବଜାୟ ନରଖିଲେ ତଥା ବିଜେଡି ଓ ବିଜେଡି ସୁପ୍ରିମୋଙ୍କ ପ୍ରତି ପ୍ରତି କୋହଳ ଆଭିମୁଖ୍ୟ ରଖିଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ଅଧିକ ।

ସେହିପରି କଂଗ୍ରେସର ସତ୍ୟଭୂଷଣ ସାହୁଙ୍କ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଭାବ ଥିଲେ ମଧ୍ୟ ସେ ନିଜର ଅମାନତ ରଖି ନପାରିବା ଉଭୟ ଶ୍ରୀ ସାହୁ ଓ କଂଗ୍ରେସ ପାଇଁ ସବୁଠୁ ବଡ଼ ଧକ୍କା । କଂଗ୍ରେସ ପାଖରେ ୨୦୦୪ରେ ୫୧.୨୭%, ୨୦୦୯ରେ ୩୨.୪୧ %, ୨୦୧୪ରେ ୧୭.୬୧%, ୨୦୧୯ରେ ୧୬.୨୫% ଓ ଚଳିତ ଉପନିର୍ବାଚନରେ ମାତ୍ର ୧.୭୩% ଭୋଟ୍ ରହିଛି । କଂଗ୍ରେସର ନିଜସ୍ୱ ଭୋଟ କିଭଳି ହଡ଼ପ ହୋଇଗଲା ତାକୁ ନେଇ ଦଳ ନାନାଦି ଅଭିଯୋଗ କରୁଥିଲେ ମଧ୍ୟ ବାସ୍ତବରେ କଂଗ୍ରେସ ପ୍ରତି ସାଧାରଣ ଲୋକ ମୁହଁ ଫେରାଇ ସାରିଲେଣି ଓ ଆଗାମୀ ଦିନରେ କଂଗ୍ରେସର ସ୍ଥିତି ଆହୁରି ଅଧିକ ସଙ୍ଗୀନ ହେବ ବୋଲି ଏବେଠୁ ଆଭାସ ମିଳିଲାଣି । ଏସବୁ ବ୍ୟତୀତ ପଦ୍ମପୁରରେ ନୋଟା(ନନ୍ ଅଫ ଦି ଏବଭ)ରେ କ୍ରମାଗତ ୨୦୧୪,୨୦୧୯ ଓ ଚଳିତ ଉପନିର୍ବାଚନରେ ୧ ପ୍ରତିଶତରୁ ଅଧିକ ଭୋଟ୍ ପଡ଼ିବା ପରୋକ୍ଷରେ ସ୍ଥାନୀୟ ନେତାମାନଙ୍କ ପ୍ରତି ସାଧାରଣ ଲୋକଙ୍କ ଆକ୍ରୋଶର ଆଭାସ ଦେଉଛି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ ନିର୍ବାଚନ ଫଳାଫଳରେ ଉତ୍ସାହିତ ନହୋଇ ଶାସକ ବିଜେଡି ଏବେଠୁ ନିଜର ସାଂଗଠନିକ ପରିଚାଳନାର ଶୈଳୀକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ପଦ୍ମପୁରରେ ଦଳର ସବୁ ବର୍ଗର ନେତାଙ୍କୁ ସାମିଲ କରି ଆଶାତୀତ ସଫଳତା ପାଇପାରିଥିବା ବିଜେଡି ଆଗାମୀ ଦିନରେ ନିଜର ସଂଗଠନ ଉପରେ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସେହିପରି ବିଜେପି ମଧ୍ୟ ନିଜର କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଏବେଠୁ ଶାସକ ବିଜେଡି ପ୍ରତି ନିଜର ଆଭିମୁଖ୍ୟକୁ ଅଧିକ ଆକ୍ରମଣାତ୍ମକ କରିବା ସହ ଜନସ୍ୱାର୍ଥ ପ୍ରସଙ୍ଗରେ ସରକାରଙ୍କ ଉପରେ ମାତ୍ରାଧିକ ଚାପ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos