ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ହୋଇଛି। ଗତ ନିର୍ବାଚନରେ ୨୯୭ଟି ଜିଲ୍ଲା ପରିଷଦକୁ ନିଜ ଦଖଲରେ ରଖିଥିବା ବିଜେପି ଏଥର ୪୨ରେ ଆଣ୍ଠେଇ ପଡ଼ିଛି। ଏପରି ବିପର୍ଯ୍ୟୟକୁ ନେଇ ଆଜି ବିଜେପି ଦୁଃଖ ପ୍ରକାଶ କରିଛି। ଏହାର ପ୍ରଭାବ ପୌର ନିର୍ବାଚନରେ ପଡ଼ିବ ନାହିଁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ପଞ୍ଚାୟତ ନିର୍ବାଚନର ପ୍ରଭାବ ପୌର ନିର୍ବାଚନ ଉପରେ ପଡ଼ିବ ନାହିଁ। ଏପରିକି ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ପଡିବ ନାହିଁ। ଲୋକମାନେ ବହୁ ସଚେତନ ହୋଇଗଲେଣି। ଡିଫରେନ୍ସିଆଲ୍ ଭୋଟିଂ କରିବା ଜାଣିଛନ୍ତି। ସେମାନେ ଠିକ୍ ଭାବେ ଭୋଟ୍ ଦେବେ। ଆମର ଓଡ଼ିଶାବାସୀଙ୍କ ଉପରେ ଭରସା ଅଛି। ପୌର ନିର୍ବାଚନ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତି ଚାଲିଛି। ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।
ପଞ୍ଚାୟତ ପରାଜୟ ନେଇ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ଆମେ ସନ୍ତୁଷ୍ଟ ଅଛୁ ବୋଲି ମୁଁ କେବେବି କହିବି ନାହିଁ। ଆମେ ଦୁଃଖିତ ଓ ବହୁତ ଅସନ୍ତୁଷ୍ଟ। ଯେତେବେଳେ ମୁଁ କହୁଛି ଆମେ ଅର୍ଥାତ ସମସ୍ତ ବିଜେପି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ଆମର ଯେଉଁ କ୍ଷମତା ଅଛି, ବିଜେପି ଚାହିଁଥିଲେ ଭଲ ପ୍ରଦର୍ଶନ କରିପାରିଥାଆନ୍ତା। ଆମେ କେଉଁଠି ନା କେଉଁଠି ତ୍ରୁଟି କରିଛୁ। ଯେଉଁଥିପାଇଁ ହାର ହୋଇଛି। ଆମେ ମଧ୍ୟ ପରାଜୟକୁ ସ୍ୱୀକାର କରୁଛୁ। ଜନାଦେଶକୁ ଆମେ ସମ୍ମାନ ଦେଉଛୁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।
https://youtu.be/9szPqAgrFSw
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।