ସାଂସଦ ମାନସ ମଙ୍ଗରାଜଙ୍କୁ ଦଳୀୟ ନେତ୍ରୀଙ୍କ ପ୍ରଶ୍ନ: ବିଜେଡି ପାଇଁ କାମ କରୁଛ ତ?

ନିର୍ବାଚନ ସମୟରେ ଦଳର ମହିଳା ୱିଙ୍ଗର ଜଣେ କର୍ମକର୍ତ୍ତା ଖୋଲାଖୋଲି ଭାବେ ପ୍ରଭାବଶାଳୀ ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ଟାର୍ଗେଟ୍ କରିବାକୁ ନେଇ ବିଜେଡିରେ ଚର୍ଚ୍ଚା ଜୋର ଧରିଛି।

ସାଂସଦ ମାନସ ମଙ୍ଗରାଜ (ଫାଇଲ ଫୋଟ)

  • Published: Friday, 19 April 2024
  • , Updated: 20 April 2024, 07:51 AM IST

ସାଧାରଣ ନିର୍ବାଚନରେ ମହିଳା ଭୋଟ୍ ହାତେଇବା ପାଇଁ ବିଜେଡି ରଣନୀତି କରୁଥିବାବେଳେ ଦଳର ଜଣେ ନେତ୍ରୀ ଆଜି ସିଧାସଳଖ ବିଜେଡି  ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ଅସନ୍ତୋଷ ବଖାଣିଛନ୍ତି । ମହିଳା ବିଜେଡିର ସାଧାରଣ ସମ୍ପାଦିକା ମୋନାଲିସା ଗନ୍ତାୟତ ଆଜି ତାଙ୍କର ଏକ୍ସ ହ୍ୟାଣ୍ଡେଲ(ଟ୍ୱିଟର)ରେ ଦଳର ମିଡିଆ ଦାୟିତ୍ୱରେ ଥିବା ଶ୍ରୀ ମଙ୍ଗରାଜଙ୍କୁ ଖୋଲାଖୋଲି ଭାବେ ‘ଆପଣ ବିଜେଡି ପାଇଁ କାମ କରୁଛନ୍ତି ତ’ ବୋଲି ପ୍ରଶ୍ନ କରିଛନ୍ତି । ଦଳର ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଦକ୍ଷତା ଓ ଦଳର ମିଡିଆ ଟିମ୍ ଉପରେ ବି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ନିର୍ବାଚନ ସମୟରେ ଦଳର ମହିଳା ୱିଙ୍ଗର ଜଣେ କର୍ମକର୍ତ୍ତା ଖୋଲାଖୋଲି ଭାବେ ପ୍ରଭାବଶାଳୀ ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ଟାର୍ଗେଟ୍ କରିବାକୁ ନେଇ ବିଜେଡିରେ ଚର୍ଚ୍ଚା ଜୋର ଧରିଛି ।

ମୋନାଲିସା ତାଙ୍କ ‘ଏକ୍ସ’ରେ ବିଜେଡି ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ବିଜେଡି ଲୋକମାନଙ୍କ ମତାମତ ନିଅନ୍ତୁ, ସେମାନେ ଆପଣଙ୍କୁ କ’ଣ କହୁଛନ୍ତି । ବିଜେଡିର ମିଡିଆ ଟିମ୍ କିଏ ଚୟନ କରୁଛି । ଏହା ବିଜେଡି ଲୋକଙ୍କ ପାଇଁ ଅନୁଚିତ୍ । ବିଜେଡି ଏବେ ଜାଗ୍ରତ ହେଲାଣି । ଆପଣ ଅନ୍ୟମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି । ଆପଣ ଗୋଟିଏ ପଦରେ ଅଛନ୍ତି କିନ୍ତୁ କାହାସହ ଆଲୋଚନା କରୁନାହାନ୍ତି । ଆପଣ ବିଜେଡି ପାର୍ଟି ପାଇଁ କାମ କରୁଛନ୍ତି ତ? ବୋଲି ଶ୍ରୀ ମଙ୍ଗରାଜଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ।

ସେହିପରି ଅନ୍ୟ ଏକ ଟ୍ୱଟରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କୁ ସମାଲୋଚନା କରି କ’ଣ ତାଙ୍କର ଭୂମିକା ବୋଲି ପ୍ରଶ୍ନ କରିଛନ୍ତି । ଆପଣ ବିଜେଡି ମୁଖପାତ୍ର ହେବା ଭଳି ବ୍ୟକ୍ତି ନୁହଁନ୍ତି । ଆପଣଙ୍କୁ ଟ୍ରୋଲ୍ କରାଯାଉଛି । ଲୋକଙ୍କର ମତାମତ ଅଛି । ପଦବୀ ରଖିଲେ କ’ଣ ହେବ । ଲୋକଙ୍କ ସହ କଥା ହୁଅ । ତୁମର କଥା ଶୁଣାଯାଉନି ବୋଲି କହି ଶ୍ରୀ ମାଝୀଙ୍କୁ ବି ତାଚ୍ଛଲ୍ୟ କରିଛନ୍ତି ।

ଯଦିଓ ବିଜେଡିର ଜଣେ ନେତ୍ରୀ ଏଭଳି ଖୋଲାଖୋଲି ଭାବେ ନିଜ ଦଳର ମିଡିଆ ଟିମ୍ ଓ ନେତାମାନଙ୍କୁ ସମାଲୋଚନା କରିବା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନି । ତେବେ ବିଜେଡିରେ ଯେ ସବୁକିଛି ଠିକ୍ ନାହିଁ ତାହା ଏବେ ପଦାକୁ ଆସିଛି । ସୋସିଆଲ ମିଡିଆରେ ଏହି ‘ପୋଷ୍ଟ’କୁ ଦେଖିଲେ ବିଜେଡିରେ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ମିଳୁନଥିବା ନେଇ ହେଉଥିବା ଚର୍ଚ୍ଚା ଧୀରେଧୀରେ ସତ ପ୍ରମାଣିତ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଶ୍ରୀ ମଙ୍ଗରାଜ ବିଜେଡିର ମିଡିଆ ଦାୟିତ୍ୱରେ ଅଛନ୍ତି ଓ ରାଜ୍ୟର ଗଣମାଧ୍ୟମକୁ ମଧ୍ୟ ରାଜ୍ୟ ସରକାର ତାଙ୍କ ମାଧ୍ୟମରେ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି ।

Related story