ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ଦମ୍ଦାର ବିଜୟ ହାସଲ କରିଛି ବିଜେଡି। ଆଉ ଦୁଇ ଜାତୀୟ ଦଳ କଂଗ୍ରେସ୍ ଓ ବିଜେପିକୁ ଚିତ୍ପଟାଙ୍ଗ କରିଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡି କ୍ୟାମ୍ପରେ ଖୁସିର ମାହୋଲ ଥିବା ବେଳେ ବିଜେପି ଓ କଂଗ୍ରେସ କାରଣ ଖୋଜିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ କଂଗ୍ରେସ୍ ରାଜ୍ୟ ମୁଖିଆ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେପି ପାଖରେ ଅର୍ଥ ଥିଲା। ମାତ୍ର ସେମାନେ ସାଲିସ କରି ଖର୍ଚ୍ଚ କଲେନି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ନିର୍ବାଚନରେ ବିଜେପି ସାଲିସ୍ କଲା, ତା’ହେଲେ ନବଗ୍ରହ ଥାଉ ଥାଉ କ’ଣ କରୁଥିଲା କଂଗ୍ରେସ?
ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିରୋଧୀ ଦଳର ସ୍ଥିତି ଭଲ ନାହିଁ। ଆମେ ସେଥିପାଇଁ ଦାୟୀ। ମନ୍ତ୍ରୀ, ବିଧାୟକ ଓ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖା ଦେଉନାହାନ୍ତି। ତଥାପି ସେ ନିର୍ବାଚନରେ ଭୋଟ୍ ପାଉଛନ୍ତି। ରାଜ୍ୟକୁ ବିଭିନ୍ନ ଯୋଜନାରେ ବହୁତ ଅର୍ଥ ଆସୁଛି। ତାହାର ଫାଇଦା ବିଜେଡି ନେଉଛି। ଭୋଟ୍ ପାଇଁ ବିଜେଡି ସରକାରୀ ପଇସା ଖର୍ଚ୍ଚ କରି ସଫଳତା ପାଉଛି ବୋଲି ନିରଞ୍ଜନ କହିଛନ୍ତି।
ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, କେତେକ ସ୍ୱାର୍ଥବାଦୀ ବଡ଼ ନେତା ହେବା ଆଶାରେ ଦଳ ଛାଡୁଛନ୍ତି। ଗଣତନ୍ତ୍ର ବର୍ତ୍ତମାନ ବ୍ୟବସାୟ ହୋଇଯାଇଛି। ଇଚ୍ଛା ଥାଉ ବା ନଥାଉ ସରକାରୀ କର୍ମଚାରୀଙ୍କ ଆନୁଗତ୍ୟ ବଢ଼ିଛି। ଯେପର୍ଯ୍ୟନ୍ତ ଲୋକଙ୍କୁ ଏଜୁକେଟ ନ କରିଛେ, ସେପର୍ଯ୍ୟନ୍ତ ପରିବର୍ତ୍ତନ ହେବନି। ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ, ଟଙ୍କିକିଆ ଚାଉଳ ଆଦି ଯୋଜନାରୁ ବିଜେଡି ଫାଇଦା ପାଇଲା। ସରକାରୀ ଅର୍ଥରେ ଜଳସେଚନ, ଶିଳ୍ପ ନକରି ସ୍କିମ୍ କରି ବିଜେଡି ଭୋଟ୍ ପାଇଲା। ଲୋକଙ୍କୁ ଏ ନେଇ ବୁଝାଇବାରେ ଆମେ ସଫଳ ହୋଇ ପାରିନାହୁଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଅଧିକ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନରେ କାହିଁକି ହାରିଲା ବିଜେପି? ଗୁମର ଖୋଲିଲେ ବିଜୟ
ନିରଞ୍ଜନ ଆହୁରି କହିଛନ୍ତି, ବିଜେପି ପାଖରେ ଅର୍ଥ ଅଛି। ମାତ୍ର ସେମାନେ ସାଲିସ୍ କରି ଖର୍ଚ୍ଚ କଲେନି। ପୌର ନିର୍ବାଚନ ପାଇଁ ବେଶୀ ସମୟ ଆଉ ନାହିଁ। ପୌର ନିର୍ବାଚନରେ ସେମାନେ ଆଡଭାଣ୍ଟେଜ ସ୍ଥିତିରେ ରହିବେ ବୋଲି ଶ୍ରୀ ପଟ୍ଟନାୟକ।
ତେବେ ଏଠି ପ୍ରଶ୍ନ ଉଠୁଛି, ବିଜେପି ନେତା ସାଲିସ୍ କଲେ ଠିକ୍ କଥା, ହେଲେ କଂଗ୍ରେସ ଏତେଦିନ ଯାଏ କଣ କରୁଥିଲା? କାହିଁକି ପଞ୍ଚାୟତ ନିର୍ବାଚନରେ ଲୋକେ କଂଗ୍ରେସକୁ ନିରାଶ କଲେ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।