- ୨୦୧୭ରେ ସଫଳତା ସଂପୂର୍ଣ୍ଣ ଭାବେ ଦଳୀୟ ଭୋଟ୍ ନଥିଲା
- ଏଥର କଣ ହେଲା କେଜାଣି ଷ୍ଟ୍ରାଟେଜି ହେଲାନି କି ବୈଠକ ହେଲାନି
- ଦଳରେ ଏଠି ଯାହାକୁ ପ୍ରାର୍ଥୀ କରାନ୍ତି, ତାଙ୍କୁ ହରାଇବାକୁ ଚେଷ୍ଟା କରାନ୍ତି
- ବିଜେପିରେ ଗୋଷ୍ଠୀ କନ୍ଦଳ ବହୁତ, ମାତ୍ର ବାହାରେ ଚର୍ଚ୍ଚା କମ୍
- ଦଳ ଏବେ ଏକ କୋର୍ କମିଟି ଗଠନ କରିଛି, ସେମାନେ କ’ଣ କରୁଥିଲେ
- ବିଜେଡିର ନିର୍ବାଚନ ପରିଚାଳନା ଭଲ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ପଞ୍ଚାୟତ ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି ବିଜେଡି। ମୁହଁ ମାଡ଼ି ପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବିଜେଡି ଏକାକୀ ୯୦% ଜିଲ୍ଲା ପରିଷଦ ଆସନ ହାସଲ କରିଛି। ବିଜେପି ଓ କଂଗ୍ରେସ ଗତଥର ଅପେକ୍ଷା ଆହୁରି ସଙ୍କୁଚିତ ହୋଇ ଯାଇଛନ୍ତି। ୨୦୧୭ରେ ବିଜେପି ୨୯୭ଟି ଆସନ ପାଇଥିବା ବେଳେ ୫୦ ମାଡ଼ିନି। ସେହିପରି କଂଗ୍ରେସ ଗତଥର ୬୦ ଆସନ ହାତେଇଥିବା ବେଳେ ଏଥର ୪୦ ଛୁଇଁ ପାରିନି।
ଏହି ଫଳାଫଳ ଆସିବା ପରେ ବିଜେଡିର ବିଜୟକୁ ନେଇ ଯେତିକି ଆଲୋଚନା ହେଉନି ବିଜେପିର ଏପରି ସ୍ଥିତି କାହିଁକି ହେଲା ତାକୁ ନେଇ ବେଶି ଚର୍ଚ୍ଚା ହେଉଛି। ଏହି ଫଳାଫଳ ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଖୋଦ୍ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଏଥିରେ ବିସ୍ମିତ ହେଲା ଭଳି କିଛି ନାହିଁ । ଏହାସହିତ ସେ ଏମିତି କିଛି କଥା କହିଛନ୍ତି, ଯାହା ଦଳର ଫଳାଫଳଠୁ ବି ଆହୁରି ବିସ୍ମୟଜନକ ।
ନିଜ ଦଳ ଉପରେ ଅସନ୍ତୋଷ ଝାଡ଼ି ବିଜୟ ମହାପାତ୍ର କହିଛନ୍ତି, ଖେଳ ପଡ଼ିଆରେ କେବଳ ଗୋଟିଏ ଦଳ ଥିଲା। ତେଣୁ ସେ ହିଁ ବିଜୟୀ ହେବା ସ୍ୱାଭାବିକ। ଲୋକେ ତାକୁ ହିଁ ଭୋଟ ଦେବେ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ପଞ୍ଚାୟତ ନିର୍ବାଚନର ଜନାଦେଶ ତାଙ୍କୁ ଆଶ୍ଚର୍ଯ୍ୟ କିମ୍ବା ହତବାକ କରିନି ବୋଲି ସେ କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ୨୯୭ ସିଟ୍ ପାଇଥିବା ବିଜେପିକୁ ଏବେ ୫୦ ସିଟ୍ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଅହଙ୍କାର ମଧ୍ୟରେ ବୁଡ଼ି ରହିଥିବା ଦଳ ପକ୍ଷରୁ ଏଥର ମଇଦାନକୁ ଓହ୍ଲାଇବା ପୂର୍ବରୁ କୌଣସି ରଣନୀତି ପ୍ରସ୍ତୁତ ହୋଇ ନ ଥିଲ। ବିନା ବ୍ଲୁ ପ୍ରିଣ୍ଟ ଓ ବିନା ଅସ୍ତ୍ରରେ ଯୁଦ୍ଧକ୍ଷେତ୍ରରୁ ଓହ୍ଲାଇଥିଲା ଦଳ। ତେଣୁ ପ୍ରସ୍ତୁତି ବିନା ମଇଦାନକୁ ଓହ୍ଲାଇଥିବା ଦଳର ଅବସ୍ଥା ଯାହା ହେବା କଥା, ବିଜେପି ବି ସେହି ସ୍ଥିତି ଦେଇ ଗତି କରୁଛି।
୨୦୧୭ ନିର୍ବାଚନରେ ଦଳ ୨୯୭ ସିଟ୍ ହାସଲ କରିଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଦଳୀୟ ଭୋଟ ନ ଥିଲା। ବିଜେଡିର ଏକ ଶକ୍ତିଶାଳୀ ଅସନ୍ତୁଷ୍ଟ ଗୋଷ୍ଠୀ ବିଜେପିକୁ ଭୋଟ ଦେଇଥିଲେ। ହେଲେ ଏହାପରେ ସେମାନଙ୍କୁ ବାନ୍ଧି ରଖିବାକୁ ଦଳ ଆଦୌ ଚେଷ୍ଟା କଲା ନାହିଁ। ଏପରିକି ତାହାକୁ ଭିତ୍ତିଭୂମି କରି ଦଳ ଭୋଟବ୍ୟାଙ୍କକୁ ବଢ଼ାଇବାକୁ କୌଣସି ଯୋଜନା ପ୍ରସ୍ତୁତ କଲା ନାହିଁ। ଗତ ନିର୍ବାଚନରେ ଦଳର କିଛି ତୁଙ୍ଗ ନେତା ବସି ରଣନୀତି ପ୍ରସ୍ତୁତ କରିଥିଲେ। କିନ୍ତୁ ଏଥର କ’ଣ ହେଲା କେଜାଣି ଷ୍ଟ୍ରାଟେଜି ହେଲାନି କି ବୈଠକ ହେଲାନି। ଏପରି ଅପ୍ରସ୍ତୁତ ହୋଇ ନିର୍ବାଚନକୁ ଗଲେ ପରାଜୟ ହେବନି ତ ଆଉ କ’ଣ ହେବ ବୋଲି କହିଛନ୍ତି ବିଜୟ।
ସେ ଆହୁରି କହିଛନ୍ତି, ଦଳ ପକ୍ଷରୁ ଏଠାରେ ଯାହାକୁ ପ୍ରାର୍ଥୀ କରାଯାଏ, ତାକୁ ହିଁ ହରାଇବାକୁ ଚେଷ୍ଟା କରାଯାଏ। ବିଜେପି ଭିତରେ ଗୋଷ୍ଠୀ କନ୍ଦଳ ବହୁତ, ମାତ୍ର ବାହାରେ ଏହାକୁ ନେଇ ଚର୍ଚ୍ଚା କମ୍। ଜଣଙ୍କ ମତକୁ ସମ୍ମାନ ଦେବା ଓ ଗ୍ରହଣ କରିବା ଏହି ଦଳରେ ନାହିଁ। ଅହଙ୍କାର ମଧ୍ୟରେ ବୁଡ଼ି ରହିଛି ଏହି ଦଳ।
ବିଜେପିର ଅଧିକାଂଶ ନେତାଙ୍କ ଗ୍ରହଣୀୟତା ଲୋକଙ୍କ ପାଖରେ ନାହିଁ। ତେଣୁ ବର୍ତ୍ତମାନ କେବଳ ଆତ୍ମସମୀକ୍ଷା ନୁହେଁ, ଗଭୀର ଅନୁଶୀଳନ ଦରକାର। ଦଳ ଏବେ ଏକ କୋର୍ କମିଟି ଗଠନ କରିଛି, ସେମାନେ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜୟ।
ଦଳ ଏକ ଗ୍ରୁପ୍ କବଜାରେ ଥିବା ଆଲୋଚନା ହେଉଥିବା ବେଳେ ପରାଜୟ ପାଇଁ ତାହା ବି କିଛି ପରିମାଣରେ ଦାୟୀ ବୋଲି କହିଛନ୍ତି ବିଜୟ ମହାପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସାରେ ପୋତି ପକାଉଥିବା ବେଳେ କେନ୍ଦ୍ରୀୟ ନେତା ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ମଧ୍ୟ ପରାଜୟର କାରଣ। ପୌର ନିର୍ବାଚନ ଉପରେ ପଞ୍ଚାୟତ ନିର୍ବାଚନ ରେଜଲ୍ଚର ପ୍ରଭାବ ରହିବ। ପରିବର୍ତ୍ତନ ଦିନେ ନା ଦିନେ ଆସିବ ଓ ଏହାକୁ କେହି ଅସ୍ୱୀକାର କରିପାରିବେନି ବୋଲି କହିଛନ୍ତି ବିଜୟ।
ବିଜେଡିର ନିର୍ବାଚନ ପରିଚାଳନା ଭଲ
ସମଗ୍ର ଦେଶରେ ମୋଦି ମ୍ୟାଜିକ କାମ କରୁଥିବା ବେଳେ ଓଡ଼ିଶାରେ ଏହା ନବୀନଙ୍କ ଭାବମୂର୍ତ୍ତି ଆଗରେ କାହିଁକି ଫିକା ପଡ଼ୁଛି ପ୍ରଶ୍ନର ଉତ୍ତରରେ ବିଜୟ ମହାପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ମୋଦି ଇମ୍ପାକ୍ଟ କାମ ଦିଏନି। ବିଜେଡି କର୍ମୀ ନବୀନଙ୍କ ଭାବମୂର୍ତ୍ତିକୁ ନେଇ ମଇଦାନକୁ ଗଲେ। ସେମାନଙ୍କର ନିର୍ବାଚନ ପରିଚାଳନା ଶୈଳୀ ଭଲ। ବିଜେଡିର ସାଙ୍ଗଠନିକ ଶକ୍ତି ଖୁବ୍ ଭଲ୍ ଥିବା ବେଳେ ବିଜେପିର କୌଣସି କ୍ୟାମ୍ପେନିଂ ନ ଥିଲା। ବିଜେଡି ନବୀନଙ୍କ ଭାବମୂର୍ତ୍ତିକୁ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିର କୌଣସି ପ୍ଲାନିଂ ନ ଥିଲା। ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ପ୍ରାୟ ବର୍ଷେ ପୂର୍ବରୁ କାମ ଆରମ୍ଭ କରିଦେଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ଟଙ୍କା ଦିଆଗଲା। ପୁଣି ଉଭୟ ଉପର ଓ ତଳ ସ୍ତରରେ ଅଫିସରଙ୍କ ଟିମ୍ ସମ୍ପୂର୍ଣ୍ଣ ନିର୍ବାଚନ ପରିଚାଳନା କଲେ। ଏଠି ୩୦% ନେତା ଓ ୭୦% ଅଫିସର ନିର୍ବାଚନ ପରିଚାଳନା କରନ୍ତି। ଏହା ଭଲ ପରମ୍ପରା ନୁହେଁ। ପୂର୍ବରୁ ଏହା ଅନ୍ୟ ରାଜ୍ୟରେ ଚାଲିଥିଲା।
ସୂଚନାଯୋଗ୍ୟ, ଚଳିତ ପଞ୍ଚାୟତ ନିର୍ବାଚନରେ ସମୁଦାୟ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୮୪୫ଟିର ଫଳାଫଳ ଘୋଷଣା କରାଯାଇଛି। ସେଥିମଧ୍ୟରୁ ୭୫୯ରେ ବିଜୟ ଲାଭ କରିଛି ବିଜେଡି। ବିଜେପିକୁ ୪୨ ଆସନ ମିଳିଥିବା ବେଳେ କଂଗ୍ରେସ ୩୭ଟି ଆସନ ହାତେଇଛି। ୩ଟି ଆସନ ସ୍ୱାଧୀନ ପ୍ରାର୍ଥୀଙ୍କୁ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ୪ ଆସନ ଯାଇଛି।
https://youtu.be/B5C9AlsqC9I
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।