ମହାରଥୀ ଓ ଯୁଧିଷ୍ଠିର ହଡ଼ପ କରିଛନ୍ତି ୪୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଜମି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମି ହଡ଼ପ କରି ନିଜ ଫାର୍ମ ହାଉସରେ ମିଶାଇଛନ୍ତି। ଆଉ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ୩୦୦କୋଟି ଟଙ୍କାର ସରକାରୀ ଜମିକୁ ହଡ଼ପ କରିଛନ୍ତି । ଉଭୟ ମହାରଥୀ ଓ ସାମନ୍ତରାୟ ସରକାରୀ ଜମି ଦୁର୍ନୀତିରେ ପରସ୍ପରକୁ ସୁରକ୍ଷା ଦେବା ପାଇଁ ଏବେ ବୁଝାମଣା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର […]

bolangir

Jitendra Garnayak
  • Published: Monday, 25 November 2019
  • , Updated: 25 November 2019, 08:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମି ହଡ଼ପ କରି ନିଜ ଫାର୍ମ ହାଉସରେ ମିଶାଇଛନ୍ତି। ଆଉ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ୩୦୦କୋଟି ଟଙ୍କାର ସରକାରୀ ଜମିକୁ ହଡ଼ପ କରିଛନ୍ତି । ଉଭୟ ମହାରଥୀ ଓ ସାମନ୍ତରାୟ ସରକାରୀ ଜମି ଦୁର୍ନୀତିରେ ପରସ୍ପରକୁ ସୁରକ୍ଷା ଦେବା ପାଇଁ ଏବେ ବୁଝାମଣା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କର କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ ଶ୍ରୀ ମହାରଥୀ ସର୍ବସାଧାରଣ ସମ୍ପତ୍ତି, ଜଳସେଚିତ କେନାଲ ଜମି, ଗୋଚର, ଚକନାଳୀ, ଚକ ରାସ୍ତା, ରିଜର୍ଭ୍ ଜଙ୍ଗଲ, ଅନାବାଦି, ଚକ ରାସ୍ତା ଆଦିକୁ ନିଜ ହୁଙ୍କେଇପୁର ଫାର୍ମ୍ ହାଉସରେ ମିଶାଇ ଜବରଦଖଲ କରି ସର୍ବସାଧାରଣ ଚାଷୀମାନଙ୍କର ଚାଷକାମରେ ଅସୁବିଧା ସୃଷ୍ଟି କରୁଛନ୍ତି। ତାଙ୍କର ହୁଙ୍କେଇପୁର ଫାର୍ମ ହାଉସ୍ ନିକଟବର୍ତ୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍କୁ ତାଙ୍କ ଫାର୍ମ ହାଉସରେ ମିଶାଇ ଦେଇ ଭୋଗ ଦଖଲ କରୁଛନ୍ତି। ଏହା ଓଡ଼ିଶା ଜମି ଜବରଦଖଲ ନିବାରଣ ଆଇନ-୧୯୭୩ ଓ ଓଡ଼ିଶା ଜଙ୍ଗଲ ଜମି ଆଇନ-୧୯୮୦ ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ। ଏହି ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଜିଲ୍ଲାପାଳ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଶହ ଶହ ଏକର ମୂଲ୍ୟବାନ ସରକାରୀ ଓ ସର୍ବସାଧାରଣକୁ ଜମି ହଡ଼ପ କରିବା ବିରୁଦ୍ଧରେ ରାଜ୍ୟ ସରକାର ବି ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ବିଜେପି କହିଛି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀ ମହାରଥୀଙ୍କ ବେଆଇନ ଜମି ଜବରଦଖଲ ବିରୋଧରେ ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ୨୦୧୫ ମସିହାରେ ଓଡ଼ିଶା ହାଇକୋର୍ଟରେ ମୋକଦ୍ଦମା କରିଥିଲେ। ୨୦୧୬ ଫେବୃୟାରୀ ୨୩ ତାରିଖରେ ହାଇକୋର୍ଟ ଆବେଦନକାରୀଙ୍କୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ କରିବା ପାଇଁ ପରାମର୍ଶ ଦେବା ସହ ଦୁଇମାସ ମଧ୍ୟରେ ଜିଲ୍ଲାପାଳ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏସବୁ ଭିତରେ ହଠାତ୍ ଶ୍ରୀ ସାମନ୍ତରାୟ ବିଜେଡି ନେତା ତଥା ବିଧାୟକ ଶ୍ରୀ ମହାରଥୀଙ୍କ ପାଖରେ ଶରଣ ପଶିଥିଲେ। ସରକାରୀ ଜମିକୁ ଉଭୟ ହଡ଼ପ କରିଥିବାରୁ ପରସ୍ପର ଏଭଳି ଗୁପ୍ତ ବୁଝାମଣା କରିଥିବା ବିଜେପି ଅଭିଯୋଗ କରିଛି।

ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି ଯେ, ଚଞ୍ଚକତା କରି ହଡ଼ପ୍ କରାଯାଇଥିବା ଜମିକୁ ଆଇନ୍ ଅନୁସାରେ ଯେକୌଣସି ସମୟରେ ଜିଲ୍ଲାପାଳ ରିଭ୍ୟୁ କରିବା ଏବଂ ସେ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାର ଆଇନଗତ ବ୍ୟବସ୍ଥା ଅଛି । ଫାଇଭ-ଟି କଥା କହୁଥିବା ସରକାର ଏହା ସତ୍ତ୍ୱେ ଚୁପ୍ କାହିଁକି। କୋଟି କୋଟି ଟଙ୍କାର ସର୍ବସାଧାରଣ ଗୋଚର ଜମିକୁ ଜବରଦଖଲମୁକ୍ତ କରିବା ସହ ହଡ଼ପକାରୀ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Related story