ଜନାଦେଶ ନୁହେଁ ଧନାଦେଶ: ସତ୍ୟଭୂଷଣ, ପ୍ରତିଶ୍ରୁତି ରଖନ୍ତୁ ମୁଖ୍ୟମନ୍ତ୍ରୀ: ପୁରୋହିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବା ପରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏହା ଜନାଦେଶ ନୁହେଁ ଧନାଦେଶ ବୋଲି ଅଭିହିତ କରିଛନ୍ତି । ସେହିପରି ଜିତିବାକୁ ନେଇ ଦୃଢ଼ ଆଶାବାଦୀ ଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ଦାବି କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ହଜାରୁ ଅଧିକ […]

Congress

Ordigital Desk
  • Published: Thursday, 08 December 2022
  • , Updated: 08 December 2022, 09:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହେବା ପରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏହା ଜନାଦେଶ ନୁହେଁ ଧନାଦେଶ ବୋଲି ଅଭିହିତ କରିଛନ୍ତି । ସେହିପରି ଜିତିବାକୁ ନେଇ ଦୃଢ଼ ଆଶାବାଦୀ ଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ଦାବି କରିଛନ୍ତି ।

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ହଜାରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହେବାପରେ ନିଜର ଅମାନତ ହରାଇଥିବା କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କହିଛନ୍ତି ଯେ, ଏହା ଜନାଦେଶ ନୁହେଁ । ବରଂ ଏହାକୁ ଧନାଦେଶ କୁହାଯିବ । ବିଜେଡି ଓ ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ ଅଛନ୍ତି ଓ ସେମାନେ ଲୋକଙ୍କୁ ଲୁଟି ରଖିଥିବା ବିପୁଳ ଟଙ୍କାକୁ ଖର୍ଚ୍ଚ କରି ନିର୍ବାଚନ ଜିତୁଛନ୍ତି । ଆଗରୁ ଲୋକମାନେ ପ୍ରାର୍ଥୀ ଓ ତାଙ୍କ କାମକୁ ଦେଖି ଭୋଟ୍ ଦେଉଥିଲେ । ଏବେ କିନ୍ତୁ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ କେତେ ଅର୍ଥ ଖର୍ଚ୍ଚ କରିପାରିବ ତାହା ଦେଖିବାକୁ ମିଳୁଛି । ନିର୍ବାଚନରେ ଯେତିକି ପରିମାଣର ଅର୍ଥ ଖର୍ଚ୍ଚ ହେଉଛି ତାହା କରିବାକୁ କଂଗ୍ରେସ ସକ୍ଷମ ନୁହେଁ । ମୋର ଭଲକାମ ନିର୍ବାଚନରେ ଖର୍ଚ୍ଚ ହୋଇଥିବା ଟଙ୍କା ଆଗରେ ଫିକା ପଡ଼ିଯାଇଥିଲା । ସେମାନେ ଯେତିକି ପୋଷ୍ଟର ଓ ବ୍ୟାନରରେ ଖର୍ଚ୍ଚ କରିଛନ୍ତି ସେତିକି ଅର୍ଥ କଂଗ୍ରେସର ମୋଟ୍ ନିର୍ବାଚନୀ ଖର୍ଚ୍ଚ ନୁହେଁ ବୋଲି ଶ୍ରୀ ସାହୁ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଶ୍ରୀ ସାହୁ ୧୯୮୦, ୧୯୮୫ ଓ ୨୦୦୪ରେ ପଦ୍ମପୁର ବିଧାୟକ ଥିଲେ ଓ ସେ ପୂର୍ବତନ ସରକାରୀ ମୁଖ୍ୟ ସଚେତକ ମଧ୍ୟ ଅଟନ୍ତି ।

ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ଏଠାରେ ମୁଖ୍ୟମନ୍ତ୍ରୀ ଓ ପୁରା ବିଜେଡି ତାଙ୍କ ବିରୁଦ୍ଧରେ ଲଢ଼ୁଥିଲା । ସେ କାହିଁକି ହାରିଲେ ଓ କେଉଁଠି ସମସ୍ୟା ରହିଲା ତା’ର ସମୀକ୍ଷା ନିଶ୍ଚିତ ହେବ । କିନ୍ତୁ ଲୋକଙ୍କ ଜନାଦେଶକୁ ସେ ସମ୍ମାନ ଜଣାଉଛନ୍ତି । ଆଉ ନିର୍ବାଚନ ପାଇଁ ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରନ୍ତୁ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ହେଉ, ଚାଷୀଙ୍କୁ ଇନପୁଟ ସବସିଡି, କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଘୋଷଣା ହୋଇଥିବା ପ୍ୟାକେଜକୁ କାର୍ଯ୍ୟକାରୀ, ବନ୍ଦ ହୋଇଥିବା ୬୦ଟି ସ୍କୁଲକୁ ପୁନଃ ଖୋଲିବା ଆଦି ଯେଉଁ ସବୁ ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ଦେଇଛନ୍ତି ତାକୁ ପାଳନ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ବିଜେଡିର ବର୍ଷା ସିଂ ବରିହାଙ୍କୁ ମୋଟ ୧,୨୦,୮୦୭ଖଣ୍ଡ ଭୋଟ୍ ମିଳିଥିବାବେଳେ ପ୍ରଦୀପ ପୁରୋହିତଙ୍କୁ ୭୮୧୨୮ଖଣ୍ଡ, କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ୩୫୯୪ଖଣ୍ଡ ଭୋଟ୍ ମିଳିଛି । ଆଉ ବର୍ଷା ୪୨୬୭୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

Related story