ହାଇକୋର୍ଟ ବେଞ୍ଚ ଦାବିରେ ପୂର୍ଣ୍ଣଚ୍ଛେଦ: ବିଜେଡି ସରକାର ଓ ରାଜନୀତିକ ଦଳ ଆଶ୍ୱସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦଶନ୍ଧି ଧରି ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ, ବିବାଦ, ରାଜନୀତିକ ଛକାପଞ୍ଝା ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ପରସ୍ପରକୁ ଦୋଷାରୋପ ଆଦିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏପରିକି କଟକରୁ ହାଇକୋର୍ଟ ସ୍ଥାନାନ୍ତର ପାଇଁ ହେଉଥିବା ଦାବି ଉପରେ ମଧ୍ୟ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ବିଭିନ୍ନ ଭାଗରେ ହେଉଥିବା ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଦାବି ସହ ହାଇକୋର୍ଟ ସ୍ଥାନାନ୍ତର […]

bjd,-bjp-and-congress

Ordigital Desk
  • Published: Wednesday, 14 December 2022
  • , Updated: 14 December 2022, 07:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦଶନ୍ଧି ଧରି ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ, ବିବାଦ, ରାଜନୀତିକ ଛକାପଞ୍ଝା ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ପରସ୍ପରକୁ ଦୋଷାରୋପ ଆଦିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏପରିକି କଟକରୁ ହାଇକୋର୍ଟ ସ୍ଥାନାନ୍ତର ପାଇଁ ହେଉଥିବା ଦାବି ଉପରେ ମଧ୍ୟ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ବିଭିନ୍ନ ଭାଗରେ ହେଉଥିବା ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଦାବି ସହ ହାଇକୋର୍ଟ ସ୍ଥାନାନ୍ତର ଦାବି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ନିର୍ବାଚନ ସମୟରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗ ରାଜନୀତିକ ଦଳଗୁଡ଼ିକ ବିଶେଷକରି ଶାସକ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଥିଲା ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲ ଓ ଜଷ୍ଟିସ ଅଭୟ ଏସ୍ ଓକାଙ୍କ ଖଣ୍ଡପୀଠ ଆଜି ହାଇକୋର୍ଟ ବେଂଚ ସ୍ଥାପନ ପ୍ରସଙ୍ଗ ଦାବି ଓ ସମ୍ଭାବନା ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଖଣ୍ଡପୀଠ କଠୋର ଆଭିମୁଖ୍ୟ ପୋଷଣ କରି କହିଛନ୍ତି ଯେ, ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନର ବାରମ୍ବାର ଦାବି ହିଂସା ପାଇଁ ପ୍ରୋତ୍ସାହିତ କରୁଛି । ବର୍ତ୍ତମାନର ଟେକ୍ନୋଲୋଜି ସହାୟତାରେ ଓଡ଼ିଶାର ଯେକୌଣସି ଜିଲ୍ଲା କୋର୍ଟରେ ରହି ଜଣେ ଓଡ଼ିଶା ହାଇକୋର୍ଟରେ କେସ୍ ଫାଇଲ କରିବା ସହ ହାଜର ମଧ୍ୟ ହୋଇପାରିବ।

ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଏଭଳି ଇ-କୋର୍ଟର ଇକୋସିଷ୍ଟମ ମଧ୍ୟ ସୃଷ୍ଟି ହୋଇଛି । ତେଣୁ ସ୍ଥାୟୀ ବେଂଚର ଆବଶ୍ୟକତା ନାହିଁ । ଏହାସହିତ ଖଣ୍ଡପୀଠ ଆଜି ଆବେଦନକାରୀଙ୍କ ଓକିଲ ଅରବିନ୍ଦ ପି ଦତ୍ତାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ପ୍ରତ୍ୟେକ ଜିଲ୍ଲା କୋର୍ଟରେ ଭିଡିଓ କନଫରେନ୍ସିଂ ସୁବିଧା ସହ ଗୋଟିଏ ରୁମ୍ ଓ ଏହାକୁ ଲାଗି ଗୋଟିଏ ଅଫିସ୍ ରହିଲେ ଯେକୌଣସି ମାମଲାରେ ଇ-ଫାଇଲିଂ ସୁବିଧା ମିଳିପାରିବ ତଥା ଆସନ୍ତା ୩ମାସ ମଧ୍ୟରେ ଏହି ସୁବିଧା ପ୍ରତ୍ୟେକ ଜିଲ୍ଲା କୋର୍ଟରେ କରିବା ପାଇଁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଓଡ଼ିଶାର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଓ ହାଇକୋର୍ଟ ସ୍ଥାନାନ୍ତର ପାଇଁ ହୋଇ ଆସୁଥିବା ଦାବି ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କ ଓକିଲ ଶ୍ରୀ ଦତ୍ତାଙ୍କ ଅନୁରୋଧକୁ ସ୍ୱୀକାର କରି ଭବିଷ୍ୟତରେ ହାଇକୋର୍ଟଙ୍କ ନୂଆ ବେଂଚ ସ୍ଥାପନ ଭଳି ଦାବିର କୌଣସି ସମ୍ଭାବନା ନଥିବା ସ୍ପଷ୍ଟ କରିଛନ୍ତି । ଆବେଦନକାରୀଙ୍କ ଓକିଲ ଶ୍ରୀ ଦତ୍ତାର ଆଶଙ୍କା ବ୍ୟକ୍ତ କରି କହିଥିଲେ, ଯେପର୍ଯ୍ୟନ୍ତ ସର୍ବୋଚ୍ଚ କୋର୍ଟ ନିଜର ନ୍ୟାୟିକ ରାୟ ମାଧ୍ୟମରେ ହାଇକୋର୍ଟ ବେଂଚ ସ୍ଥାପନ ଦାବିକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ପୋଷଣ ନକରିବେ, ତା’ହେଲେ ଦିନେନାଦିନେ ଏହି ବେଂଚ ସ୍ଥାପନାର ସମ୍ଭାବନା ରହିବ ବୋଲି ଆନ୍ଦୋଳନରତ ଓକିଲମାନଙ୍କ ମଧ୍ୟରେ ଆଶା ବଂଚିକି ରହିବ । କାରଣ ସମ୍ବଲପୁର ସମେତ ବାଲେଶ୍ୱର, ରାଉରକେଲା, କୋରାପୁଟ ଓ ବଲାଙ୍ଗିର ବାର ଆସୋସିଏସନ୍ ପକ୍ଷରୁ ମଧ୍ୟ ହାଇକୋର୍ଟ ସ୍ଥାୟୀ ସ୍ଥାପନ ପାଇଁ ଦାବି ହେଉଛି ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ଯାହାକୁ ଖଣ୍ଡପୀଠ ସ୍ୱୀକାର କରି ନୂଆ ବେଂଚ ସ୍ଥାପନର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ରାୟ ଦେଇଛନ୍ତି । ଆଉ ଏହା ଏବେ କାର୍ଯ୍ୟକାରିତାର ପ୍ରସଙ୍ଗ ନୁହେଁ ବରଂ ସମ୍ମାନର ପ୍ରସଙ୍ଗ ପାଲଟିଛି । ବେଂଚ କମିଟି ରିପୋର୍ଟ-୧୯୮୧ ର ସୁପାରିଶ ଆଧାରରେ ଏବେ କେଉଁଠି ବି ବେଂଚ ସ୍ଥାପନର ପ୍ରଶ୍ନ ଉଠୁନି ବୋଲି ଖଣ୍ଡପୀଠ କହିଛନ୍ତି ।

କେବଳ ସେତିକି ନୁହେଁ ଖଣ୍ଡପୀଠ କଠୋର ଆଭିମୁଖ୍ୟ ପୋଷଣ କରି ସମ୍ବଲପୁରରେ ବେଂଚ ସ୍ଥାପନ ନହେଲେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯିନି ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜାରି ସଂକଳ୍ପକୁ ମଧ୍ୟ ରୋକଠୋକ୍ ଖାରଜ କରି ଆନ୍ଦୋଳନକୁ ନିଃସର୍ତ୍ତ ପ୍ରତ୍ୟାହାର କରିବାକୁ କ୍ରିୟାନୁଷ୍ଠାନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, କଟକରୁ ଭୁବନେଶ୍ୱରକୁ ହାଇକୋର୍ଟକୁ ସ୍ଥାନାନ୍ତ କରିବା ନିମନ୍ତେ ଭୁବନେଶ୍ୱର ବାର ଆସୋସିଏନ୍ ଦାବି କରୁଛି । ତେଣୁ ସ୍ୱାଭାବିକ ଭାବେ କଟକ ବାର ଆସୋସିଏସନ୍ ଏହାକୁ ବିରୋଧ କରିବ । ହାଇକୋର୍ଟ ସ୍ଥାନାନ୍ତର ଅବା ନୂଆ ବେଂଚ ସ୍ଥାପନ ହେଉଛି ଏକ ଗୁରୁତ୍ୱର ପ୍ରଶାସନିକ ପ୍ରସଙ୍ଗ, ଯାହାକି ଏଭଳି ମନଇଚ୍ଛା ଦାବି ମାଧ୍ୟମରେ ପୂରଣ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ରାଜ୍ୟରେ ଦୀର୍ଘ ଦଶନ୍ଧି ଧରି ବିଭିନ୍ନ ଭାଗରେ ଚାଲିଥିବା ହାଇକୋର୍ଟ ବେଂଚ ସ୍ଥାପନ ଦାବିର ଅନ୍ତ ଘଟାଇଛି । ଆଉ ଏହା ପ୍ରତ୍ୟକ୍ଷ ଭାବେ ରାଜ୍ୟର ପ୍ରମୁଖ ରାଜନୀତିକ ଦଳ ଓ ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ।

ସୂଚନାଯୋଗ୍ୟ, ଆବେଦନକାରୀ ମେସର୍ସ ପିଏଲଆର ପ୍ରୋଜେକ୍ଟସ ପ୍ରାଃ ଲିଃ ବନାମ ମହାନଦୀ କୋଲ ଫିଲଡ୍ ଲିଃର ମାମଲାରେ ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ଦେଇଛନ୍ତି ।

Related story