ଓଡ଼ିଶାର ଦାରିଦ୍ର୍ୟରେ ତଳଆଡ଼ୁ ଏକ ନମ୍ବର: ଅପରାଜିତା, ଜବାବ ରଖିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୧ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ବିକାଶରେ ଏକନମ୍ବର କହୁଥିବାବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଓଡ଼ିଶା ଦାରିଦ୍ର‌୍ୟ ତଳ ଆଡ଼ୁ ନମ୍ବର ୱାନ ବୋଲି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିବା ସହ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ତେବେ ଅପରାଜିତାଙ୍କ ଏଭଳି ତଥ୍ୟଭିତ୍ତିକ ବୟାନ ଉପରେ ବିଜେଡି ଜବାବ ରଖିଛି । ଆଜି ରାଜ୍ୟ […]

Aparajita Sarangi and Shreemayee Mishra

Ordigital Desk
  • Published: Friday, 24 September 2021
  • , Updated: 24 September 2021, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୧ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ବିକାଶରେ ଏକନମ୍ବର କହୁଥିବାବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଓଡ଼ିଶା ଦାରିଦ୍ର‌୍ୟ ତଳ ଆଡ଼ୁ ନମ୍ବର ୱାନ ବୋଲି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିବା ସହ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ତେବେ ଅପରାଜିତାଙ୍କ ଏଭଳି ତଥ୍ୟଭିତ୍ତିକ ବୟାନ ଉପରେ ବିଜେଡି ଜବାବ ରଖିଛି ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଓଡ଼ିଶାର ଦାରିଦ୍ର‌୍ୟ ସ୍ଥିତି ଏବଂ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଆଜି ଚିନ୍ତାର କାରଣ ସାଜିଛି । ରାଜ୍ୟକୁ ବାସ୍ତବରେ ଏକ ନମ୍ବରରେ ପରିଣତ କରିବାକୁ ହେଲେ ସର୍ବପ୍ରଥମେ ଆମେ ଆମ ନିଜର ବାସ୍ତବ ସ୍ଥିତି ସଂପର୍କରେ ଅବଗତ ହେବା ନିହାତି ଜରୁରୀ । ନ୍ୟାସନାଲ ସେଂପଲ ସର୍ଭେ ଅର୍ଗାନାଇଜେସନ ତରଫରୁ କରାଯାଇଥିବା ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତର ହାର ଅନୁଯାୟୀ ଓଡ଼ିଶାର ସ୍ଥାନ ବହୁ ପଛରେ ରହିଛି । ସର୍ଭେ ଅନୁଯାୟୀ ଜାତୀୟ ସ୍ତରରେ ସହାରଂଚଳ ପରିବାରରେ ‘ହାରାହାରି ସମ୍ପତ୍ତି ମୂଲ୍ୟ' ୨୭.୧୨ଲକ୍ଷ ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ଏହା ୧୩.୪୧ଲକ୍ଷ ଟଙ୍କା ଏବଂ ଜାତୀୟ ସ୍ତରରେ ଗ୍ରାମାଂଚଳ ପରିବାରରେ ‘ହାରାହାରି ସମ୍ପତ୍ତି ମୂଲ୍ୟ' ୧୫.୯୨ ଲକ୍ଷ ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ଏହା ମାତ୍ର ୫.୩୨ ଲକ୍ଷ ଟଙ୍କା ଅଛି । ଓଡ଼ିଶାର ଚାଷୀ ପରିବାରର ‘ହାରାହାରି ସମ୍ପତ୍ତି ମୂଲ୍ୟ' ମାତ୍ର ୬.୨୧ ଲକ୍ଷ ଟଙ୍କା ଅଟେ । ଏହି ପରିମାଣ ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ, ଆସାମ, ଝାଡଖଣ୍ଡଠୁ ମଧ୍ୟ ବହୁ ପଛରେ ଅଛି । ଏହା ଅତ୍ୟନ୍ତ ଲଜ୍ଜାଜନକ । ହିସାବ କଲେ ଓଡ଼ିଶାର ପ୍ରତ୍ୟେକ ଚାଷୀଙ୍କ ଦିନକୁ ଆୟ ମାତ୍ର ୧୭୦ ଟଙ୍କା । ସର୍ବଭାରତୀୟ ସ୍ତରରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି । ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପୂର୍ଣ୍ଣ ଫେଲ ହୋଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ଗ୍ରାମାଂଚଳର ୪୦ ପ୍ରତିଶତ ପରିବାର ଋଣଗ୍ରସ୍ତ । ଲୋକଙ୍କ ଋଣ ଓ ସମ୍ପତ୍ତି ଭିତରେ ତାରତମ୍ୟ ୫.୫ ପ୍ରତିଶତ । ଚାଷୀଙ୍କ ଅବସ୍ଥା ମଧ୍ୟ ତଳକୁ ଯାଉଛି ଓ ଓଡ଼ିଶା ୩୬ତମ ସ୍ଥାନରେ ରହିଛି । ୨୦୧୯-୨୦ରେ ଜାତୀୟସ୍ତରରେ ଦାରିଦ୍ର‌୍ୟ ସୀମାରେଖା ତଳେ ୨୨ ପ୍ରତିଶତ ରହିଥିଲେ । ଓଡ଼ିଶାରେ ଏହା ୩୩.୫୯ ପ୍ରତିଶତ । ସରକାର ଠିକ୍ ଭାବେ ପଦକ୍ଷେପ ନେଇଥିଲେ ରାଜ୍ୟର ସ୍ଥିତି ଏମିତି ହୋଇନଥାନ୍ତା ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ । ନାରୀ ନିର୍ଯାତନାରେ ସର୍ବଭାରତୀୟ ସ୍ତରରେ ତଳଆଡୁ ଦ୍ୱିତୀୟ ସ୍ଥାନରେ ରହି ଓଡ଼ିଶା ଆଜି ରେକର୍ଡ କରିଛି । ଯୈାତୁକଜନିତ ହତ୍ୟା, ଧର୍ଷଣ, ବ୍ଲାକମେଲ, ନାବାଳିକା ଅତ୍ୟାଚାର ଆଦି ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି । କରୋନା ଲକ୍‌ଡାଉନ୍ ସମୟରେ ସମଗ୍ର ଦେଶରେ ମହିଳା ନିର୍ଯାତନା ଓ ହିଂସା ହ୍ରାସ ପାଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାର ଜବାବ ରଖି କହିଛନ୍ତି ଯେ, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବୋଧହୁଏ ନିଜକୁ ଏବେବି ରାଜନେତା ନୁହେଁ ପ୍ରଶାସକ ବୋଲି ଭାବୁଛନ୍ତି । ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ପ୍ରସଙ୍ଗ ନପାଇ ସେ ଗଣମାଧ୍ୟମରେ ରାଜନୀତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବାକୁ ରିପୋର୍ଟକୁ ଭୁଲ୍ ବାଖ୍ୟା କରୁଛନ୍ତି ଓ ପକ୍ଷପାତପୂର୍ଣ୍ଣ ମତ ଦେଉଛନ୍ତି । ସେ ବୋଧହୁଏ ଜାଣନ୍ତି ନାହିଁ ଯେ, ଦ୍ରାରିଦ୍ର‌୍ୟ ସୀମାରେଖାରୁ ୨୪ ପ୍ରତିଶତ ଅର୍ଥାତ ୮୦ଲକ୍ଷ ଲୋକଙ୍କୁ ବାହାରକୁ ଆଣି ଓଡ଼ିଶା ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ନୀତି ଆୟୋଗଙ୍କ ଦ୍ୱାରା ପ୍ରଂଶସିତ ହୋଇଛନ୍ତି । ତେଣୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଶସ୍ତା ରାଜନୀତି କରିବା ପାଇଁ ରିପୋର୍ଟକୁ ଭୁଲ୍ ବ୍ୟାଖ୍ୟା ଓ ପକ୍ଷପାତପୂର୍ଣ୍ଣ ମତ ଦେଇ ଓଡ଼ିଶାର ବଦନାମ ତଥା ଓଡ଼ିଶାକୁ ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବରଂ ଭୁବେନଶ୍ୱର ସାଂସଦ ଭାବେ ତାଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଠାରେ ସେ ସାଧାରଣତଃ ନିଖୋଜ ରହିଥାନ୍ତି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

Related story