ରାଜ୍ୟ ଉପରେ ୠଣବୋଝ ୯୬୩୧୦ କୋଟି ଟଙ୍କା, ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୨୬୦୪୯ଟଙ୍କା

ରାଜ୍ୟ ସରକାରଙ୍କ ବଜେଟ୍ ପୁସ୍ତିକା ଅନୁସାରେ, ୨୦୨୪ ମାର୍ଚ୍ଚ ୩୧ତାରିଖ ଶେଷ ସୁଦ୍ଧା ରାଜ୍ୟ ଉପରେ ମୋଟ ଋଣବୋଝ ୯୬୩୧୦.୪୫କୋଟି ଟଙ୍କା ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Thursday, 25 July 2024
  • , Updated: 25 July 2024, 10:40 PM IST

ରାଜ୍ୟର ପ୍ରଥମ ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବା ସହ ରାଜ୍ୟବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ ପାଇଁ ପ୍ରୟାସ କରିଛନ୍ତି । ସବୁବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ସହ ବିକଶିତ ଓଡ଼ିଶା ନିମନ୍ତେ ୨.୬୫ଲକ୍ଷ କୋଟି ଟଙ୍କାର  ସମତୁଲ ବଜେଟକୁ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି । ତେବେ ୨୦୨୪ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟ ଉପରେ ୯୬୩୧୦.୪୫କୋଟି ଟଙ୍କାର ଋଣବୋଝ ଥିବାବେଳେ ମୋହନ ମାଝୀଙ୍କ ସରକାର ଚଳିତ ବଜେଟରେ ଆଉ ୪୩୪୯୫ କୋଟି ଟଙ୍କା (୧୬.୦୪%)ର ଋଣ ଆଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏପଟେ ରାଜ୍ୟର ହାରାହାରି ୪.୬୪କୋଟି ଲୋକଙ୍କ ଉପରେ ମୁଣ୍ଡପିଛା ୨୬୦୪୯ଟଙ୍କା ଋଣ ରହିଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ବଜେଟ୍ ପୁସ୍ତିକା ଅନୁସାରେ, ୨୦୨୪ ମାର୍ଚ୍ଚ ୩୧ତାରିଖ ଶେଷ ସୁଦ୍ଧା ରାଜ୍ୟ ଉପରେ ମୋଟ ଋଣବୋଝ ୯୬୩୧୦.୪୫କୋଟି ଟଙ୍କା ରହିଛି । ଯାହାକି ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସଡିପି)ର ୧୧.୫୬% । ସେହିପରି ଏହି ଅବଧି ମଧ୍ୟରେ ରାଜ୍ୟର ପ୍ରାୟ ୪.୬୪କୋଟି ଲୋକଙ୍କ ଉପରେ ମୁଣ୍ଡପିଛା ହାରାହାରି ୨୬୦୪୯ଟଙ୍କା ଋଣ ରହିଛି । ଅବଶ୍ୟ ଏହି ଅବଧି ମଧ୍ୟରେ ଜାତୀୟସ୍ତରରେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡପିଛା ଋଣବୋଝ ପରିମାଣ ୫୯୭୦୭ଟଙ୍କା ରହିଥିବା ଜଣାପଡ଼ିଛି । ଆଉ ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ଋଣବୋଝ ରାଜ୍ୟ ଜିଡିପିର ୧୩.୫୬% (୧୨୫୫୫୦ କୋଟି ଟଙ୍କା) ରହିବ ଓ ମୁଣ୍ଡପିଛା ରୁଣ ୨୬୬୫୬ ଟଙ୍କା ରହିବ ବୋଲି ଆକଳନ ହୋଇଛି। ତେଣୁ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଏଫଆରବିଏମ୍ ଆକ୍ଟକୁ ପରିପାଳନ କରୁଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ରାଜ୍ୟ ଉପରେ ଥିବା ମୋଟ୍ ଋଣରେ ୨୧୮୦୮କୋଟି ଟଙ୍କା ଭାରତ ସରକାରଙ୍କଠୁ, ୧୬୪୦୧.୩୨କୋଟି ଟଙ୍କା ଖୋଲା ବଜାରରୁ ଓ କାମ୍ପା-ଓଏମପିଏଡିସି ପାଣ୍ଠିରୁ ୧୦୫୨୪.୯୨ କୋଟି ଟଙ୍କା ଋଣ ଆଣିଥିବା ଜଣାପଡ଼ିଛି। ତେବେ ରାଜ୍ୟ ଉପରେ ଥିବା ଏହି ଋଣ ପରିମାଣ ଏଫଆରବିଏମ୍ ଆକ୍ଟ-୨୦୦୫ର ପ୍ରାବଧାନ ଓ ପଂଚଦଶ ଅର୍ଥ କମିଶନଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୨୫% ମଧ୍ୟରେ ସୀମିତ ରହିଛି। 

ସେହିପରି ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ହାରାହାରି ୬.୭% ହାରରେ ଅଭିବୃଦ୍ଧି କରିଛି । ଯାହାକି ସମଗ୍ର ଦେଶରେ ଦ୍ରୁତଗତିରେ ଅଭିବୃଦ୍ଧି କରୁଥିବା ପ୍ରମୁଖ ରାଜ୍ୟ ଅର୍ଥନୀତି ମଧ୍ୟରେ ରହିଛି । ତେବେ ଚଳିତ ବଜେଟରେ ରାଜ୍ୟ ସରକାର ଆର୍ଥିକ ଅଭିବୃଦ୍ଧି ହାର ୮.୫% ରହିବ ବୋଲି ଅଗ୍ରୀମ ଆକଳନ କରିଛନ୍ତି। ଯାହାକି ଗତ ଆର୍ଥିକ ବର୍ଷରେ ୭.୯% ଥିଲା।

ମୋହନ ମାଝୀଙ୍କ ସରକାର ଚଳିତ ଆର୍ଥିକ ବର୍ଷରେ ୨.୬୫ ଲକ୍ଷ କୋଟି ଟଙ୍କାର ବିଶାଳ ବଜେଟ୍ ଉପସ୍ଥାପିତ କରିଥିଲେ ମଧ୍ୟ ତାହା ରାଜସ୍ୱ ବଳକା ବଜେଟ୍ ହେବ ବୋଲି ଆକଳନ ହୋଇଛି । ଏହି ବଜେଟରେ ରାଜସ୍ୱ ବଳକା ଜିଏସଡିପିର ୨.୯୬% ଥିବା ଆକଳନ କରାଯାଇଛି । କିନ୍ତୁ ବିତ୍ତୀୟ ନିଅଂଟ ପରିମାଣ ଜିଏସଡିପିର ୩.୫% ରହିବ।

କେବଳ ସେତିକି ନୁହେଁ ବଜେଟରେ ମୋହନ ସରକାର ୨୦୨୯-୩୦ ସୁଦ୍ଧା ନିଜର ବଜେଟ୍ ପରିମାଣକୁ ୪.୫୦ଲକ୍ଷ କୋଟି ଟଙ୍କାରେ ପହଂଚିବ ବୋଲି ଲକ୍ଷ୍ୟ ରଖିଛନ୍ତି । ଯାହାକି ଗତ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ପ୍ରାୟ ୨ଗୁଣ । ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟରେ ୭୫ହଜାର କିମି ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯିବା ସହ ୨୦୨୯ ମସିହା ସୁଦ୍ଧା ‘ଉତ୍କର୍ଷ ଉତ୍କଳ’ ମାଧ୍ୟମରେ ଓଡ଼ିଶାକୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଓ ୨ବିଲିୟନ ଡଲାର ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାସହିତ ବିଜେଡି ସରକାରଙ୍କ ‘ଇନଭେଷ୍ଟ ଓଡ଼ିଶା’ର ନାଁକୁ ବଦଳାଇ ‘ଉତ୍କର୍ଷ ଉତ୍କଳ’ ରଖିବାକୁ ମୋହନ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Related story