ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇଲେ ପାଣ୍ଡିଆନ, ରାଜନୀତିରୁ ସନ୍ନ୍ୟାସ ନେଇଗଲେ କି ?

ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ନିଜକୁ ଉଲ୍ଲେଖ କରିଥିଲେ । କିନ୍ତୁ ଆଜି ସେଥିରେ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି ।

ବିଜେଡି ନେତା ଭି.କେ ପାଣ୍ଡିଆନ୍‌

  • Published: Wednesday, 05 June 2024
  • , Updated: 05 June 2024, 09:32 PM IST

ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡିର ଦୁର୍ଗକୁ ଧୂଳିସାତ୍ କରି ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି । ବିଜେଡିର ଏଭଳି ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସାଧାରଣରେ ଦାୟୀ କରାଯାଉଛି । ତେବେ ଗତ ଦୁଇଦିନ ଧରି ସେ ନିଖୋଜ ଥିବାବେଳେ ଆଜି ପାଣ୍ଡିଆନ ନିଜର ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି । ଆଜି ବିଜେଡି ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ପାଣ୍ଡିଆନଙ୍କ ଅନୁପସ୍ଥିତି ଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ପରୋକ୍ଷରେ ସେ ରାଜନୀତିରୁ ସନ୍ୟାସ ନେଇଥିବାର ସନ୍ଦେଶ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ନିଜକୁ ଉଲ୍ଲେଖ କରିଥିଲେ । କିନ୍ତୁ ଆଜି ସେଥିରେ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି । ଏହାସହିତ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ’ ସରକାରୀ ୱେବସାଇଟକୁ ପ୍ରୋଫଇଲରେ ରଖିଛନ୍ତି ।

ତେବେ ପାଣ୍ଡିଆନ ଅଚାନକ ନିଜ ପ୍ରୋଫାଇଲରୁ ‘ବିଜେଡି’ ଶବ୍ଦକୁ ବାଦ୍ ଦେଇ କେବଳ ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଉଲ୍ଲେଖ କରିବାକୁ ନେଇ ସାଧାରଣରେ ନାନାଦି ଚର୍ଚ୍ଚା ଜୋର ଧରିଛି । ନବୀନ ଜୁନ୍ ୯ତାରିଖରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ପାଣ୍ଡିଆନ ନିର୍ବାଚନୀ ପ୍ରଚାରବେଳେ ଘୋଷଣା କରିଥିଲେ । ଆଜି ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ସମ୍ଭବତଃ ପାଣ୍ଡିଆନ ନିଜର କଥାକୁ ରଖି ‘ବିଜେଡି’ ରାଜନୀତିଠୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି ।

ମାତ୍ର ପାଣ୍ଡିଆନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରୋଫାଇଲରେ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ’ର ୱେବସସାଇଟକୁ ଟ୍ୟାଗ୍ କରି ଏବେବି ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ଜଡ଼ିତ ଥିବାର ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ନବୀନଙ୍କ ଆତ୍ମଘୋଷିତ ଉତ୍ତରାଧିକାରୀ ଭାବେ ପାଣ୍ଡିଆନ ଚଳିତ ସାଧାରଣ ନିର୍ବାଚନରେ ଏକାକୀ ୧୪୭ଟି ବିଧାନସଭାରେ ରୋଡ୍ ଶୋ’ ଓ ସାଧାରଣ ସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଏପରିକି ଦଳର ୪୦ଜଣିଆ ଷ୍ଟାର ପ୍ରଚାରକ ଥିବାସତ୍ତ୍ୱେ ସେ କାହାରିକୁ ସାଙ୍ଗରେ ନନେଇ ନିର୍ବାଚନୀ ପ୍ରଚାର କରୁଥିଲେ । ନବୀନ ମାତ୍ର ୧୪ଦିନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ପାଣ୍ଡିଆନଙ୍କ ଏଭଳି ପ୍ରଚାରକୁ ଓଡ଼ିଶା ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ । ଆଉ ପାଣ୍ଡିଆନଙ୍କ ଅଫିସର ଟିମ ଦ୍ୱାରା ବିଜେଡି ପ୍ରାର୍ଥୀଚୟନରେ ବ୍ୟାପକ ଅନିୟମିତତା ଓ ସର୍ଭେ ରିପୋର୍ଟ ଆଳରେ ଭୋଟରଙ୍କ ମୁଡକୁ ନେଇ ତ୍ରୁଟିପୂର୍ଣ୍ଣ ତଥ୍ୟ ମଧ୍ୟ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ୨୪ବର୍ଷର ଶାସନର ଅନ୍ତ ଘଟିଛି ।

Related story