କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ: ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ଟ୍ରେନ ଚଳପ୍ରଚଳ କରିବାକୁ ନେଇ ଆଜି ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ଉଠାଇଥିବା ବେଳେ ବିଜେପି ଏହା କେବଳ ନାଁ ବା ଶ୍ରେୟ ନେବାକୁ ଉଦ୍ୟମ ବୋଲି କହିଛି । ଯେହେତୁ ଆଗାମୀ ଦିନରେ ଯାତ୍ରୀବାହୀ ଟ୍ରେନ ଚାଲିବ, ଏବେ ଖାଲି ଦାବି କରି ନାଁ ନେବାକୁ ବିଜେଡି ଚାହୁଁଛି ବୋଲି […]

bjd-and-bjp

Ordigital Desk
  • Published: Monday, 19 December 2022
  • , Updated: 19 December 2022, 10:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ଟ୍ରେନ ଚଳପ୍ରଚଳ କରିବାକୁ ନେଇ ଆଜି ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ଉଠାଇଥିବା ବେଳେ ବିଜେପି ଏହା କେବଳ ନାଁ ବା ଶ୍ରେୟ ନେବାକୁ ଉଦ୍ୟମ ବୋଲି କହିଛି । ଯେହେତୁ ଆଗାମୀ ଦିନରେ ଯାତ୍ରୀବାହୀ ଟ୍ରେନ ଚାଲିବ, ଏବେ ଖାଲି ଦାବି କରି ନାଁ ନେବାକୁ ବିଜେଡି ଚାହୁଁଛି ବୋଲି ବିଜେପି କହିଛି । କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଜିଲ୍ଲାର ୪ଜଣ ବିଜେଡି ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିବା ପରେ ବିଜେପି ପକ୍ଷରୁ ଏଭଳି ଜବାବ ଦିଆଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ୪ଜଣ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଶଶୀଭୂଷଣ ବେହେରା, ଧ୍ରୁବ ସାହୁ ଓ ସାବିତ୍ରୀ ଅଗ୍ରୱାଲ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ାକୁ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି କରିଛନ୍ତି । ହରିଦାସପୁର-ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ପରୀକ୍ଷାମୂଳକ ଚଳାଚଳ ସରିଛି । ବିନା ମୂଲ୍ୟରେ ରାଜ୍ୟ ସରକାର ଜମି ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି । ପୂର୍ବତଟ ରେଳବାଇ ମଧ୍ୟ ଏନଓସି ପ୍ରଦାନ କରିସାରିଛି । ରେଳ କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଆଲୋଚନା କରିସାରିଛନ୍ତି । ଏହା ସତ୍ତ୍ୱେ ପାସେଞ୍ଜର ଟ୍ରେନ ଚଳାଚଳରେ ବିଳମ୍ବ ହେବା ପରିତାପର ବିଷୟ ବୋଲି ବିଜେଡି ବିଧାୟକମାନେ ଅଭିଯୋଗ କରିଛନ୍ତି । ନିରାପଦ ଯାତ୍ରା ପାଇଁ ପାସେଞ୍ଜର ଟ୍ରେନ ଚଳାଚଳ ଆବଶ୍ୟକ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଓ ବିଜେଡି ନେତୃତ୍ୱରେ ସାଧାରଣ ଲୋକ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ବିଜେଡି ବିଧାୟକମାନେ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଳିକ ବିଜେଡି ବିଧାୟକମାନଙ୍କ ଏଭଳି ଦାବି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତିବର୍ଷ ଓଡ଼ିଶାର ରେଳବାଇ ପାଇଁ ଆବଶ୍ୟକତାଠୁ ଅଧିକ ଅନୁଦାନ ମୋଦି ସରକାର ଦେଉଛନ୍ତି । ଗତ ବଜେଟରେ ୧୦ହଜାର କୋଟି ଟଙ୍କା ଓଡ଼ିଶାକୁ ରେଳ ଅନୁଦାନ ମିଳିଛି । ଜମି ଅଧିଗ୍ରହଣ ହୋଇନଥିବାରୁ ରାଜ୍ୟରେ ରେଳ ପ୍ରକଳ୍ପ କାର୍ଯ୍ୟ ମନ୍ଥର ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଦି ସରକାର ଅମଳରେ ହିଁ ରେଳ କାମ ଆରମ୍ଭ ଓ ଶେଷ ହୋଇଛି । କୋଭିଡ୍ ପରିସ୍ଥିତି ଯୋଗୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା । ଆଗାମୀ ଦିନରେ କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ ଯେମିତି ହେଲେ ଚଳପ୍ରଚଳ କରିବ । ଯେହେତୁ ଟ୍ରେନ ଚାଲିବ, ଏବେ ଖାଲି ଦାବି କରି ନାଁ ନେବାକୁ ବିଜେଡି ଚାହୁଁଛି ବୋଲି ବିଜେପି କହିଛି ।

Related story