ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶ ଏବେ ଲକଡାଉନ୍। ମଣିଷ ଏବେ ଘରେ ବନ୍ଦୀ ହୋଇ ପକ୍ଷୀଙ୍କ ପରି ପଞ୍ଜୁରୀ ଭିତରେ ରହିଛି। ହେଲେ ଏହି ସମୟରେ ମୁକ୍ତାକାଶରେ ବଢ଼ିଛି ପକ୍ଷୀଙ୍କ ସଂଖ୍ୟା। ହୁଏତ ଏହି ଲକଡାଉନ୍ ଦେଶର ଅର୍ଥନୀତି ପାଇଁ ଖରାପ। ଯେଉଁଥିପାଇଁ ଆଗକୁ ମଣିଷ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଯାଉଛି। ହେଲେ ପକ୍ଷୀମାନଙ୍କ ପାଇଁ ଏହି ଲକଡାଉନ୍ ବହୁତ ଭଲ ସାବ୍ୟସ୍ତ ହୋଇଛି।
ଲକଡାଉନ୍ ପ୍ରଭାବରେ ବାୟୁମଣ୍ଡଳର ଗୁଣବତ୍ତା ଏବଂ ଶବ୍ଦ ପ୍ରଦୂଷଣ କମିଛି। ଯାହାର ଅନୁକୂଳ ପ୍ରଭାବ ପରୋକ୍ଷରେ ପକ୍ଷୀଙ୍କ ଉପରେ ପଡ଼ିଛି। ତେଣୁ ଆକାଶରେ ପକ୍ଷୀ ଏବଂ ପ୍ରଜାପତିଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଅଧିକ ରହିଥିବା ଜଣାପଡ଼ିଛି।
ଲକଡାଉନ୍ ପାଇଁ ପକ୍ଷୀମାନେ ଅଧିକ ନିରାପଦ ରହିବା ସହିତ ପ୍ରଜନନ କ୍ଷମତା ବଢ଼ାଇ ପାରିଛନ୍ତି। ତେଣୁ ପକ୍ଷୀଙ୍କ ସଂଖ୍ୟା ପୂର୍ବ ତୁଳନାରେ ଅଧିକ ବଢ଼ିଛି ବୋଲି ବନ୍ୟଜନ୍ତୁ ଜୀବବିଜ୍ଞାନୀ ଫୟାଜ ଖୁଡସର କହିଛନ୍ତି। ଯମୁନା ବାୟୋଡାଇଭର୍ସିଟି ପାର୍କର ଇନ ଚାର୍ଜ ଅଛନ୍ତି ଏହି ଜୀବ ବିଜ୍ଞାନୀ। ପକ୍ଷୀମାନଙ୍କ ଉପରେ ଗବେଷଣା କରୁଥିବା ହାତ ଗଣତି କିଛି ଗବେଷକଙ୍କ ମଧ୍ୟରେ ଫୟାଜ ଅନ୍ୟତମ।
କଳ କାରଖାନା ଗୁଡ଼ିକର ଯନ୍ତ୍ରପାତି ଶବ୍ଦ, ଗାଡ଼ି ମୋଟରର ହର୍ଣ୍ଣ, ଇଞ୍ଜିନର ଶବ୍ଦ ବହୁତ କମିଥିବାରୁ ସକାଳ ଓ ସନ୍ଧ୍ୟାରେ ପକ୍ଷୀମାନଙ୍କର କିଚିରି ମିଚିର ଶବ୍ଦ ଅଧିକ ଶୁଣାଯାଉଛି। ଶବ୍ଦ ପ୍ରଦୂଷଣ କମିବା ଦ୍ୱାରା ପକ୍ଷୀମାନେ ନିରାପଦ ଭାବରେ ପ୍ରଜନନ କ୍ଷମତା ବଢ଼ାଇ ପାରନ୍ତି। ଏଥିସହ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିପାରନ୍ତି। ଯାହାକି ଲକଡାଉନ୍ ପାଇଁ ସଫଳ ହୋଇଛି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।