ଗୋପାଳ ଦାସ ପାଗଳ ନୁହେଁ!

କ୍ରାଇମ ବ୍ରାଞ୍ଚ ଗୋପାଳକୁ ମାନସିକ ରୋଗୀ ଭାବେ ଜନମାନସରେ ଚିତ୍ରିତ କରିବାକୁ ମଧ୍ୟ କମ୍‌ ଉଦ୍ୟମ ଚଳାଇନାହିଁ।

Gopal Das PhotoOR

ନବ ଦାସଙ୍କୁ ଗୋପାଳ ଦାସ ଗୁଳି କରିବା ସମୟର ଫଟୋ

Debendra Prusty
  • Published: Tuesday, 21 February 2023
  • Updated: 21 February 2023, 06:54 PM IST

Sports

Latest News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ସହଯୋଗୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ତିନି ସପ୍ତାହ ବିତିଗଲାଣି। ହତ୍ୟାକାରୀ ପୁଲିସ ଏଏସଆଇ ଗୋପାଳ ଦାସ ପୁଲିସ କବ୍‌ଜାରେ। କିନ୍ତୁ ହତ୍ୟାର ଉଦ୍ଦେଶ୍ୟ ଏଯାଏଁ ଖୋଜି ପାଇନାହିଁ କ୍ରାଇମ ବ୍ରାଞ୍ଚ। ତେବେ ଜାନୁଆରୀ ୨୯ ତାରିଖରୁ ଫେବୃଆରୀ ୨୧ ତାରିଖ ମଧ୍ୟରେ ନବ ଦାସ ହତ୍ୟାକାଣ୍ଡ ନେଇ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଚାଲିଛି କ୍ରାଇମ ବ୍ରାଞ୍ଚ। ତାହା ହେଲା ଗୋପାଳ ଦାସ ହତ୍ୟାକାରୀ ଓ ଗୋପାଳ ଦାସ ମାନସିକ ରୋଗୀ।

କୋର୍ଟରେ କ୍ରାଇମ ବ୍ରାଞ୍ଚ କେତେ ପ୍ରକାର ସାକ୍ଷୀ ଓ ପ୍ରମାଣ ଦାଖଲ କରିବ ଅଲଗା କଥା, ମାତ୍ର ଗୋପାଳ ଦାସ ହତ୍ୟାକାରୀ ବୋଲି ଜନ ସାଧାରଣରେ ଦୃଢ଼ ଧାରଣା ଜନ୍ମାଇବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ଗଣମାଧ୍ୟମ ଜରିଆରେ ଏକାଧିକ ଫଟୋ ଓ ଭିଜୁଆଲ ପ୍ରକାଶ କରାଗଲାଣି। ଗୋପାଳ ନବ ଦାସଙ୍କ କାର୍‌ ନିକଟକୁ ଯାଉଥିବା ସମୟର ଆଗ ଓ ପଛ ପଟ ଭିଡ଼ିଓ ଚିତ୍ର ବା ଭିଜୁଆଲ ସହିତ କେତେକ ଫଟୋ ମଧ୍ୟ ପୁଲିସ ସୌଜନ୍ୟରୁ ଭାଇରାଲ ହେଉଛି। ଏସବୁ ଦେଖିଲା ପରେ କେହି ଅବିଶ୍ୱାସ କରିବେ ନାହିଁ ଗୋପାଳ ହତ୍ୟା କରିନାହିଁ ବୋଲି।

ତେବେ କ୍ରାଇମ ବ୍ରାଞ୍ଚ ଗୋପାଳକୁ ମାନସିକ ରୋଗୀ ଭାବେ ଜନମାନସରେ ଚିତ୍ରିତ କରିବାକୁ ମଧ୍ୟ କମ୍‌ ଉଦ୍ୟମ ଚଳାଇନାହିଁ। ଯେଉଁ ଦିନ ହତ୍ୟା ହେଲା ସେହି ଦିନ ତୁରନ୍ତ ପ୍ରଥମେ ଶାସକ ଦଳ ସମର୍ଥିତ କେତେକ ଟିଭି ଚାନେଲରେ ଗୋପାଳର ପତ୍ନୀ ଓ ଜଣେ ଡାକ୍ତରଙ୍କ ମତାମତ ପ୍ରସାରିତ ହେଲା। ଅନ୍ୟ ଟିଭିମାନେ ବି ତାହା ଦର୍ଶାଇଲେ। ଗୋପାଳଙ୍କ ପତ୍ନୀ ତାଙ୍କର ମାନସିକ ରୋଗ ଥିବା ଓ ସେଥିପାଇଁ ଡାକ୍ତର ପରାମର୍ଶ କରିଥିବା କଥା କହିଲେ। ଜଣେ ଡାକ୍ତର ମଧ୍ୟ ଗୋପାଳ ତାଙ୍କ ପାଖକୁ ମାନସିକ ରୋଗର ଚିକିତ୍ସା ପାଇଁ ଆସିଥିବା କଥା କହିଲେ।

ଏହା ପରଠାରୁ ଗୋପାଳ ମାନସିକ ସ୍ତରରେ ସୁସ୍ଥ କି ଅସୁସ୍ଥ ତାହା ପ୍ରମାଣିତ କରିବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ନିଷ୍ଠାର ସହିତ ଉଦ୍ୟମ ଅବ୍ୟାହତ ରହିଛି। ୨୦୨୩ ଫେବୃଆରୀ ୨୦ ତାରିଖରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଗୋପାଳର ମାନସିକ ରୋଗ ସଂପର୍କରେ ଅନୁଧ୍ୟାନ କରିବାକୁ ୪ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ଼ ଗଠନ କରାଯାଇଥିଲା। ସେହି ବୋର୍ଡ଼ ଗୋପାଳଙ୍କୁ ନାନାଦି ପ୍ରଶ୍ନ ପଚାରିଲା ପରେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇନଥିଲେ। ଅର୍ଥାତ ଗୋପାଳର ମାନସିକ ଅସୁସ୍ଥି ବା ବାଇପୋଲାର ଡିଜର୍ଡର ଅଛି କି ନାହିଁ ସେମାନେ କୌଣସି ପ୍ରମାଣ ପାଇଲେ ନାହିଁ। ତେଣୁ ସେମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହେଲେ ନାହିଁ।

ଏହି କାରଣରୁ ବେଙ୍ଗାଲୁରୁ ସ୍ଥିତି ନିମ୍‌ହାନ୍ସରେ ଗୋପାଳ ର ସାଇକୋପାଥି ଓ ସାଇକୋମେଟ୍ରିକ ଅନୁଧ୍ୟାନ ପାଇଁ ଅନୁମତି ଦେବାକୁ କ୍ରାଇମ ବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲେ। ମାତ୍ର କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଲେ। ଏବେ କ୍ରାଇମ ବ୍ରାଞ୍ଚ ଉପର କୋର୍ଟକୁ ଯିବାକୁ ବିଚାର କରୁଛି।

Also Read

ଏହି ଉଦ୍ୟମ ଜାରି ରହିଲେ ଓ ଗୋପାଳ ବାଇପୋଲାର ଡିଜର୍ଡର ରୋଗୀ ସାବ୍ୟସ୍ତ ହେଲେ ତା’କୁ ଅପରାଧୀ ଘୋଷଣା କରାଯିବ ନାହିଁ। କାରଣ ଭାରତୀୟ ପିଙ୍ଗଳ କୋଡ଼ର ୮୪ ଧାରା ଅନୁଯାୟୀ ଅନ୍‌ସାଉଣ୍ଡ ମାଇଣ୍ଡ ବା ଅସୁସ୍ଥ ମସିଷ୍କରେ ଜଣେ ଯାହା କରେ ତାହା ଅପରାଧ ନୁହେଁ। ଏହାର ଅର୍ଥ ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିଲେ ବି ସେ କୋର୍ଟରେ ଦଣ୍ଡିତ ହେବ ନାହିଁ। କ୍ରାଇମ ବ୍ରାଞ୍ଚ ଏଇଆ ଚାହୁଁଛି କି?

ଆଉ ଯଦି ଗୋପାଳ ର ବାଇପୋଲାର ଡିଜର୍ଡର ରୋଗ ବେପ୍ରମାଣିତ ହୁଏ ତେବେ ସେ ସୁସ୍ଥ ମସ୍ତିଷ୍କରେ ନବ ଦାସଙ୍କୁ ହତ୍ୟା କରିଛି ବୋଲି ଗ୍ରହଣ କରିବାକୁ ହେବ। ଯଦି ଗୋପାଳ ସୁସ୍ଥ ମସ୍ତିଷ୍କରେ ହତ୍ୟା କରିଥାଏ ତେବେ ହତ୍ୟା ପଛରେ ମୋଟିଭ୍‌ ବା ଉଦ୍ଦେଶ୍ୟ କଥା ଉଠିବ। ସେ କାହିଁକି ହତ୍ୟା କରିଛି? ପ୍ରତିଶୋଧ ପରାୟଣ ହୋଇ ନା ପ୍ରରୋଚିତ କିମ୍ବା ପ୍ରତାଡ଼ିତ ହୋଇ? ପ୍ରତିଶୋଧ ନେଲା କାହିଁକି? ତା’ର ନବ ଦାସଙ୍କ ଉପରେ କି ପ୍ରକାର ବ୍ୟକ୍ତିଗତ ରାଗ ଥିଲା? ଆଉ ଯଦି କିଏ ତା’କୁ ପ୍ରରୋଚିତ କି ପ୍ରତାଡ଼ିତ କରିଛି ତେବେ ସେ ଲୋକର ଉଦ୍ଦେଶ୍ୟ କ’ଣ? କୋର୍ଟ ଏହି ପ୍ରଶ୍ନ କଲେ କ୍ରାଇମ ବ୍ରାଞ୍ଚକୁ ଉତ୍ତର ଦେବାକୁ ହେବ। ଏଯାଏଁ କ୍ରାଇମ ବ୍ରାଞ୍ଚ ଏ ଦିଗରେ ତଦନ୍ତ କରିନାହିଁ। ଏଯାଏଁ ତଦନ୍ତର କେନ୍ଦ୍ର ବିନ୍ଦୁ ହୋଇ ରହିଛି ଗୋପାଳ। ଗୋପାଳକୁ ଜେରା। ଗୋପାଳ କହିବା ଅନୁସାରେ ପାଇଖାନା ସଫେଇ। ଗୋପାଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ। ଗୋପାଳର ନାର୍କୋ ଟେଷ୍ଟ। ଗୋପାଳର ଭିଜୁଆଲ। ଗୋପାଳର ଫଟୋ। ଗୋପାଳର ସ୍ତ୍ରୀକୁ ଜେରା। ଗୋପାଳର କାର୍‌ ମାଲିକକୁ ପ୍ରଶ୍ନ। ଜଣାପଡ଼ୁଛି ଯେମିତି କ୍ରାଇମ ବ୍ରାଞ୍ଚ ମୁଣ୍ଡରେ ଗୋପାଳ ଏକ ଭୂତ ଭଳି ସବାର ହୋଇଛି। ଏହି ହତ୍ୟାକାଣ୍ଡରେ ଆଉ କାହାର କୌଣସି ପ୍ରକାର ସଂପୃକ୍ତି ଥାଇପାରେ ବୋଲି କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଏଯାଏଁ ଭାବି ପାରୁନାହାନ୍ତି।

ନାର୍କୋ ଟେଷ୍ଟରେ ଗୋପାଳ କାଳେ କହିଛି ସେ ବ୍ୟକ୍ତିଗତ କାରଣରୁ ନବ ଦାସଙ୍କୁ ହତ୍ୟା କରିଛି। ତେବେ ସେହି ବ୍ୟକ୍ତିଗତ କାରଣଟି କ’ଣ? ତାହା କ୍ରାଇମ ବ୍ରାଞ୍ଚ ଏଯାଏଁ ପ୍ରଘଟ କରିନାହିଁ। ହୁଏତ କୋର୍ଟରେ ତାହା ଉପସ୍ଥାପନ କରିପାରନ୍ତି। ତେବେ ନାର୍କୋ ଟେଷ୍ଟକୁ କୋର୍ଟ ପ୍ରମାଣ ଭାବେ ଗ୍ରହଣ କରିବେ ନାହିଁ ବୋଲି ବହୁ ଆଇନ ବିଶେଷଜ୍ଞ ମତ ଦେଉଛନ୍ତି। ହେଲେ ବି, ଜଣେ ମାନସିକ ରୋଗୀର ନାର୍କୋ ଟେଷ୍ଟର ଅର୍ଥ କ’ଣ? ସେଥିପାଇଁ ଯେଉଁ ସମ୍ମତି ଦରକାର ତାହା ଗୋପାଳ ଦେଇଥିବ ନିଶ୍ଚୟ। ଜଣେ ମାନସିକ ରୋଗୀ ବା ଅସୁସ୍ଥ ମସିଷ୍କ ଥିବା ମଣିଷର ସମ୍ମତି କ’ଣ ଅସମ୍ମତି କ’ଣ? କାହାର ଗୁରୁତ୍ୱ ନାହିଁ। କୋର୍ଟରେ ସେ ପ୍ରଶ୍ନ ବି ଉଠିପାରେ।

ତେବେ, ଗୋପାଳ କ’ଣ ପାଗଳ ନୁହେଁ?

- ଦେବେନ୍ଦ୍ର ପୃଷ୍ଟି -

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos