Advertisment

ସ୍ୱାଭିମାନ ଅଞ୍ଚଳର ଇଏ ହେଉଛି ସରକାରୀ ସ୍କୁଲ, ଏମିତି ଚାଲିଛି ପାଠ ପଢ଼ା

ନକ୍ସଲ ପ୍ରବଣ ଓ ଅଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଲୋକେମାନେ ଏତେ ଶିକ୍ଷିତ ନୁହେଁ। ବୋଧହୁଏ ଏ ସମ୍ପର୍କରେ ଜାଣିଥିଲା ଜିଲ୍ଲା ପ୍ରଶାସନ। ସେଥିପାଇଁ ସ୍କୁଲର ଶ୍ରେଣୀଗୃହ ନିର୍ମାଣ କରୁନଥିଲା। ସିଏ ଯାହାହେଉନା କାହିଁକି ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି ମୁଣ୍ଡ ଟେକିଥିଲା।

ଅଦ୍ୟତନ ହୋଇଛି
Malkangiri

Malkangiri

Advertisment

ଇଏ ହେଉଛି ସରକାରୀ ସ୍କୁଲ। ଚାରି ପାର୍ଶ୍ୱ ମେଲା। ଛାତ ଉପରେ ପଡ଼ିଛି ଟିଣ ଓ ପଲିଥିନ୍‌। ତଳେ ଇଞ୍ଚେ ଉଚ୍ଚର ବାଲି। ତା’ ଉପରେ ପଡ଼ିଛି ତମ୍ୱୁ। ଆଉ ସେହି ତମ୍ୱୁରେ ବସି ପିଲାମାନେ ପାଠ ପଢ଼ୁଛନ୍ତି। ଏମିତିକା ସ୍ମାର୍ଟ ସ୍କୁଲ୍‌ ତିଆରି ହୋଇଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ। ସବୁଠାରୁ ଦୁଃଖର ବିଷୟ, ପ୍ରଶାସନଠାରୁ ନିରାଶ ହୋଇ ସ୍କୁଲର ଶ୍ରେଣୀ ଗୃହ ତିଆରି କରିଛନ୍ତି ଗାଁ ଲୋକେ।

Advertisment

ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲା। ଏହି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତରେ ରହିଛି ଦଣ୍ଡାଲଗନ୍ଧି ପ୍ରାଥମିକ ବିଦ୍ୟାଳୟ। ଶିକ୍ଷାର ଦୀପ ଜଳାଇବା ପାଇଁ ଆଜକୁ ୨୦ ବର୍ଷ ତଳେ ସ୍କୁଲ ଖୋଲିଥିଲେ ରାଜ୍ୟ ସରକାର। ହେଲେ ଶ୍ରେଣୀ ଗୃହ ନିର୍ମାଣ କଲେନାହିଁ। ତେଣୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ୁଥିବା ପିଲାମାନେ ଆଜି ଆ’ ପିଣ୍ଡାରେ ତ କାଲି ଆଉ କାହା ପିଣ୍ଡାରେ ବସି ପାଠ ପଢ଼ୁଥିଲେ। କହିବାକୁ ଗଲେ ଭ୍ରାମ୍ୟମାଣ ସ୍କୁଲ ଚାଲିଥିଲା। ଏଥିରୁ ଅନୁମେୟ ହେଉଥିବ କେମିତି ଚାଲିଥିବ ପାଠ ପଢ଼ା।

ନକ୍ସଲ ପ୍ରବଣ ଓ ଅଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଲୋକେମାନେ ଏତେ ଶିକ୍ଷିତ ନୁହେଁ। ବୋଧହୁଏ ଏ ସମ୍ପର୍କରେ ଜାଣିଥିଲା ଜିଲ୍ଲା ପ୍ରଶାସନ। ସେଥିପାଇଁ ସ୍କୁଲର ଶ୍ରେଣୀଗୃହ ନିର୍ମାଣ କରୁନଥିଲା। ସିଏ ଯାହାହେଉନା କାହିଁକି ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି ମୁଣ୍ଡ ଟେକିଥିଲା। ପ୍ରଶାସନ ପାଖରେ ଗୁହାରୀ କଲେ। ହେଲେ କେହି ଶୁଣିଲେ ନାହିଁ। ଶେଷରେ ଗାଁ ଲୋକେ ନିଜ ପରିଶ୍ରମରେ ସ୍କୁଲ ଘର ନିର୍ମାଣ କଲେ। ଯେଉଁ ଶ୍ରେଣୀ ଗୃହ ଚାରି ପାର୍ଶ୍ୱରେ ମେଳା ପଡ଼ିଛି। ଛାତ ଉପରେ ପଡ଼ିଛି ଟିଣ ଓ ପଲିଥିନ୍‌। ତା’ତଳେ ୫ଟି ଶ୍ରେଣୀର ପିଲା ବସି ପାଠ ପଢ଼ୁଛନ୍ତି।

Advertisment

ବର୍ତ୍ତମାନ ଏହି ସ୍କୁଲରେ ୫୨ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ପ୍ରଧାନଶିକ୍ଷକଙ୍କ ମିଶାଇ ଦୁଇ ଜଣ ଶିକ୍ଷକ ଅଛନ୍ତି। ଝୁମ୍ପୁଡ଼ି ଭିତରେ ଧୂଳି ଉପରେ ପଡ଼ିଥିବା ତମ୍ୱୁରେ ବସି ପିଲାମାନେ ପାଠ ପଢ଼ୁଛନ୍ତି। ଖରାଦିନ ଚଳି ଯାଉଛି। ହେଲେ ବର୍ଷା ହେଲେ କଥା ସରିଲା। ସେଦିନ ସ୍କୁଲ ଛୁଟି। ପିଲାମାନେ ପାଠ ନପଢ଼ି ଘରକୁ ପଳାଇ ଯାଉଛନ୍ତି। ଯେଉଁଠି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ସ୍କୁଲ ତିଆରି କରୁଛନ୍ତି। ହେଲେ ଏହି ସ୍କୁଲ ପ୍ରତି ଜିଲ୍ଲା ପ୍ରଶାସନର ନଜର ପଡ଼ୁନି।

ଗାଁ ଲୋକଙ୍କ କହିବା ଅନୁସାରେ ବାରମ୍ବାର ଅଭିଯୋଗ ପରେ ତିନି ବର୍ଷ ତଳେ ସ୍କୁଲ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲା। ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସରୁନି। ଗତ ୩ ବର୍ଷ ହେଲା କାମ ଚାଲିଛି। ଶ୍ରେଣୀଗୃହ କାର୍ଯ୍ୟ କେବେ ସରିବ, କାହା ପାଖରେ କିଛି ଖବର ନାହିଁ।

ତେବେ ଏନେଇ ଜିଲ୍ଲା ବା ବ୍ଲକ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନ

Malkangiri School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe