ୱେଲିଂଟନ୍ ଟେଷ୍ଟ: ଜେମିସନଙ୍କ ଜାଲରେ ଫସିଲା ଟିମ୍ ଇଣ୍ଡିଆ

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍। ମ୍ୟାଚର ପ୍ରଥମ ଦିବସ ଭାରତ ପାଇଁ ଆଦୌ ଭଲ ରହିନାହିଁ। ଦିବସର ପ୍ରଥମ ଦୁଇଟି ଯାକ ସେସନରେ କିୱି ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିବା ବେଳେ ତୃତୀୟ ସେସନ୍ ଖେଳ ବର୍ଷା ଯୋଗୁ ହୋଇପାରିନାହିଁ। ଯାହା ଫଳରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୫୫ ଓଭରରେ ୫ ୱିକେଟ୍ ହରାଇ ୧୨୨ ରନ୍ କରିଛି। […]

nz

nz

Ranjit Kumar Jena
  • Published: Friday, 21 February 2020
  • Updated: 21 February 2020, 04:05 PM IST

Sports

Latest News

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍। ମ୍ୟାଚର ପ୍ରଥମ ଦିବସ ଭାରତ ପାଇଁ ଆଦୌ ଭଲ ରହିନାହିଁ। ଦିବସର ପ୍ରଥମ ଦୁଇଟି ଯାକ ସେସନରେ କିୱି ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିବା ବେଳେ ତୃତୀୟ ସେସନ୍ ଖେଳ ବର୍ଷା ଯୋଗୁ ହୋଇପାରିନାହିଁ। ଯାହା ଫଳରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୫୫ ଓଭରରେ ୫ ୱିକେଟ୍ ହରାଇ ୧୨୨ ରନ୍ କରିଛି।

ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଭାରତ ପାଇଁ ଆଶା ଉଜ୍ଜୀବିତ ରଖିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ରାହାଣେ (୩୮) ଓ ଋଷଭ ପନ୍ତ (୧୦) ବ୍ୟାଟିଂ କରୁଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଡେବ୍ୟୁ କରିଥିବା କାଇଲ୍ ଜେମିସନ୍ ଚମତ୍କାର ବୋଲିଂ କରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇଥିଲେ। ସେ ୩୮ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି।

ବେସିନ୍ ରିଜର୍ଭ ଗ୍ରାଉଣ୍ଡର ପିଚକୁ ପଢ଼ି କିୱି ଟିମ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଆଶାମୁତାବକ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ କ୍ୟାପଟେନ୍ କୋହଲି ଚୂଡ଼ାନ୍ତ ଏକାଦଶରେ ଋଦ୍ଧିମାନ ସାହାଙ୍କ ସ୍ଥାନରେ ପନ୍ତଙ୍କ ଉପରେ ଭରସା ଦେଖାଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ସିରିଜ୍ ଖେଳିଥିବା ପୃଥ୍ୱୀ ଶ'ଙ୍କ ଖରାପ ପ୍ରଦର୍ଶନ ଟେଷ୍ଟରେ ଜାରି ରହିଛି। ଘରୋଇ ଦଳର ସବୁଠାରୁ ଅଭିଜ୍ଞ ବୋଲର ଟିମ୍ ସାଉଦୀଙ୍କ ଆଉଟ୍ ସୁଇଂକୁ ବୁଝିନପାରି ପୃଥ୍ୱୀ କ୍ଲିନ୍ ବୋଲ୍ଡ ହୋଇଥିଲେ। ସେ ୧୮ ବଲରେ ବ୍ୟକ୍ତିଗତ ୧୬ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ପଦାର୍ପଣ କରିଥିବା ୬.୮ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ବୋଲର ଜେମିସନ୍ ଲଗାତର ଦୁଇଟି ୱିକେଟ୍ ନେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଜେମିସନ୍ ପ୍ରଥମେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୧୧)ଙ୍କୁ ୱିକେଟକିପର ବିଜେ ୱାଟଲିଙ୍ଗଙ୍କ ଦ୍ୱାରା କ୍ୟାଚ୍ କରାଯାଇଥିଲେ। ଜେମିସନ୍ ନିଜର ପରବର୍ତ୍ତୀ ଓଭରରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି (୨)ଙ୍କୁ ଆଉଟ୍ କରି ନ୍ୟୁଜିଲ୍ୟାଣ୍ଡକୁ ସବୁଠାରୁ ବଡ଼ ସଫଳତା ଦେଇଥିଲେ। ଏହିଠାରୁ ରାହାଣେ ଓ ମୟଙ୍କ ଅଗ୍ରୱାଲ୍ ପ୍ରଥମ ସେସନ୍ ଖେଳ ଶେଷ ସୁଦ୍ଧା ଭାରତକୁ ଆଉ କ୍ଷତି ହେବାକୁ ଦେଇନଥିଲେ। କିନ୍ତୁ ମୟଙ୍କ ଦ୍ୱିତୀୟ ସେସନରେ ପ୍ୟାଭିଲିୟନ୍ ଫେରିଯାଇଥିଲେ। ସେ ରାହାଣେଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୪୮ ରନ୍ ଯୋଡ଼ିଥିଲେ।

ଭାରତର ସ୍କୋର ୮୮ ଥିବା ବେଳେ ମୟଙ୍କ (୩୪)ଙ୍କୁ ଟ୍ରେଣ୍ଟ ବୋଲ୍ଟ ଆଉଟ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହନୁମା ବିହାରୀ (୭) ମଧ୍ୟ କିଛି ଖାସ୍ କରିପାରିନଥିଲେ ଏବଂ ସେ ଜେମିସନଙ୍କ ଆଉଟ୍ ସୁଇଂ ବଲରେ ୱିକେଟକିପର ୱାଟଲିଙ୍ଗଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଅଧା ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍ ଯିବା ପରେ ଭାରତ ସଙ୍କଟରେ ପଡ଼ିଥିଲା। ତେବେ ରାହାଣେ ନିଜ ଅଭିଜ୍ଞତାର ଭରପୂର ଫାଇଦା ଉଠାଇଥିଲେ ଏବଂ ପନ୍ତଙ୍କ ସହ ମିଶି ଦିବସର ଖେଳ ଶେଷ ସୁଦ୍ଧା ଦଳକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ନ୍ୟୁଜିଲ୍ୟାଣ୍ଡର ସାଉଦୀ ଓ ବୋଲ୍ଟ ଗୋଟିଏ ୱିକେଟ୍ ପାଇଛନ୍ତି।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍ ୧୨୨/୫ (୫୫ ଓଭର): ଆଜିଙ୍କ୍ୟ ରାହାଣେ ୩୮*, ଋଷଭ ପନ୍ତ ୧୦*, ମୟଙ୍କ ଅଗ୍ରୱାଲ୍ ୩୪, ପୃଥ୍ୱୀ ଶ' ୧୬, କାଇଲ୍ ଜେମିସନ୍ ୩/୩୮।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos