ଦ୍ୱିତୀୟ ଟି-୨୦: ମୋହାଲିରେ କୋହଲି କମାଲ୍, ଟିମ୍ ଇଣ୍ଡିଆ ବିଜୟୀ
ମୋହାଲି: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସାଙ୍ଗକୁ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହାଛଡ଼ା ସ୍ୱଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ପ୍ରଥମ ବିଜୟ। ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା […]
ମୋହାଲି: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସାଙ୍ଗକୁ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହାଛଡ଼ା ସ୍ୱଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ପ୍ରଥମ ବିଜୟ।
ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟାପଟେନ୍ କ୍ୱିଣ୍ଟନ୍ ଡି'କକ୍ ସର୍ବାଧିକ ୫୨ ଓ ଡେବ୍ୟୁଟାଣ୍ଟ ତେମ୍ବା ବାଭୁମା ୪୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆବଶ୍ୟକ ଯୋଗଦାନ କରିନଥିଲେ। ଜବାବରେ ଭାରତ ୧୯ ଓଭରରେ ୩ ୱିକେଟ୍ ହରାଇ ୧୫୧ ରନ୍ କରି ମ୍ୟାଚକୁ ସହଜରେ ଜିତି ନେଇଛି। ଭାରତ ପକ୍ଷରୁ କ୍ୟାପଟେନ୍ କୋହଲି ସର୍ବାଧିକ ଅପରାଜିତ ୭୨ (୫୨ ବଲ୍, ୪ ଚୌକା, ୩ ଛକା) ରନ୍ କରିଛନ୍ତି।
୧୫୦ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପ୍ନର ଧୱନ୍ ଓ ରୋହିତ୍ ଶର୍ମା। ରୋହିତ୍ (୧୨) ଆନରିଚ୍ ନର୍ଟଜେଙ୍କୁ ଦୁଇଟି ଆକର୍ଷଣୀୟ ଛକା ମାରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିଥିଲେ। କିନ୍ତୁ ଆଣ୍ଡିଲେ ଫେଲୁକୱାୟୋଙ୍କ ଏକ ଇନସୁଙ୍ଗ୍ ବଲକୁ ବୁଝିନପାରି ରୋହିତ୍ ଏଲବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ଧୱନ୍ ଓ କୋହଲି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଦୃଢ଼ତାର ସହ ମୁକାବିଲା କରିଥିଲେ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ନିରାଶ କରିଥିବା ଧୱନ୍ ଏଠାରେ ଦମ୍ ଦେଖାଇଥିଲେ। ସେ କୋହଲିଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୧ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ।
ଧୱନ୍ ବ୍ୟକ୍ତିଗତ ୪୦ (୩୧ ବଲ, ୪ ଚୌକା, ୧ ଛକା) ରନ୍ କରି ତାବରେଜ୍ ଶାମସିଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରିଷଭ ପନ୍ତ (୪) ପୁଣି ନିରାଶ କରିଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ପ୍ରଚୁର ରନ୍ କରିଥିବା ଶ୍ରେୟସ୍ ଆୟର୍ କୋହଲିଙ୍କ ସହ ମିଶି ଭାରତକୁ ବିଜୟୀ କରାଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୪୭ ରନର ଭାଗୀଦାରୀ କରିଥିଲେ। ଆୟର୍ ୧୬ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଫେଲୁକୱାୟୋ, ଶାମସି ଓ ଫର୍ଟ୍ୟୁନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ବର୍ଷା ଯୋଗୁ ଧର୍ମଶାଳା ଟି-୨୦ ମୁକାବିଲା ଧୋଇ ହୋଇଯାଇଥିବା ବେଳେ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା, ଯେଉଁଥିରେ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲା। ବିଶେଷକରି କ୍ୟାପଟେନ୍ ଡି'କକ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଉଚିତ୍ ମୁକାବିଲା କରିଥିଲେ। କିନ୍ତୁ ଓପନିଂ ପାର୍ଟନର୍ ରୀଜା ହେଣ୍ଡ୍ରିକ୍ସ (୬) ନିରାଶ କରିଥିଲେ।
ଦକ୍ଷିଣ ଆଫ୍ରିକାର ସ୍କୋର ୩୧ ଥିବା ବେଳେ ହେଣ୍ଡ୍ରିକ୍ସଙ୍କୁ ଦୀପକ ଚହର୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଡି'କକଙ୍କୁ ସାଥ୍ ଦେଇଥିଲେ ବାଭୁମା। ଦୁହେଁ ଓଭର ପିଛା ୮ ଲେଖାଏ ରନ୍ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଏହା ମଧ୍ୟରେ ଡି'କକ୍ ୩୫ ବଲରେ ନିଜର ତୃତୀୟ ଟି-୨୦ ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ଅର୍ଦ୍ଧଶତକ ପରେ ତାଙ୍କୁ ନଭଦୀପ ସାଇନି ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ଡି'କକ୍ ନିଜ ଇନିଂସରେ ୩୭ ବଲରେ ୮ ଚୌକା ମାରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ବାଭୁମାଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ିଥିଲେ।
ଡି'କକଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଭାନ୍ ଡର୍ ଡୁସେନ୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ବାଭୁମା ଓ ଅଭିଜ୍ଞ ଡେଭିଡ୍ ମିଲର୍ ୩୬ ରନର ଭାଗୀଦାରୀ କରିଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ହେବା ପରେ ଦଳର ରନ୍ ଗତି କମିଯାଇଥିଲା। ବାଭୁମାଙ୍କୁ ଦୀପକ ଚହର ଆଉଟ୍ କରିଥିବା ବେଳେ ମିଲର୍ (୧୮)ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ଲିନ୍ ବୋଲ୍ଡ କରିଥିଲେ। ଡ୍ୱେନ୍ ପ୍ରିଟୋରିୟସ୍ ୧୦ ଓ ଆଣ୍ଡିଲେ ଫେଲୁକୱାୟୋ ୮ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଦୀପକ ଚହର୍ ୨ଟି ୱିକେଟ୍ ନେଇଥିବା ବେଳେ ସାଇନି, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।