କିଙ୍ଗଷ୍ଟନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଉକ୍ତ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ପୁଣିଥରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୩୦ ଓଭରରେ ୨ ୱିକେଟ୍ ହରାଇ ୭୨ ରନ୍ କରିଛି। ଓପ୍ନର୍ ମୟଙ୍କ ଅଗ୍ରୱାଲ୍ ୪୧ ଓ କ୍ୟାପଟେନ୍ ବିରାଟ୍ କୋହଲି ୫ ରନରେ ବ୍ୟାଟିଂ କରୁଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଭଲ ଷ୍ଟାର୍ଟ ମିଳିଥିଲା। ଦୁଇ ଓପ୍ନର ଲୋକେଶ ରାହୁଲ ଓ ମୟଙ୍କ ଆରମ୍ଭରୁ ହିଁ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ଘରୋଇ ଦଳର କ୍ୟାପଟେନ୍ ହୋଲ୍ଡର ଏହି ଯୋଡ଼ିକୁ ଅଧିକ ସମୟ ସେଟ୍ ହେବାକୁ ଦେଇନଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୩୨ ରନ୍ ଯୋଡ଼ିଥିବା ବେଳେ ହୋଲ୍ଡର ମ୍ୟାଚରେ ନିଜର ପ୍ରଥମ ଓଭରରେ ହିଁ ରାହୁଲ (୧୩)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ।
ରାହୁଲଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଚେତେଶ୍ୱର ପୂଜାରାଙ୍କଠାରୁ ବଡ଼ ଇନିଂସ୍ ଆଶା କରାଯାଉଥିଲା। କିନ୍ତୁ ସେ ନିରାଶ କରିଥିଲେ। ଭାରତର ସ୍କୋର ୪୬ ଥିବା ବେଳେ ପୂଜାରା (୬)ଙ୍କୁ ଡେବ୍ୟୁଟାଣ୍ଟ ରାହକୀମ କର୍ନୱାଲ୍ ପ୍ୟାଭିଲିୟନ୍ ପଠାଇ ନିଜ କ୍ୟାରିୟରର ପ୍ରଥମ ସଫଳତା ଅର୍ଜନ କରିଥିଲେ। କିନ୍ତୁ ଓପ୍ନର ମୟଙ୍କ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ। ତାଙ୍କୁ କ୍ୟାପଟେନ୍ କୋହଲି ଭରପୂର ସହଯୋଗ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ହୋଲ୍ଡର ଓ କର୍ନୱାଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
ସୂଚନାଯୋଗ୍ୟ, ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି। ତେବେ ୱେଷ୍ଟଇଣ୍ଡିଜ୍ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ୧୪୦ କେଜି ଓଜନ ବିଶିଷ୍ଟ ରାହକୀମ କର୍ନୱାଲ୍ ଏହି ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ କରିଛନ୍ତି। ସେ ମିଜୁଏଲ କମିନ୍ସଙ୍କ ସ୍ଥାନରେ ସାମିଲ୍ ହୋଇଛନ୍ତି। ସେହିପରି ଅନଫିଟ୍ ୱିକେଟକିପର ଶାଇ ହୋପଙ୍କ ବଦଳରେ ଜେହମାର୍ ହାମିଲଟନଙ୍କୁ ସ୍ଥାନ ମିଳିଛି।