ଭାରତକୁ କମବ୍ୟାକ୍ କରାଇଲେ ଜାଡେଜା ଓ ଗିଲ୍

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିବସ ଅଷ୍ଟ୍ରେଲିଆ ନାଁରେ ରହିଥିବା ବେଳେ ଦ୍ୱିତୀୟ ଦିବସରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଜବରଦସ୍ତ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ଷ୍ଟିଭ୍ ସ୍ମିଥଙ୍କ ଶତକ ଓ ମାର୍ନସ ଲାବୁଶେନଙ୍କ ଲଢ଼ୁଆ ଇନିଂସ ସତ୍ତ୍ୱେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରି ଅଲଆଉଟ୍ ହୋଇଛି। ଜବାବରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ ହରାଇ ୯୬ ରନ୍ କରିଛି। […]

GILL

Ranjit Kumar Jena
  • Published: Friday, 08 January 2021
  • , Updated: 08 January 2021, 01:57 PM IST

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିବସ ଅଷ୍ଟ୍ରେଲିଆ ନାଁରେ ରହିଥିବା ବେଳେ ଦ୍ୱିତୀୟ ଦିବସରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଜବରଦସ୍ତ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ଷ୍ଟିଭ୍ ସ୍ମିଥଙ୍କ ଶତକ ଓ ମାର୍ନସ ଲାବୁଶେନଙ୍କ ଲଢ଼ୁଆ ଇନିଂସ ସତ୍ତ୍ୱେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରି ଅଲଆଉଟ୍ ହୋଇଛି। ଜବାବରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ ହରାଇ ୯୬ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଚେତେଶ୍ୱର ପୂଜାରା ୯ ଓ ଆଜିଙ୍କ୍ୟ ରାହାଣେ ୫ ରନରେ ବ୍ୟାଟିଂ କରୁଥିଲେ। ଭାରତ ୨୪୨ ରନ୍‌ରେ ପଛୁଆ ଥିବା ବେଳେ ହାତରେ ୮ ୱିକେଟ୍‌ ବାକି ରହିଛି।

ଅଷ୍ଟ୍ରେଲିଆର ୩୩୮ ରନ୍ ଜବାବରେ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ ରୋହିତ୍ ଶର୍ମା ଓ ଶୁବମାନ ଗିଲ୍। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୭୦ ରନର ଭାଗିଦାରୀ କରି ଭାରତର ଦୃଢ଼ ମୂଳଦୁଆ ପକାଇଥିଲେ। କମବ୍ୟାକ୍ କରିଥିବା ରୋହିତ୍ ଚୌକା ଓ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। କିନ୍ତୁ ସେ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ। ଟିମର ସ୍କୋର ୭୦ ଥିବା ବେଳେ ରୋହିତ୍ ଘରୋଇ ଦଳର ଯୁବ ପେସର୍ ଜୋଶ୍ ହେଜଲଉଡଙ୍କୁ ଫଲୋଥ୍ରୁ କ୍ୟାଚ୍ ଦେଇବସିଥିଲେ।

ରୋହିତ୍ ୭୭ ବଲରେ ୩ ଚୌକା ଓ ୧ ଛକା ସହ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟତମ ଓପ୍ନର ଗିଲ୍ ଆକର୍ଷଣୀୟ ବ୍ୟାଟିଂ କରି ୧୦୦ ବଲରେ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଦୁନିଆର ଏକ ନମ୍ବର ବୋଲର ପ୍ୟାଟ୍ କମିନ୍ସ। କମିନ୍ସଙ୍କ ଆଉଟ୍ ସୁଇଂ ବଲରେ ଗିଲ୍ ସ୍ଲିପରେ ଫିଲ୍ଡିଂ କରୁଥିବା କାମେରନ୍ ଗ୍ରୀନଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଆଉଟ୍ ହେବା ପୂର୍ବରୁ ଗିଲ୍ ୧୦୧ ବଲରେ ୮ ଚୌକା ସହ ୫୦ ରନର ଇନିଂସ୍ ଖେଳିଥିଲେ। ଏହା ପରେ ଭାରତର ଦୁଇ ଅଭିଜ୍ଞ ପୂଜାରା ଓ କ୍ୟାପଟେନ୍ ରାହାଣେ ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ। ଦୁହେଁ ପ୍ରାୟ ୧୩ ଓଭର ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ଓ କମିନ୍ସ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଛନ୍ତି।

୨ୟ ଦିବସରେ ଅଷ୍ଟ୍ରେଲିଆ ତା'ର ପୂର୍ବଦିନର ସ୍କୋର ୧୬୬/୨ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଲାବୁଶେନ୍ ଓ ସ୍ମିଥ୍ ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ଲାବୁଶେନ୍ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଆଉଟ୍ କରିଥିଲେ ରବୀନ୍ଦ୍ର ଜାଡେଜା। ୭୧ତମ ଓଭରର ପଞ୍ଚମ ବଲରେ ଜାଡେଜାଙ୍କ ବଲରେ ଲାବୁଶେନ୍ ସ୍ଲିପରେ ରାହାଣେଙ୍କ ଦ୍ବାରା ଧରାପଡ଼ିଥିଲେ। ଲାବୁଶେନ୍ ୧୯୬ ବଲର ସାମ୍ନା କରି ୧୧ ଚୌକା ସହ ୯୧ ରନ୍ କରିଥିଲେ। ଏହା ପରେ ସ୍ମିଥ୍ ଏକାକୀ ଦଳ ପାଇଁ ଲଢ଼ିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସହଯୋଗ କରିନଥିଲେ। ମାଥ୍ୟୁ ୱେଡ୍ ପୁଣିଥରେ ନିରାଶ କରି ମାତ୍ର ୧୩ ରନ୍ କରି ଜାଡେଜାଙ୍କ ଶିକାର ହୋଇଥିଲେ।

ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ଓ ପ୍ୟାଟ୍ କମିନ୍ସ ଖାତା ଖୋଲିପାରିନଥିବା ବେଳେ କ୍ୟାପଟେନ୍ ଟିମ୍ ପେନ୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ମିଚେଲ୍ ଷ୍ଟାର୍କଙ୍କ ସହ ମିଶି ସ୍ମିଥ୍ ନିଜର ୨୭ତମ ଶତକ ପୂରଣ କରିଥିଲେ। ଷ୍ଟାର୍କ ୨୪ ରନ୍ କରି ଡେବ୍ୟୁଟାଣ୍ଟ ନବଦୀପ ସାଇନିଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ନାଥନ ଲିୟନ୍ କୌଣସି ରନ୍ କରିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଶେଷ ୱିକେଟ୍ ପାଇଁ ସ୍ମିଥ୍ ଓ ହେଜଲଉଡ୍ ୨୩ ରନ୍ ଯୋଡ଼ିଥିଲେ।

ସ୍ମିଥ୍ ୧୩୧ (୨୨୬ ବଲ୍, ୧୬ ଚୌକା) ରନ୍ କରିଥିବା ବେଳେ ଜାଡେଜାଙ୍କ ସିଧାସଳଖ ଥ୍ରୋ'ରେ ରନଆଉଟ୍ ହୋଇଥିଲେ। ଏଥିସହ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୩୩୮ ରନରେ ଶେଷ ହୋଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି, ଯଶପ୍ରୀତ ବୁମ୍ରା ଓ ଡେବ୍ୟୁଟାଣ୍ଟ ନବଦୀପ ସାଇନି ୨ଟି ଲେଖାଏ ୱିକେଟ୍ ନେଇଛନ୍ତି। ମହମ୍ମଦ ସିରାଜ୍ ଗୋଟିଏ ସଫଳତା ପାଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ନିରାଶ ହେବାକୁ ପଡ଼ିଛି।

Related story