ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ଶାସନ ପରେ ସେଠାକାର ବାସିନ୍ଦାଙ୍କୁ ଯେତିକି ଦୁଃଖ ଦେଇଛି, ତା'ଠାରୁ ଅଧିକ କଷ୍ଟ କ୍ରୀଡ଼ାବିତଙ୍କୁ ମଧ୍ୟ ଦେଇଛି। ତାଲିବାନୀ ଆକ୍ରମଣ ପରେ ଆଫଗାନିସ୍ତାନର ପାରାଲିମ୍ପିଆନ୍ ଆଥଲେଟଙ୍କର ସ୍ୱପ୍ନ ଚୁରମାର୍ ହୋଇଯାଇଛି। ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବାକୁଥିବା ଟୋକିଓ ପାରାଲିମ୍ପିକ୍ସରେ ଆଫଗାନିସ୍ତାନ ଭାଗ ନେଇପାରିବ ନାହିଁ। ଅନ୍ତର୍ଜାତୀୟ ପାରାଲିମ୍ପିକ୍ କମିଟି (ଆଇପିସି)ର ଅଧ୍ୟକ୍ଷ ଆଣ୍ଡ୍ର୍ୟୁ ପାର୍ସନ୍ସ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖର କଥା ଯେ କାବୁଲରେ ଫସିଥିବା ଆଫଗାନ ଆଥଲେଟ୍ କ୍ରୀଡ଼ାରେ ଭାଗ ନେଇପାରିବେ ନାହିଁ।
ପାର୍ସନ୍ସ କହିଛନ୍ତି, ଟୋକିଓ ପାରାଲିମ୍ପିକ୍ସ ପାଇଁ ଆଫଗାନିସ୍ତାନରେ କୌଣସି କର୍ମସିଆଲ୍ ଫ୍ଲାଇଟ୍ ନାହିଁ। ଆମେ ସମସ୍ତେ କାବୁଲ ଏୟାରପୋର୍ଟର ଦୃଶ୍ୟ ଦେଖିଛୁ। ଆଉ ଏହା ଦେଖି ଆମେ ନିଶ୍ଚିତ ହେଇଗଲୁ ଯେ ଆଥଲେଟଙ୍କୁ ଟୋକିଓ ଆଣିବା ପାଇଁ କୌଣସି ସୁରକ୍ଷିତ ଉପାୟ ନାହିଁ।
ଟାଏକ୍ୱୋଣ୍ଡୋ ଆଥଲେଟ୍ ଜାକିଆ ଖୁଦାଦାଦୀ ପାରାଲିମ୍ପିକ୍ସରେ ଆଫଗାନିସ୍ତାନର ପ୍ରତିନିଧିତ୍ୱ କରିବାରେ ପ୍ରଥମ ମହିଳା ପାରାଲିମ୍ପିକ୍ ଆଥଲେଟ୍ ହୋଇଥାନ୍ତେ, କିନ୍ତୁ ଏବେ ସେ ଭାଗ ନେଇପାରିବେ ନାହିଁ। ଏକ ଭିଡିଓ ବାର୍ତ୍ତାରେ ଖୁଦାଦାଦୀ ମଙ୍ଗଳବାର ସହାୟତାର ଗୁହାରି କରିଥିଲେ।
ଏ ନେଇ ପାର୍ସନ୍ସ କହିଛନ୍ତି, ‘ମୁଁ ସେହି ଭିଡିଓ ବାର୍ତ୍ତା ଦେଖିଲି। ଆଫଗାନିସ୍ତାନରେ ବର୍ତ୍ତମାନ ଯାହା ହେଉଛି, ତାହା ଆମର ଜଣେ ଆଥଲେଟଙ୍କ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି। ବାସ୍ତବରେ ଏହା ବହୁତ ଦୁଃଖଦ ଓ ଏହା ମୋ ହୃହୟ ଭାଙ୍ଗି ଦେଇଛି।’ ପାର୍ସନ୍ସ କହିଛନ୍ତି ଯେ କମିଟି ତାଙ୍କ ସ୍ୱପ୍ନ ପୂରଣ କରିବାଲାଗି ଆଫଗାନିସ୍ତାନ ଟିମ ସହ ପୁଣି କାମ କରିବେ, ଯେଉଁଥିରେ ୨୦୨୪ରେ ପ୍ୟାରିସ୍ କ୍ରୀଡ଼ା ସାମିଲ୍ ଅଛି।
ଆଫଗାନିସ୍ତାନରେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ପାର୍ସନ୍ସ କହିଛନ୍ତି, ‘ସେଠାରେ ଯାହା ଘଟୁଛି, ତାହା କ୍ରୀଡ଼ା ଠାରୁ ବହୁତ ବଡ଼। ଆଫଗାନିସ୍ତାନରେ ବର୍ତ୍ତମାନ ଯାହା ଘଟୁଛି, ବିଶେଷ କରି ସେଠାରେ ମାନବିକତା ଓ ମହିଳାଙ୍କ ଯେଉଁଭଳି ବ୍ୟବହାର କରାଯାଉଛି, ତାହା ନିନ୍ଦନୀୟ।’
ସୂଚନାଯୋଗ୍ୟ, ଟୋକିଓ ପାରାଲିମ୍ପିକ୍ସକୁ ଆଫଗାନିସ୍ତାନ ଦୁଇଜଣିଆ ଟିମ୍ ପଠାଇଥାନ୍ତା। ଜାକିଆ ଖୁଦାଦାଦୀ ଦେଶର ପ୍ରଥମ ମହିଳା ପାରାଲିମ୍ପିଆନ୍ ଭାବେ ଟୋକିଓ ଯାଇଥାନ୍ତେ। ସେହିପରି ଆଉ ଜଣେ ହେଲେ ଡିସକସ୍ ଥ୍ରୋୟର୍ ହୋସେନ୍ ରାସୌଲୀ। ଟୋକିଓ ଅଲିମ୍ପିକ୍ସ ଭଳି ପାରାଲିମ୍ପିକ୍ସରେ ମଧ୍ୟ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ଜାପାନର ରାଜଧାନୀ ଟୋକିଓରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆୟୋଜକ ଏହି ନିଷ୍ପତ୍ତି ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।