ଧୱନ୍ ଫେରିଲେ, ନବଦୀପ ସାଇନି ଓ ରାହୁଲ୍ ଚହର୍ ନୂଆ ମୁହଁ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ରବିବାର ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ୍‌, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍‌ ବେଳେ ଆହତ ହୋଇଥିବା ଶିଖର ଧୱନ ମଧ୍ୟ ଟିମ୍‌କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍‌ରେ ସ୍ଥାନ ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଟିମରେ ଦୁଇଜଣ ନୂଆମୁହଁ ସ୍ଥାନ ପାଇଛନ୍ତି। ଏହି ଦୁଇ […]

team

Jitendra Garnayak
  • Published: Sunday, 21 July 2019
  • , Updated: 21 July 2019, 06:56 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ରବିବାର ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ୍‌, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍‌ ବେଳେ ଆହତ ହୋଇଥିବା ଶିଖର ଧୱନ ମଧ୍ୟ ଟିମ୍‌କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍‌ରେ ସ୍ଥାନ ମିଳିଛି।

ତେବେ ସବୁଠାରୁ ବଡ଼ କଥା ହେଉଛି ଟିମରେ ଦୁଇଜଣ ନୂଆମୁହଁ ସ୍ଥାନ ପାଇଛନ୍ତି। ଏହି ଦୁଇ ନୂଆ ଖେଳାଳି ହେଉଛନ୍ତି ନବଦୀପ ସାଇନି ଓ ରାହୁଲ୍ ଚହର୍। ଦୁହିଁଙ୍କୁ ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନ ଆଧାରରେ ଚୟନ କରାଯାଇଛି। ସାଇନି ଉଭୟ ଦିନିକିଆ ଓ ଟି-୨୦ ଟିମରେ ସ୍ଥାନ ପାଇଥିବା ବେଳେ ରାହୁଲ୍ ଚହରଙ୍କୁ କେବଳ ଟି-୨୦ ଦଳରେ ସାମିଲ୍‌ କରାଯାଇଛି। ଏହି ଦୁଇ ନୂଆ ଖେଳାଳିଙ୍କ ଆସିବା ଦ୍ୱାରା ଏବେ ଟି-୨୦ ଟିମରୁ ଦୁଇ ନିୟମିତ ସ୍ପିନର୍ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ବାଦ୍ ପଡ଼ିଛନ୍ତି। ଚହଲ୍ କେବଳ ଦିନିକିଆ ଟିମରେ ଏବଂ କୁଲଦୀପ ଟେଷ୍ଟ ଓ ଦିନିକିଆ ଟିମରେ ରହିଛନ୍ତି।

ସେହିପରି ରୋହିତ ଶର୍ମା ଟେଷ୍ଟ୍ ଟିମ୍‌ରେ ବି ସ୍ଥାନ ପାଇଛନ୍ତି। ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ କରାଯାଇଥିବା ବେଳେ ଟେଷ୍ଟ୍ ମ୍ୟାଚ୍‌ରେ ଏହି ଦାୟିତ୍ୱ ତୁଲାଇବେ ଆଜିଙ୍କ୍ୟ ରାହାଣେ। ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ବଢ଼ିଆ ପ୍ରଦର୍ଶନ କରିଥିବା ଚେତେଶ୍ୱର ପୂଜାରା ଟେଷ୍ଟ୍ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି।

ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ୱିକେଟ୍ କିପର୍‌ ଭାବେ ଋଷଭ ପନ୍ତ ପ୍ରଥମ ପସନ୍ଦ ପାଲଟିଛନ୍ତି। ତାଙ୍କୁ ତିନୋଟି ଯାକ ଫର୍ମାଟ୍‌ରେ ସ୍ଥାନ ମିଳିଛି। ଟେଷ୍ଟ୍ ଟିମ୍‌ରେ ୱିକେଟ୍ କିପର୍‌ ଭାବେ ତାଙ୍କ ସହିତ ରିଦ୍ଧିମାନ ସାହା ବି ସ୍ଥାନ ପାଇଛନ୍ତି। ବିଶ୍ୱକପ୍‌ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡ଼େଜା ତିନୋଟି ଯାକ ଫର୍ମାଟ୍‌ରେ ସ୍ଥାନ ପାଇଛନ୍ତି। ସେହିଭଳି ଯଶପ୍ରୀତ୍ ବୁମ୍ରା ଟେଷ୍ଟ୍‌ ଟିମ୍‌ରେ ସ୍ଥାନ ପାଇଥିବା ବେଳେ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି। ହନୁମା ବିହାରୀଙ୍କୁ ଟେଷ୍ଟ୍‌ରେ ସୁଯୋଗ ମିଳିଛି। ରବିଚନ୍ଦ୍ରନ ଅଶ୍ୱିନ୍ ଓ ଈଶାନ୍ତ ଶର୍ମାଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି।

ଖଲିଲ ଅହମଦ ଓ ନବଦୀପ ସାଇନିଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍‌ରେ ନିଆଯାଇଛି। ୱେଷ୍ଟଇଣ୍ଡିଜ୍-ଏ' ବିପକ୍ଷ ସିରିଜରେ ‘ଇଣ୍ଡିଆ ଏ’ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା ମନୀଷ ପାଣ୍ଡେ ଓ ଶ୍ରେୟସ ଆୟରଙ୍କୁ ବି ଏହି ଦୁଇ ଫର୍ମାଟ୍‌ ପାଇଁ ଘୋଷିତ ଟିମ୍‌ରେ ରଖାଯାଇଛି। ତେବେ ବିଶ୍ୱକପରେ ନିରାଶ କରିଥିବା ଦିନେଶ କାର୍ତ୍ତିକ ଉଭୟ ଟି-୨୦ ଓ ଦିନିକିଆ ଟିମରୁ ବାଦ୍ ପଡ଼ିଛନ୍ତି।

ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି ମନୋନୀତ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି।

ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ୱେଷ୍ଟଇଣ୍ଡିଜ୍ ଗସ୍ତ ଆରମ୍ଭ କରିବ। ଅଗଷ୍ଟ ୩ ତାରିଖରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୪ ଓ ୬ ତାରିଖରେ ଅନ୍ୟ ଦୁଇଟି ମ୍ୟାଚ୍ ଖେଳାଯିବ। ସେହିପରି ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅଗଷ୍ଟ ୮ ତାରିଖରୁ ଆରମ୍ଭ ହେବ। ଅନ୍ୟ ଦୁଇଟି ଦିନିକିଆ ମ୍ୟାଚ୍ ଯଥାକ୍ରମେ ୧୧ ଓ ୧୪ ତାରିଖରେ ଖେଳାଯିବ। ସେହିପରି ଅଗଷ୍ଟ ୨୨ରୁ ପ୍ରଥମ ଟେଷ୍ଟ୍ ଓ ୩୦ରୁ ଦ୍ୱିତୀୟ ଟେଷ୍ଟ୍ ଆରମ୍ଭ ହେବ।

ଭାରତୀୟ ଟେଷ୍ଟ ଟିମ୍: ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ (ଭାଇସ୍ କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ୍ ଶର୍ମା, ରିଷଭ ପନ୍ତ (ୱିକେଟକିପର), ଋଦ୍ଧିମାନ ସାହା (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ।

ଭାରତୀୟ ଦିନିକିଆ ଟିମ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା (ଭାଇସ୍ କ୍ୟାପଟେନ୍), ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ନବଦୀପ ସାଇନି।

ଭାରତୀୟ ଟି-୨୦ ଟିମ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା (ଭାଇସ୍ କ୍ୟାପଟେନ୍), ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ଦୀପକ ଚହର୍, ନବଦୀପ ସାଇନି।

Related story