ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ତାହା ହେଲା। ଶେଷରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ ହୋଇଛନ୍ତି। ତାଙ୍କୁ ଟେଷ୍ଟ୍ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ଟୁର୍ ପାଇଁ ଆଜି ଭାରତୀୟ ଟେଷ୍ଟ ଦଳର ପରିବର୍ତ୍ତନ କରାଯାଇଛି। ନୂଆ ଟେଷ୍ଟ ସ୍କ୍ୱାଡ୍ ଅନୁଯାୟୀ, ଟେଷ୍ଟ ଦଳରେ ରୋହିତଙ୍କୁ ସାମିଲ୍ କରାଯାଇଛି। ତେବେ ରୋହିତଙ୍କୁ ଦିନିକିଆ ଓ ଟି-୨୦ ଦଳରେ ସାମିଲ୍ କରାଯାଇନାହିଁ। କାରଣ ରୋହିତଙ୍କୁ ସୀମିତ ଓଭର ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି।
ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ମାତ୍ର ଗୋଟିଏ ଟେଷ୍ଟ ଖେଳିବେ। ବିରାଟ୍ ପ୍ରଥମ ଟେଷ୍ଟ ଖେଳିବା ପରେ ସ୍ୱଦେଶ ଫେରିଆସିବେ। କାରଣ ସେହି ସମୟରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଅନୁଷ୍କାଙ୍କ ସହ ରହିବାକୁ କୋହଲି ନିଷ୍ପତ୍ତି ନେଇଛନ୍ତି। କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଟେଷ୍ଟ ଟିମରେ ନେତୃତ୍ୱ ନେବେ।
ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ୱିକେଟକିପର ଋଦ୍ଧିମାନ ସାହାଙ୍କୁ ଆହତ ସତ୍ତ୍ୱେ ଅଷ୍ଟ୍ରେଲିଆ ଟୁର୍ ପାଇଁ ଟେଷ୍ଟ ସ୍କ୍ୱାଡରେ ରଖାଯାଇଛି। ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା ଏବେବି ଶତପ୍ରତିଶତ ଫିଟ୍ ହୋଇନାହାନ୍ତି। ସେ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହାବରେ ଅଛନ୍ତି। ଯଦି ସେ ଫିଟ୍ ହୁଅନ୍ତି, ତାହେଲେ ତାଙ୍କୁ ଟେଷ୍ଟ ସ୍କ୍ୱାଡରେ ସାମିଲ୍ କରାଯିବ।
ଦିନିକିଆ ସ୍କ୍ୱାଡରେ ଅତିରିକ୍ତ ୱିକେଟକିପର ଭାବେ ସଞ୍ଜୁ ସାମସନଙ୍କୁ ସାମିଲ୍ କରାଯାଇଛି। ସେହିପରି ଆହତ ସମସ୍ୟାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ରହସ୍ୟମୟ ସ୍ପିନର୍ ବରୁନ୍ ଚକ୍ରବର୍ତ୍ତୀ ସ୍କ୍ୱାଡରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଟି. ନଟରାଜନଙ୍କୁ ସାମିଲ୍ କରାଯାଇଛି। କେକେଆରର ଯୁବ ପେସ୍ ବୋଲର କମଲେଶ୍ ନାଗରକୋଟି ମଧ୍ୟ ଆହତ କାରଣରୁ ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ।
ଟିମ୍ ଇଣ୍ଡିଆ ଟି-୨୦ ସ୍କ୍ୱାଡ୍: କୋହଲି (କ୍ୟାପଟେନ୍), ଶିଖର ଧୱନ୍, ମୟଙ୍କ ଅଗ୍ରୱାଲ୍, ଲୋକେଶ ରାହୁଲ୍ (ଭାଇସ୍-କ୍ୟାପଟେନ୍ ଓ ୱିକେଟକିପର), ଶ୍ରେୟସ୍ ଆୟର୍, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଦୀପକ ଚହର୍, ଟି. ନଟରାଜନ୍।
ଟିମ୍ ଇଣ୍ଡିଆ ଦିନିକିଆ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ଶିଖର୍ ଧୱନ୍, ଶୁବମନ୍ ଗିଲ୍, ଲୋକେଶ ରାହୁଲ୍ (ଭାଇସ୍-କ୍ୟାପଟେନ୍ ଓ ୱିକେଟକିପର), ଶ୍ରେୟସ୍ ଆୟର୍, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ୍, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ସଞ୍ଜୁ ସାମସନ୍ (ୱିକେଟକିପର)।
ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍: କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍, ପୃଥ୍ୱୀ ଶ', ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ୍), ହନୁମା ବିହାରୀ, ଶୁବମନ୍ ଗିଲ୍, ଋଦ୍ଧିମାନ ସାହା (ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଉମେଶ ଯାଦବ, ନଭଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର୍. ଅଶ୍ୱିନ୍, ମହମ୍ମଦ ସିରାଜ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।