ସମାଲୋଚକଙ୍କୁ ଦୃଢ଼ ଜବାବ ଦେଲେ ପ୍ରସାଦ

ନୂଆଦିଲ୍ଲୀ: ବିସିସିଆଇ ଚୟନ କମିଟି ସଦସ୍ୟଙ୍କ ଅନ୍ତର୍ଜାତୀୟ ରେକର୍ଡକୁ ନେଇ ଲଗାତାର ହେଉଥିବା ସମାଲୋଚନାର ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ। ପ୍ରସାଦଙ୍କ ମତରେ, ଯଦି ଜଣେ ଅଧିକ ମ୍ୟାଚ୍ ଖେଳିଥିବ, ତାହେଲେ ତା’ ପାଖରେ ଅଧିକ ଅଭିଜ୍ଞତା ରହିବ, ଏକଥା ଉଚିତ୍ ନୁହେଁ। ପ୍ରସାଦ ନିଜର ବିଶେଷ ସାକ୍ଷାତକାରରେ ଅନେକ ପ୍ରସଙ୍ଗ ଉପରେ ନିଜର ରାୟ ଦେଇଛନ୍ତି, ଯେଉଁଥିରେ ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ଦେଇଛନ୍ତି। ତାଙ୍କ […]

prasad

prasad

Ranjit Kumar Jena
  • Published: Tuesday, 30 July 2019
  • Updated: 30 July 2019, 06:56 PM IST

Sports

Latest News

ନୂଆଦିଲ୍ଲୀ: ବିସିସିଆଇ ଚୟନ କମିଟି ସଦସ୍ୟଙ୍କ ଅନ୍ତର୍ଜାତୀୟ ରେକର୍ଡକୁ ନେଇ ଲଗାତାର ହେଉଥିବା ସମାଲୋଚନାର ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ। ପ୍ରସାଦଙ୍କ ମତରେ, ଯଦି ଜଣେ ଅଧିକ ମ୍ୟାଚ୍ ଖେଳିଥିବ, ତାହେଲେ ତା' ପାଖରେ ଅଧିକ ଅଭିଜ୍ଞତା ରହିବ, ଏକଥା ଉଚିତ୍ ନୁହେଁ। ପ୍ରସାଦ ନିଜର ବିଶେଷ ସାକ୍ଷାତକାରରେ ଅନେକ ପ୍ରସଙ୍ଗ ଉପରେ ନିଜର ରାୟ ଦେଇଛନ୍ତି, ଯେଉଁଥିରେ ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ଦେଇଛନ୍ତି। ତାଙ୍କ ଉପରେ ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଦୁର୍ବଳ ଚୟନକର୍ତ୍ତାର ଅଭିଯୋଗ ଲଗାଇଛନ୍ତି। ଚୟନକମିଟିରେ ଉପସ୍ଥିତ ୫ଜଣ ସଦସ୍ୟଙ୍କ ପାଖରେ ମାତ୍ର ୧୩ଟି ଟେଷ୍ଟ ଖେଳିବାର ଅଭିଜ୍ଞତା ରହିଛି।

ଚୟନକର୍ତ୍ତାଙ୍କ ଅଭିଜ୍ଞତାକୁ ନେଇ ପ୍ରସାଦ କହିଛନ୍ତି, ଚୟନ କମିଟିରେ ସାମିଲ ସବୁ ସଦସ୍ୟ ବିଭିନ୍ନ ଫର୍ମାଟରେ ଭାରତୀୟ ଟିମର ପ୍ରତିନିଧିତ୍ୱ କରିଛନ୍ତି, ଯାହା ଆମ ନିଯୁକ୍ତିର ମାନଦଣ୍ଡ ଥିଲା। ଅନ୍ତର୍ଜାତୀୟ କ୍ରିକେଟ୍ ବ୍ୟତୀତ ଆମେ ପ୍ରଥମଶ୍ରେଣୀରେ ୪୭୭ ମ୍ୟାଚ୍ ଖେଳିଛୁ। ନିଜ କାର୍ଯ୍ୟକାଳ ସମୟରେ ଆମେ ସମସ୍ତେ ମିଶିକି ୨୦୦ରୁ ଅଧିକ ପ୍ରଥମଶ୍ରେଣୀ ମ୍ୟାଚ୍ ଦେଖିଛୁ। ଯଦି କେହି ଆମର ମାନ୍ୟତା ଓ ଅନ୍ତର୍ଜାତୀୟ ଅଭିଜ୍ଞତା ଉପରେ ପ୍ରଶ୍ନ ଉଠାଉଛନ୍ତି, ତାହେଲେ ସେମାନଙ୍କୁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡର ବର୍ତ୍ତମାନ ଚୟନ କମିଟିର ଅଧ୍ୟକ୍ଷ ଏଡ୍ ସ୍ମିଥଙ୍କୁ ଦେଖିବାକୁ ପଡ଼ିବ। ସ୍ମିଥ୍ ମାତ୍ର ଗୋଟିଏ ଟେଷ୍ଟ ଖେଳିଛନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଟ୍ରେଭର୍ ହୋନ୍ସ ମାତ୍ର ୭ଟି ଟେଷ୍ଟ ଖେଳିଛନ୍ତି। ମଝିରେ ଦୁଇ ବର୍ଷକୁ ଛାଡ଼ି ଦେଲେ ସେ ଦେଢ଼ ଦଶନ୍ଧି ହେଲା ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଅଛନ୍ତି। ୧୨୮ ଟେଷ୍ଟ ଏବଂ ୨୪୪ ଦିନିକିଆ ଖେଳିଥିବା ମାର୍କ ୱ' ଏବେ ତାଙ୍କ ଅଧୀନରେ କାମ କରୁଛନ୍ତି। ସେହିପରି ୮୭ ଟେଷ୍ଟ ଓ ୭୪ ଦିନିକିଆ ଖେଳିଥିବା କିମ୍ବଦନ୍ତୀ ଗ୍ରେଗ୍ ଚାପେଲ ମଧ୍ୟ ଟ୍ରେଭରଙ୍କ ଅଧୀନରେ କାମ କରୁଛନ୍ତି। ଯଦି ସେମାନଙ୍କ ଉପରେ କୌଣସି ପ୍ରଶ୍ନ ଉଠୁନାହିଁ, ତାହେଲେ ଆମ ଦେଶର କାହିଁକି ଏଭଳି ହେବ।

ଯଦି ଅନ୍ତର୍ଜାତୀୟ ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠୁଛି, ତାହେଲେ ସ୍ୱଗର୍ତ ରାଜସିଂହ ଡୁଙ୍ଗରପୁର କେବେବି ଚୟନକମିଟିର ଅଧ୍ୟକ୍ଷ ହୋଇପାରି ନଥାନ୍ତେ, କାରଣ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିଲେ। ଏପରିକି ସଚିନ ତେନ୍ଦୁଲକରଙ୍କ ଭଳି ହିରା ମାତ୍ର ୧୬ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିପାରିନଥାନ୍ତେ। ତେଣୁ ଆମକୁ ସମାଲୋଚନା କରିବା ପୂର୍ବରୁ ଥରେ ଭଲ ଭାବେ ଚିନ୍ତା କରିବା ଦରକାର। ଆମକୁ ଯେଉଁମାନେ ଦୁର୍ବଳ ବୋଲି କହୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ କିମ୍ବଦନ୍ତୀ କ୍ରିକେଟରଙ୍କୁ ବହୁତ ସମ୍ମାନ କରୁ। ସେମାନଙ୍କର ପ୍ରତିଟି କଥାକୁ ସଠିକ୍ ଭାବେ ଗ୍ରହଣ କରିଥାଉ। ସେମାନଙ୍କ ପାଖରେ ଭିନ୍ନ ଦୃଷ୍ଟିକୋଣ ଅଛି। ବାସ୍ତବରେ କହିବାକୁ ଗଲେ, ଏଭଳି ମନ୍ତବ୍ୟ ମର୍ମାହତ କରିବା ବଦଳରେ ଆମକୁ ମଜଭୁତ୍, ପ୍ରତିଶ୍ରୁତିବଦ୍ଧ ଓ ଏକଜୁଟ୍ କରିଥାଏ।

କୋଚ୍ ରବି ଶାସ୍ତ୍ରୀ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ନେଇ ପ୍ରସାଦ କହିଛନ୍ତି, ଶାସ୍ତ୍ରୀ ଓ ବିରାଟ୍ ଜାତୀୟ ଦଳର କୋଚ୍ ଓ କ୍ୟାପଟେନ୍। ରାହୁଲ୍ ଡ୍ରାଭିଡ୍ ଏ' ଟିମର କୋଚ୍। ଆମେ ଶାସ୍ତ୍ରୀ, ବିରାଟ୍ ଓ ଡ୍ରାଭିଡଙ୍କ ସହ ମିଶି ଏକାଠି କାମ କରୁଛୁ। ବେଳେ ବେଳେ ଆମର ବିଚାର ପରସ୍ପର ସହ ମିଶେ ନାହିଁ, କିନ୍ତୁ ଏହା କେବେବି ସାମ୍ନାକୁ ଆସିନଥାଏ। ଭାରତୀୟ ଟିମ୍ ଏବଂ ଦେଶ ହିତ ପାଇଁ ଯାହା ଆବଶ୍ୟକ, ଆମେ ତାହା କରୁ। ଯେଉଁମାନେ ଭାବୁଛନ୍ତି, ଯେଉଁ ଖେଳାଳି ଅଧିକ କ୍ରିକେଟ୍ ଖେଳିଛନ୍ତି, ସେମାନଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ଏବଂ ଅଧିକ ଶକ୍ତି ଏବଂ ସେମାନେ କାହା ଉପରେ ହକ୍ ସାବ୍ୟସ୍ତ କରିପାରିବେ, ତାହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍।

ନିଜ ଚୟନକମିଟିର ପ୍ରଦର୍ଶନକୁ ନେଇ ପ୍ରସାଦ କହିଛନ୍ତି, ଆମ ଚୟନକମିଟି ଘରୋଇ କ୍ରିକେଟରେ ଯୁବ ପ୍ରତିଭାକୁ ଖୋଜିବା ପାଇଁ ପୂରା ଦେଶ ଭ୍ରମଣ କରିଛି। ଆମେ ଯୋଗ୍ୟ ଖେଳାଳିଙ୍କୁ ଭାରତ-ଏ ଓ ପରେ ସିନିୟର ଟିମରେ ସ୍ଥାନ ଦେଇଛୁ। ଆମ ଟେଷ୍ଟ ଟିମ୍ ଗତ ୧୩ ଟେଷ୍ଟରୁ ୧୧ଟିରେ ବିଜୟୀ ହୋଇଛି ଏବଂ ଗତ ତିନିବର୍ଷରେ ଆଇସିସିର ଏକ ନମ୍ବର ଟିମ୍ ମଧ୍ୟ ହୋଇଛୁ। ଏହାଛଡ଼ା ଦିନିକିଆରେ ଆମର ସଫଳତା ୮୦-୮୫ ପ୍ରତିଶତ ରହିଛି। ଆମେ ଦୁଇଥର (୨୦୧୬, ୨୦୧୮) ଏସିଆ କପ୍ ମଧ୍ୟ ଜିତିଛୁ। ଭାରତ-ଏ' ଟିମ୍ ସମସ୍ତ ୧୧ ସିରିଜରେ ବିଜୟୀ ହୋଇଛି, ଯେଉଁଥିରେ ଚତୁଃରାଷ୍ଟ୍ରୀୟ ସିରିଜ୍ ମଧ୍ୟ ସାମିଲ୍ ଅଛି । ସେହିପରି ଭାରତ-ଏ ୯ଟିରୁ ୮ଟି ଟେଷ୍ଟ ସିରିଜ୍ ଜିତିଛି। ଆମେ ପ୍ରାୟ ୩୫ଜଣ ନୂଆ ଖେଳାଳିଙ୍କୁ ପ୍ରସ୍ତୁତ କରିଛୁ ଏବଂ ସେମାନଙ୍କୁ ତିନୋଟି ଯାକ ଫର୍ମାଟରେ ସୁଯୋଗ ଦେଇଛୁ। ତେଣୁ ଆମ କମିଟି ସଫଳତାର ସବୁ ଶିଖର ଛୁଇଁସାରିଛି ବୋଲି ପ୍ରସାଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos