ବାଂଲା ଟାଇଗରକୁ ସ୍ପିନ ଜାଲରେ ଫସାଇଲା ଆଫଗାନିସ୍ତାନ

ଶାରଜା: ଏସିଆ କପର ତୃତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ବାଂଲାଦେଶ ଓ ଆଫଗାନିସ୍ତାନ। ଶାରଜାରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ମହମ୍ମଦ ନବିଙ୍କ ଆଫଗାନିସ୍ତାନର ସ୍ପିନ ଜାଲରେ ଫସିଯାଇଛି। ଆଫଗାନ ସ୍ପିନରଙ୍କ ଯାଦୁ ଯୋଗୁ ବାଂଲା ଟାଇଗର ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ କେବଳ ୧୨୭ ରନ କରିଛି। ଫଳରେ ଆଫଗାନିସ୍ତାନକୁ ଏହି ମ୍ୟାଚ୍‌ ସହ ସୁପର ୪ରେ ପ୍ରବେଶ ପାଇଁ ୧୨୮ ରନର ଟାର୍ଗେଟ ମିଳିଛି। ପ୍ରଥମ […]

Rashid-Khan

  • Published: Tuesday, 30 August 2022
  • , Updated: 30 August 2022, 09:14 PM IST

ଶାରଜା: ଏସିଆ କପର ତୃତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ବାଂଲାଦେଶ ଓ ଆଫଗାନିସ୍ତାନ। ଶାରଜାରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ମହମ୍ମଦ ନବିଙ୍କ ଆଫଗାନିସ୍ତାନର ସ୍ପିନ ଜାଲରେ ଫସିଯାଇଛି। ଆଫଗାନ ସ୍ପିନରଙ୍କ ଯାଦୁ ଯୋଗୁ ବାଂଲା ଟାଇଗର ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ କେବଳ ୧୨୭ ରନ କରିଛି। ଫଳରେ ଆଫଗାନିସ୍ତାନକୁ ଏହି ମ୍ୟାଚ୍‌ ସହ ସୁପର ୪ରେ ପ୍ରବେଶ ପାଇଁ ୧୨୮ ରନର ଟାର୍ଗେଟ ମିଳିଛି।

ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇଥିଲେ। ଏହି ମ୍ୟାଚ୍‌ ଜିତିଲେ ଦଳ ଆପେଆପେ ସୁପର ୪ରେ ପହଞ୍ଚିଯିବ। ସେହିପରି ବାଂଲାଦେଶ ପରବର୍ତ୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ।

ଆଜିର ମ୍ୟାଚ୍‌ରେ ବାଂଲାଦେଶର ଅଧିନାୟକ ସାକିବ-ଅଲ-ହାସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ଦ୍ୱିତୀୟ ଓଭର୍‌ରେ ଓପନର ମହମ୍ମଦ ନୈମ(୬)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମୁଜୀବ ଉର ରହମନ ନେଇଥିଲେ। ଅନ୍ୟତମ ଓପନର ଅନମୁଲ ହକ(୫) ମୁଜୀବଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଅଧିନାୟକ ସାକିବ ଦ୍ରୁତ ବୋଲର ନବୀନ ଉଲ ହକଙ୍କୁ କିଛି ଦର୍ଶନୀୟ ଚୌକା ମାରିଥିଲେ ମଧ୍ୟ କେବଳ ୧୧ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ମୁଜୀବଙ୍କ ଖାତାକୁ ଯାଇଥିଲା। ଅଭିଜ୍ଞ ମୁସଫିକର ରହିମ(୧) ମଧ୍ୟ ବେଶୀ କିଛି କରିପାରି ନଥିଲେ। ତାଙ୍କୁ ଆଉଟ କରି ଲେଗ ସ୍ପିନର ରଶିଦ ଖାନ ବାଂଲାଦେଶକୁ ୪ର୍ଥ ଝଟକା ଦେଇଥିଲେ।

୨୮ ରନରେ ୪ ୱିକେଟ ହରାଇ ବାଂଲାଦେଶ ସଙ୍କଟରେ ପଡ଼ିଥିଲା। ଅଫିଫ ହୁସେନ ଓ ମହମ୍ମଦୁଲ୍ଲା ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୫୩ରେ ପହଞ୍ଚାଇଥିଲେ। କିନ୍ତୁ ରଶିଦ ଖାନ ୧୨ ରନ କରିଥିବା ଅଫିଫଙ୍କୁ ଆଉଟ କରି ବାଂଲାଦେଶକୁ ୫ମ ଝଟକା ଦେଇଥିଲେ। ୬ଷ୍ଠ ୱିକେଟ ପାଇଁ ମହମ୍ମଦୁଲ୍ଲା ଓ ମୋସାଡେକ ହୋସୈନ ୩୬ ରନ ଯୋଡ଼ିଥିଲେ।

ଲାଗୁଥିଲା ଦୁହେଁ ବାଂଲାଦେଶକୁ ବଡ଼ ସ୍କୋର କରିବାରେ ସହାୟତା କରିବେ। କିନ୍ତୁ ରଶିଦ ଖାନ ନିଜ ସ୍ପେଲର ଶେଷ ଓଭରରେ ମହମ୍ମଦୁଲ୍ଲା(୨୫)ଙ୍କୁ ଆଉଟ କରି ଦେଇ ସବୁ ଆଶାରେ ପାଣି ପକାଇ ଦେଇଥିଲେ। ମୁଜୀବ ଓ ରଶିଦ ମିଳିତ ଭାବେ ବାଂଲାଦେଶର ପ୍ରଥମ ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ଏଥିସହ ଉଭୟ ମିଳିତ ଭାବେ ୮ ଓଭର ବୋଲିଂ କରି ଯଥାକ୍ରମେ ୧୬ ଓ ୨୨ ରନ ବ୍ୟୟ କରିଛନ୍ତି। ଶେଷ ଭାଗରେ ମୋସାଡେକ କିଛି ବଡ଼ ଶଟ ଖେଳିବା ସହ ବାଂଲାଦେଶର ସ୍କୋରକୁ ୧୦୦ ପାର କରାଇଥିଲେ। ତାଙ୍କୁ ମାହେଦି ହାସନ ମଧ୍ୟ ଭରପୂର ସହଯୋଗ କରିଥିଲେ।

ଉଭୟ ୭ମ ୱିକେଟ ପାଇଁ ୩୮ ରନ ଯୋଡ଼ିଥିଲେ। ବାଂଲାଦେଶର ସ୍କୋର ୧୨୭ ଥିବା ବେଳେ ୧୯.୫ ଓଭର୍‌ରେ ହାସନ(୧୪) ରନ କରି ରନ ଆଉଟ ହୋଇଥିଲେ। ଶେଷ ବଲରେ ମୋସାଡେକ କୌଣସି ରନ କରିପାରି ନଥିଲେ। ଫଳରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୨୭ ରନ କରିଛି। ମୋସେଡେକ ଶେଷ ଯାଏ ୩୧ ବଲରେ ୪୮ ରନ କରି ଅପାରିଜ ରହିଥିଲେ। ଏହି ଇନିଂସରେ ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

Related story