ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର। ପୁଣିଥରେ ପିଙ୍କ ବଲ୍ରେ ଭାରତରେ ଅନୁଷ୍ଠିତ ହେବ ଦିବାରାତ୍ର ଟେଷ୍ଟ। ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିବାରାତ୍ର ଟେଷ୍ଟ। ଆଜି ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଦିଆଯାଇଛି ସୂଚନା। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଟି-୨୦ ଓ ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ବିସିସିଆଇ ପକ୍ଷରୁ ସଂଶୋଧିତ ଭେନ୍ୟୁ ତାଲିକା ଜାରି କରାଯାଇଛି।
ଏହି ତାଲିକା ଅନୁଯାୟୀ, ୩ ଟିକିଆ ଟି-୨୦ ସିରିଜ୍ ପରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ବେଙ୍ଗାଲୁରୁରେ ଦିବରାତ୍ର ଟେଷ୍ଟ ୧୨ ମାର୍ଚ୍ଚରୁ ୧୬ ମାର୍ଚ୍ଚ ଯାଏ ଚାଲିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
ବିସିସିଆଇ କହିଛି ଯେ ମୋଟ ୪ଟି ସ୍ଥାନରେ ୩ ଟି-୨୦ ଓ ୨ଟି ଯାକ ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍ ଫେବୃଆରୀ ୨୪ରେ ଲକ୍ଷ୍ନୌରେ ଖେଳାଯିବ। ଏହାପରେ ୨୬ ଓ ୨୭ ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ଦୁଇଟି ଯାକ ଟି-୨୦ ମ୍ୟାଚ୍ ଧର୍ମଶାଳାରେ ଅନୁଷ୍ଠିତ ହେବ।
ଟି-୨୦ ସିରିଜ୍ ପରେ ମାର୍ଚ୍ଚ ୪ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମୋହାଲିରେ ଓ ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ବେଙ୍ଗାଲୁରୁ ଟେଷ୍ଟ ଦିବାରାତ୍ର ବିଶିଷ୍ଟ ହେବ। ଭାରତ ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବାକୁ ଯାଉଛି। ୨୦୧୯ରେ ଭାରତ ପ୍ରଥମଥର ପାଇଁ ବାଂଲାଦେଶ ବିପକ୍ଷରେ ଓ ୨୦୨୧ରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିବରାତ୍ର ଟେଷ୍ଟ ଖେଳିଥିଲା। ଏବେ ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପିଙ୍କ ବଲ ଟେଷ୍ଟ ଅନୁଷ୍ଠିତ ହେବ।
ପ୍ରାଥମିକ ଅବସ୍ଥାରେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରୁ ତା’ର ଭାରତ ଗସ୍ତ ଆରମ୍ଭ କରିବାର ଥିଲା। ଫେବୃଆରୀ ୨୫ରେ ମୋହାଲିରେ ପ୍ରଥମ ଟେଷ୍ଟ ଓ ମାର୍ଚ୍ଚ ୫ରୁ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା ଏବେ ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜ ଖେଳୁଛି। କରୋନା ପାଇଁ ଖେଳାଳି ପାଇଁ ବାୟୋ ବବଲ୍ସରେ ଅଛନ୍ତି। ତେଣୁ ଭ୍ରମଣକାରୀ ଟିମ୍ ବବଲ୍ସରେ ରହିଥିବା ଖେଳାଳିଙ୍କୁ ଟି-୨୦ ସିରିଜ୍ ଖେଳିବାକୁ ଭାରତ ପଠାଇବ। ଏହି କାରଣ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପ୍ରଥମେ ଟି-୨୦ ଓ ପରେ ଟେଷ୍ଟ ସିରିଜ୍ ଆୟୋଜନ କରିବାକୁ ଅନୁରୋଧ କରିଥିଲା। ଏହାକୁ ବିସିସିଆଇ ଗ୍ରହଣ କରିଛି।