ବଟଲର ଓ ହେଟମେୟର ବିସ୍ଫୋରଣ, ମୁମ୍ବାଇକୁ ୧୯୪ ରନ୍‌ର ଟାର୍ଗେଟ

ମୁମ୍ବାଇ: ପୁଣିଥରେ ଚମକିଛନ୍ତି ରାଜସ୍ଥାନ ରୟାଲ୍ସର ବ୍ୟାଟର। ବିଶେଷ କରି ଜୋଶ ବଟଲର ଓ ଶିମରନ ହେଟମେୟରଙ୍କ ବିସ୍ଫୋରକ ରୂପ ଆଜି ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଟଲରଙ୍କ ଶତକ ଓ ହେଟମେୟରଙ୍କ ବିସ୍ଫୋରକ ୩୫ ରନ୍‌ ବଳରେ ରାଜସ୍ଥାନ ପୁଣିଥରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ନିର୍ଦ୍ଧାରିତ ୨୦ ଓଭର୍‌ରେ ରାଜସ୍ଥାନ ୮ ୱିକେଟ ହରାଇ ୧୯୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପ୍ରଥମ ମ୍ୟାଚ୍‌ ହାରିଥିବା ମୁମ୍ବାଇକୁ ଜିତିବା ପାଇଁ […]

Rajsthan

Hemant Lenka
  • Published: Saturday, 02 April 2022
  • , Updated: 02 April 2022, 05:25 PM IST

ମୁମ୍ବାଇ: ପୁଣିଥରେ ଚମକିଛନ୍ତି ରାଜସ୍ଥାନ ରୟାଲ୍ସର ବ୍ୟାଟର। ବିଶେଷ କରି ଜୋଶ ବଟଲର ଓ ଶିମରନ ହେଟମେୟରଙ୍କ ବିସ୍ଫୋରକ ରୂପ ଆଜି ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଟଲରଙ୍କ ଶତକ ଓ ହେଟମେୟରଙ୍କ ବିସ୍ଫୋରକ ୩୫ ରନ୍‌ ବଳରେ ରାଜସ୍ଥାନ ପୁଣିଥରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛି। ନିର୍ଦ୍ଧାରିତ ୨୦ ଓଭର୍‌ରେ ରାଜସ୍ଥାନ ୮ ୱିକେଟ ହରାଇ ୧୯୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପ୍ରଥମ ମ୍ୟାଚ୍‌ ହାରିଥିବା ମୁମ୍ବାଇକୁ ଜିତିବା ପାଇଁ ୧୯୪ ରନ୍‌ର ଟାର୍ଗେଟ ମିଳିଛି। ରାଜସ୍ଥାନ ଏହାର ପୂର୍ବ ମ୍ୟାଚ୍‌ରେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ହାଇଦ୍ରାବାଦ ବିପକ୍ଷରେ ୨୧୦ ରନ୍‌ କରିଥିଲା।

ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଯଶପ୍ରୀତ ବୁମ୍ରା ଦଳୀୟ ସ୍କୋର ୧୩ ଥିବା ବେଳେ ଯଶ୍ୱସୀ ଜୈସୱାଲ(୧)ଙ୍କୁ ଆଉଟ କରି ଦେଇଥିଲେ। ଦେବଦତ୍ତ ପାଡିକ୍କଲ(୭) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଟି ପାରି ନଥିଲେ। ତାଙ୍କ ୱିକେଟ ଟାୟମଲ ମିଲ୍ସ ନେଇଥିଲେ।

ରାଜସ୍ଥାନ ୪୮ ରନ୍‌ରେ ଦୁଇ ୱିକେଟ ହରାଇ ସାମାନ୍ୟ ସଙ୍କଟରେ ପଡ଼ିଥିଲା। ହେଲେ ଜୋଶ ବଟଲର କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ମୁମ୍ବାଇ ବୋଲର ବିଶାଲ ଥାମ୍ପିଙ୍କ ଗୋଟିଏ ଓଭର୍‌ରୁ ରାଜସ୍ଥାନ ୨୬ ରନ୍‌ ଆଦାୟ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲା।

ବଟଲର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ବଟଲର ଓ ସାମସନ ୩ୟ ୱିକେଟ ପାଇଁ ୮୨ ରନ୍‌ ଯୋଡ଼ି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇ ଯାଇଥିଲେ। ତେବେ ଏହି ସମୟରେ ସାମସନ(୩୦)ଙ୍କୁ କାଏରନ ପୋଲାର୍ଡ ଆଉଟ କରି ରାଜସ୍ଥାନକୁ ୩ୟ ଝଟକା ଦେଇଥିଲେ।

ହେଲେ ଏହାର ପ୍ରଭାବ ବଟଲରଙ୍କ ଉପରେ ପଡ଼ି ନଥିଲା। ସେହିପରି ନୂଆ କରି କ୍ରିଜ୍‌କୁ ଆସିଥିବା ହେଟମେୟର ମଧ୍ୟ ବଡ଼ବଡ଼ ଶଟ ଖେଳିଥିଲେ। ହେଟମେୟର ମାତ୍ର ୧୪ ବଲରେ ୩୫ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୩ଟି ଛକା ଓ ୩ଟି ଚୌକା ମାରିଛନ୍ତି। ବଟଲର ମଧ୍ୟ ବଡ଼ବଡ଼ ଶଟ ଖେଳି ୬୫ ବଲ୍‌ରେ ନିଜର ଶତକ ହାସଲ କରିଥିଲେ। ଏହା ୨୦୨୨ ଆଇପିଏଲରେ ତାଙ୍କର ପ୍ରଥମ ଶତକ। ତେବେ ସମାନ ୧୦୦ ରନ୍‌ରେ ତାଙ୍କୁ ବୁମ୍ରା ଆଉଟ କରି ରାଜସ୍ଥାନର ରନ ସଂଗ୍ରହ ହାର୍‌ରେ ସାମାନ୍ୟ ବ୍ରେକ ଲଗାଇ ଦେଇଥିଲେ। ଏହି ଇନିଂସରେ ବଟଲର ୬୮ ବଲ ଖେଳି ୧୧ଟି ଚୌକା ଓ ୫ଟି ଛକା ମାରିଛନ୍ତି।

୧୮ତମ ଓଭର ହିଁ ମୁମ୍ବାଇ ପାଇଁ ସବୁଠାରୁ ଭଲ ସାବ୍ୟସ୍ତ ହୋଇଛି। ଏହି ଓଭରଟି ବୁମ୍ରା ପକାଇଥିଲେ। ସେ ପ୍ରଥମେ ହେଟମେୟରଙ୍କୁ ଆଉଟ କରିଥିଲେ। ଏହାପରେ ୫ମ ବଲରେ ବଟଲରଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଶେଷ ବଲରେ ରବିଚନ୍ଦ୍ରନ ଅଶ୍ୱିନ(୧) ମଧ୍ୟ ରନ ଆଉଟ ହୋଇ ଯାଇଥିଲେ।

ଶେଷ ଓଭର୍‌ରେ ମିଲ୍ସ ମଧ୍ୟ ୮ ରନ୍‌ ଦେଇ ଦୁଇଟି ୱିକେଟ ହାସଲ କରିଛନ୍ତି। ସେ ପ୍ରଥମେ ନଭଦୀପ ସୈନି(୨) ଓ ଇନିଂସର ଶେଷ ବଲରେ ରିୟାପ ପରାଗ(୫)ଙ୍କୁ ଆଉଟ କରିବାରୁ ରାଜସ୍ଥାନ ୮ ୱିକେଟ ହରାଇ ୧୯୩ ରନରେ ଅଟକି ଯାଇଥିଲା।

ମୁମ୍ବାଇ ପକ୍ଷରୁ ବୁମ୍ରା ଓ ମିଲ୍ସ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ପୋଲାର୍ଡଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

Related story