ଲଢ଼ିଲେ ଶ୍ରୀଲଙ୍କା କ୍ୟାପ୍ଟେନ, କିନ୍ତୁ ମ୍ୟାଚ ସହ ସିରିଜ୍‌ କ୍ଲିନସୁଇପ କଲା ଭାରତ

ବେଙ୍ଗାଲୁରୁ: ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟର ଆତ୍ମସମର୍ପଣ କରିଥିଲେ। ହେଲେ ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍ନେ ଲଢ଼େଇ କରି ଶତକ ହାସଲ କରିଥିଲେ। ତେବେ ତାଙ୍କ ଶତକ ସତ୍ତ୍ୱେ ଶ୍ରୀଲଙ୍କା ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇନି। ଭାରତ ଏହି ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା। ଏହାର […]

Team iNdia

Hemant Lenka
  • Published: Monday, 14 March 2022
  • , Updated: 14 March 2022, 05:59 PM IST

ବେଙ୍ଗାଲୁରୁ: ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟର ଆତ୍ମସମର୍ପଣ କରିଥିଲେ। ହେଲେ ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍ନେ ଲଢ଼େଇ କରି ଶତକ ହାସଲ କରିଥିଲେ। ତେବେ ତାଙ୍କ ଶତକ ସତ୍ତ୍ୱେ ଶ୍ରୀଲଙ୍କା ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇନି। ଭାରତ ଏହି ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା।

ଏହାର ଜବାବରେ ସିଂହଳ ଟିମ ୨୦୮ ରନ୍‌ରେ ଅଲଆଉଟ ହୋଇଯାଇଛି। ଏହି ମ୍ୟାଚ୍‌କୁ ୨୩୮ ରନ୍‌ରେ ଜିତି ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ୍‌କୁ ୨-୦ରେ କ୍ଲିନ ସୁଇପ କରିଛି। ଭାରତ ପ୍ରଥମ ଇନିଂସରେ ୨୫୨ ରନ୍‌ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା କେବଳ ୧୦୯ ରନ୍‌ କରିଥିଲା। ଏହାପରେ ଭାରତ ତା’ର ଦ୍ୱିତୀୟ ଇନିଂସରେ ୩୦୩/୯ରେ ପାଳି ଘୋଷଣା କରିଥିଲା। ଫଳରେ ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

କାଲି ୭ ଓଭର ବ୍ୟାଟିଂ କରି ଗୋଟିଏ ୱିକେଟ ହରାଇ ଶ୍ରୀଲଙ୍କା ୨୮ ରନ୍ କରିଥିଲା। ଆଜି ଖେଳ ଆରମ୍ଭରୁ କରୁଣାରତ୍ନେ ଓ କୁଶଲ ମେଣ୍ଡିସ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦିବସର ପ୍ରଥମ ୪୫ ମିନିଟ ଯାଏ ଭାରତୀୟ ବୋଲରଙ୍କୁ ସଫଳତା ହାସଲ କରିବାକୁ କୌଣସି ସୁଯୋଗ ଦେଇ ନଥିଲେ। ବିଶେଷ କରି ମେଣ୍ଡିସ ଦର୍ଶନୀୟ ଶଟ ଖେଳି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ।

ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସେ ୫୪ ରନ୍‌ କରିଥିବା ବେଳେ ରବି ଅଶ୍ୱିନ ତାଙ୍କୁ ଆଉଟ କରି ସିଂହଳ ଟିମକୁ ଜବରଦସ୍ତ ଝଟକା ଦେଇଥିଲେ। ଏହାପରେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ(୧)ଙ୍କୁ ରବୀନ୍ଦ୍ର ଜାଡେଜା କ୍ଲିନବୋଲ୍ଡ କରିଦେଇଥିଲେ। ଦଳୀୟ ସ୍କୋର ୧୦୫ ଥିବା ବେଳେ ଅଶ୍ୱିନ ୪ ରନ୍‌ କରିଥିବା ଧନଞ୍ଜୟ ଡି’ସିଲଭାଙ୍କୁ ପ୍ୟାଭିଲିୟନ ପଠାଇ ଶ୍ରୀଲଙ୍କାକୁ ୪ର୍ଥ ଝଟକା ଦେଇଥିଲେ।

ଏକଦା ୯୭ରେ ଗୋଟିଏ ୱିକେଟ ହରାଇଥିବା ଶ୍ରୀଲଙ୍କା ୧୦୫ ରନ୍‌ରେ ୪ ଜଣ ବ୍ୟାଟରଙ୍କୁ ହରାଇ ଅଡ଼ୁଆରେ ପଡ଼ିଥିଲା। ଗୋଟିଏ ପଟେ ୱିକେଟ ଝଡ଼ୁଥିବା ବେଳେ ଅଧିନାୟକ କରୁଣାରତ୍ନେ ଲଢ଼େଇ କରିଥିଲେ। ଏଥିସହ ସେ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ଆଉ ଏକ ଶତକ ହାସଲ କରିଥିଲେ। ୧୭୪ ବଲ୍‌ରେ ୧୦୭ ରନ୍‌ର ଇନିଂସ ଖେଳିଥିବା କରୁଣାରତ୍ନେଙ୍କୁ ବୁମ୍ରା କ୍ଲିନ ବୋଲ୍ଡ କରି ଶ୍ରୀଲଙ୍କାର ସବୁ ଆଶାରେ ପାଣି ପକାଇଥିଲେ।

କରୁଣାରତ୍ନେ ତାଙ୍କ ଶତକୀୟ ଇନିଂସରେ ୧୫ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିକୱେଲା(୧୨), ଚରିତ ଅସଲାଙ୍କା(୫), ଲସିଥ ଇମ୍ବୁଲଡେନିୟା(୨) ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ନିଜ ଟେଷ୍ଟ କ୍ୟାରିୟର ଶେଷ ମ୍ୟାଚ୍‌ ଖେଳୁଥିବା ସୁରାଙ୍ଗା ଲକମଲ(୧)ଙ୍କୁ ବୁମ୍ରା କ୍ଲିନବୋଲ୍ଡ କରିଥିଲେ। ଶେଷ ବ୍ୟାଟର ଭାବେ ବିଶ୍ୱ ଫର୍ଣ୍ଣାଡୋ(୨)ଙ୍କୁ ଅଶ୍ୱିନ ଆଉଟ କରି ଶ୍ରୀଲଙ୍କା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ରବି ଅଶ୍ୱିନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ୩ଟି, ଅକ୍ଷର ପଟେଲ ୨ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ସଫଳତା ପାଇଛନ୍ତି।

Related story