ଦୁବାଇ: ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବଡ଼ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍ର ଅଧିନାୟକ ମେଗ ଲାନ୍ନିଂ। ସେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ ଭାରତର ଦିନିକିଆ ଅଧିନାୟକ ମିତାଲି ରାଜ ୪ର୍ଥ ସ୍ଥାନକୁ ଖସିଛନ୍ତି।
ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ମହିଳା ବିଶ୍ୱକପ ଖେଳାଯାଉଛି। ପ୍ରଥମ ୫ ମ୍ୟାଚ୍ର ପ୍ରଦର୍ଶନକୁ ଆଧାର କରି ଆଇସିସି ପକ୍ଷରୁ ଦିନିକିଆ ବ୍ୟାଟର ରାଙ୍କିଙ୍ଗ ଜାରି କରାଯାଇଛି।
ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଲାନ୍ନିଂ ୧୧୦ ବଲରେ ୮୬ ରନର ଇନିଂସ ଖେଳିଥିଲେ। ଫଳରେ ଅଷ୍ଟ୍ରେଲିଆ ମହିଳା ଟିମ ଇଂଲଣ୍ଡ ବିପକ୍ଷରେ ବିଶାଳ ୩୧୦ ରନ୍ ହାସଲ କରିପାରିଥିଲା। ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଅଷ୍ଟ୍ରେଲିଆର ରାଚେଲ ହାୟନେସ ୬ଟି ସ୍ଥାନ ଉପରକୁ ଉଠିଛନ୍ତି।
ସେ ଏବେ ରାଙ୍କିଙ୍ଗର ୭ମ ସ୍ଥାନରେ ଅଛନ୍ତି। ହାୟନେସ ଇଂଲଣ୍ଡ ବିପକ୍ଷରେ ୧୩୧ ବଲରେ ୧୩୦ ରନ୍ କରିଥିଲେ। ଇଂଲଣ୍ଡର ନାଟ ସ୍କିଭର ୫ଟି ସ୍ଥାନ ଉପରକୁ ଉଠି ୬ଷ୍ଠରେ ପହଞ୍ଚି ଯାଇଛନ୍ତି।
ପୂର୍ବଭଳି ଅଷ୍ଟ୍ରେଲିଆର ଆଲିସା ହିଲ୍ ୧ନଂ ସ୍ଥାନରେ ଥିବା ବେଳେ ୩ନଂରେ ଇଂଲଣ୍ଡର ଟାମ୍ମୀ ବେଉମୋଣ୍ଟ, ୫ମରେ ଅଷ୍ଟ୍ରେଲିଆର ବେଥ ମୋନୀ, ୮ନଂରେ ନ୍ୟୁଜିଲ୍ୟାଣ୍ଡର ଆମୀ ସାଟ୍ଟେରଥୱେଟ, ୯ମରେ ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଓ ୧୦ନଂରେ ଭାରତର ସ୍ମୃତି ମନ୍ଧାନା ରହିଛନ୍ତି।
ଦିନିକିଆ ମହିଳା ବିଶ୍ୱକପର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ୱେଷ୍ଟଇଣ୍ଡିଜ ହାୟେଲ ମାଥ୍ୟୁସ ଅଲରାଉଣ୍ଡର ତାଲିକାର ଟପ ୫ରେ ପ୍ରବେଶ କରିଛନ୍ତି। ସେ ଏବେ ଏହି ତାଲିକାର ୪ନଂ ସ୍ଥାନରେ ରହିଛନ୍ତି। ବ୍ୟାଟଂ ତାଲିକାର ୧୨ ନଂ ଓ ବୋଲିଂ ତାଲିକାର ୧୦ନଂ ସ୍ଥାନରେ ମାଥ୍ୟୁସଙ୍କ ନାଁ ରହିଛି।
ଅଲରାଉଣ୍ଡ ତାଲିକାରେ ଅଷ୍ଟ୍ରେଲିଆର ଏଲିସା ପେରୀ ୧ନଂ ସ୍ଥାନରେ ରହିଥିବା ବେଳେ ଭାରତର ଦୀପ୍ତି ଶର୍ମା ୬ନଂ ସ୍ଥାନରେ ରହିଛନ୍ତି।
ବୋଲିଂ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆର ଜେସ ଜୋନାସେନ ୧ନଂ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଟପ୍ ୧୦ରେ ଏକମାତ୍ର ଭାରତୀୟ ଭାବେ ଝୁଲଣ ଗୋସ୍ୱାମୀ ୪ନଂ ସ୍ଥାନରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।