ରୁଟଙ୍କ ଶତକ, ଭାରତକୁ ମିଳିଲା ୨୦୯ ରନର ଟାର୍ଗେଟ

ନଟ୍ଟିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ୯୫ ରନର ଅଗ୍ରଣୀ ହାସଲ କରିଥିବା ଭାରତକୁ ଦ୍ୱିତୀୟ ଇନିଂସରେ ଦୃଢ଼ ଜବାବ ଦେଇଛି ଇଂଲଣ୍ଡ। ଘରୋଇ ଟିମ ତା’ର ଦ୍ୱିତୀୟ ଇନିଂସରେ ଅଧିନାୟକ ଜୋ ରୁଟଙ୍କ ଶତକ ବଳରେ ୩୦୩ ରନ୍‌ କରି ଅଲଆଉଟ ହୋଇ ଯାଇଛି। ଫଳରେ ଭାରତକୁ ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ୨୦୯ ରନ୍‌ର ଟାର୍ଗେଟ […]

Root

Hemant Lenka
  • Published: Saturday, 07 August 2021
  • , Updated: 07 August 2021, 10:26 PM IST

ନଟ୍ଟିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ୯୫ ରନର ଅଗ୍ରଣୀ ହାସଲ କରିଥିବା ଭାରତକୁ ଦ୍ୱିତୀୟ ଇନିଂସରେ ଦୃଢ଼ ଜବାବ ଦେଇଛି ଇଂଲଣ୍ଡ। ଘରୋଇ ଟିମ ତା’ର ଦ୍ୱିତୀୟ ଇନିଂସରେ ଅଧିନାୟକ ଜୋ ରୁଟଙ୍କ ଶତକ ବଳରେ ୩୦୩ ରନ୍‌ କରି ଅଲଆଉଟ ହୋଇ ଯାଇଛି। ଫଳରେ ଭାରତକୁ ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ୨୦୯ ରନ୍‌ର ଟାର୍ଗେଟ ମିଳିଛି। ୪ର୍ଥ ଇନିଂସ୍‌ରେ ୨୦୦ରୁ ଅଧିକ ରନ୍‌ ଚେଜ କରିବା କଷ୍ଟକର ହୋଇଥିବାରୁ ଏବେ ସମସ୍ତଙ୍କ ନଜର ଟିମ ଇଣ୍ଡିଆ ଉପରେ ରହିଛି।

ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସ୍‌ରେ ଭାରତ ପାଇଁ ଯଶପ୍ରୀତ ବୁମ୍ରା ସର୍ବଶ୍ରେଷ୍ଠ ବୋଲିଂ କରିଛନ୍ତି। ସେ ଏକାକୀ ଇଂଲିଶ ଟିମ୍‌ର ୫ ଜଣ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି।

ଗତକାଲି ଭାରତ ୨୭୮ ରନରେ ଅଲଆଉଟ ହେବା ପରେ ଇଂଲିଶ ଟିମ୍ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା। ଗତକାଲି ଦଳ ବିନା କୌଣସି ୱିକେଟ ହରାଇ ବେଶ ସତର୍କତାର ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲା। ଆଜି ମଧ୍ୟ ଆରମ୍ଭରୁ ଦଳର ଦୁଇ ଓନପର ରୋରୀ ବର୍ନସ ଓ ଡମ ସିବଲେ ଚମତ୍କାର ବ୍ୟାଟିଂ କରିଥିଲେ।

ତେବେ ଦଳୀୟ ସ୍କୋର ୩୭ ଥିବା ବେଳେ ମହମ୍ମଦ ସିରାଜ ୧୮ ରନ୍‌ କରିଥିବା ବର୍ନସଙ୍କୁ ଆଉଟ କରିଥିଲେ। ଜ୍ୟାକ କ୍ରଉଲୀ(୬) ମଧ୍ୟ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ। ତାଙ୍କ ୱିକେଟ ବୁମ୍ରା ନେଇଥିଲେ। ତେବେ ସିବଲେ ଓ ରୁଟ୍ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ରୁଟ୍ ନିଜର ବ୍ୟାଟିଂ ଯାଦୁ ଦେଖାଇଥିଲେ।

ପ୍ରଥମେ ସେ ସିବଲେ(୨୮)ଙ୍କ ସହ ମିଶି ୮୯ ରନର ଭାଗିଦାରୀ କରିଥିଲେ। ସିବଲେଙ୍କୁ ବୁମ୍ରା ଆଉଟ କରିବା ପରେ ରୁଟ୍‌ ଜନ୍ନି ବେୟାରଷ୍ଟୋଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ୩୦ ରନ୍ କରିଥିବା ବେୟାରଷ୍ଟୋଙ୍କୁ ସିରାଜ ଆଉଟ କରି ଟିମ୍‌ ଇଣ୍ଡିଆକୁ କମବ୍ୟାକ୍‌ର ସୁଯୋଗ ଦେଇ ଥିଲେ।

ଡାନିଏଲ ଲାୱରେନ୍ସ(୨୫) ଓ  ଜୋଶ ବଟଲର(୧୭) ମଧ୍ୟ ବେଶୀ ସମୟ ବ୍ୟାଟିଂ କରିବାକୁ ଅକ୍ଷମ ହୋଇଥିଲେ। ଉଭୟଙ୍କ ୱିକେଟ ଶାର୍ଦ୍ଦୁଲ ଠାକୁରଙ୍କ ଖାତାକୁ ଯାଇଥିଲା। ଗୋଟିଏ ପଟେ ୱିକେଟ ଖସୁ ଥିଲେ ମଧ୍ୟ ଅନ୍ୟପଟେ ରୁଟ ଚମତ୍କାର ଶଟ୍ ଖେଳି ନିଜ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ଟେଷ୍ଟ କ୍ୟାରିୟରରେ ଆଉ ଏକ ଶତକ ଯୋଡ଼ିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୧ ତମ ଶତକ ।

ସେ ୧୦୯ ରନ୍‌ କରିଥିବା ବେଳେ ବୁମ୍ରା ତାଙ୍କୁ ଆଉଟ କରି ଘରୋଇ ଟିମ୍‌କୁ ବଡ଼ ଝଟକା ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୪ଟି ଚୌକା ସହ ୧୦୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଶେଷ ଭାଗରେ ସାମ କରାନ ୩୨ ଓ ରବିନସନ ୧୫ ରନ୍‌ କରିବାରୁ ଇଂଲଣ୍ଡ ତା’ ଦ୍ୱିତୀୟ ଇନିଂସ୍‌ରେ ୩୦୦ ରନ୍‌ ପାର କରିଥିଲା। ଏଥିସହ ଭାରତକୁ ବିଜୟ ପାଇଁ ଚ୍ୟାଲେଞ୍ଜିଂ ୨୦୯ ରନ୍‌ର ଟାର୍ଗେଟ ଦେବାକୁ ସକ୍ଷମ ହୋଇଥିଲେ। କରନାଙ୍କ ୱିକେଟ ବୁମ୍ରା ନେଇଥିବା ବେଳେ ରବିନସନଙ୍କ ୱିକେଟ ମହମ୍ମଦ ଶାମିଙ୍କ ଖାତାକୁ ଯାଇଛି। ଷ୍ଟୁଆର୍ଟ ବ୍ରଡ(୦)ଙ୍କୁ ମଧ୍ୟ ବୁମ୍ରା ଆଉଟ କରିଥିଲେ।

ଭାରତ ପକ୍ଷରୁ ବୁମ୍ରା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ସିରାଜ ଓ ଶାର୍ଦ୍ଦୁଲ ଠାକୁର ଦୁଇଟି ଲେଖାଏ ୱିକେଟ ନେଇଛନ୍ତି। ଶାମିଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

Related story