କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଶେଷ ତଥା ନିର୍ଣ୍ଣାୟକ ଟି-୨୦ରେ ଟସ୍ ଜିତିଛି ଟିମ୍ ଇଣ୍ଡିଆ। ଦଳର ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହାମାରୀ କରୋନାରେ କୃନାଲ ପାଣ୍ଡ୍ୟା ଆକ୍ରାନ୍ତ ହେବା ପରେ ଦଳର ପ୍ରମୁଖ ୮ ଜଣ ଖେଳାଳି ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଏହି କାରଣରୁ ୬ ଜଣ ବୋଲର ଓ ୫ ଜଣ ବ୍ୟାଟସମ୍ୟାନଙ୍କୁ ନେଇ ଦଳ କାଲି ଭଳି ଆଜି ମଧ୍ୟ ମୈଦାନକୁ ଓହ୍ଲାଇଛି।
ଦ୍ୱିତୀୟ ଟି-୨୦ରେ ଭାରତ ପକ୍ଷରୁ ୪ ଜଣ ଡେବ୍ୟୁ କରିଥିଲେ। ଆଜି ସନ୍ଦୀପ ୱାରିୟର ଭାରତ ପାଇଁ ପଦାର୍ପଣ କରୁଛନ୍ତି। ତାଙ୍କୁ ନବଦୀପ ସୈନିଙ୍କ ସ୍ଥାନରେ ସୁଯୋଗ ମିଳିଛି। ଗତକାଲି ସୈନି ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ ହେଁ ଗୋଟିଏ ହେଲେ ଓଭର ବୋଲିଂ କରି ନଥିଲେ।
୧୯ତମ ଓଭରରେ ସେ ଫିଲ୍ଡିଂ କରୁଥିବା ବେଳେ ଆହତ ହେବା ଅଧାରୁ ପଡ଼ିଆ ଛାଡ଼ିଥିଲେ। ଆଜି ତାଙ୍କ ବଦଳରେ ସନ୍ଦୀପଙ୍କୁ ସୁଯୋଗ ମିଳିଛି। ଏହି ଗୋଟିଏ ପରିବର୍ତ୍ତନ ଛଡ଼ା ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପକ୍ଷରେ ଦ୍ୱିତୀୟ ଟି-୨୦ରେ ଚମତ୍କାର ବିଜୟ ହାସଲ କରିଥିବା ଘରୋଇ ଶ୍ରୀଲଙ୍କା ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଇସ୍ରୁ ଉଦାନାଙ୍କ ବଦଳରେ ପାଥୁମ ନିଶାଙ୍କାଙ୍କୁ ସୁଯୋଗ ମିଳିଛି।
ପ୍ରଥମ ଟି-୨୦ ଭାରତ ଜିତିଥିବା ବେଳେ ଦ୍ୱିତୀୟ ଟି-୨୦ରେ ଶ୍ରୀଲଙ୍କା ବାଜିମାତ କରିଥିଲା।
ଭାରତ: ଶିଖର ଧୱନ୍ (କ୍ୟାପଟେନ୍), ଋତୁରାଜ ଗାଏକ୍ୱାଡ୍, ଦେବଦତ୍ତ ପାଡିକଲ୍, ସଞ୍ଜୁ ସାମସନ୍ (ୱିକେଟ୍ କିପର), ନୀତୀଶ ରାଣା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ରାହୁଲ୍ ଚହର୍, ସନ୍ଦୀପ ୱାରିୟର, ଚେତନ ସାକାରିୟା, ବରୁଣ ଚକ୍ରବର୍ତ୍ତୀ।
ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା (ୱିକେଟ୍ କିପର), ସଦୀରା ସମରାବିକ୍ରମା, ଧନଞ୍ଜନ ଡି’ସିଲଭା, ରମେଶ ମେଣ୍ଡିସ୍, ଦସୁନ୍ ଶନାକା (କ୍ୟାପଟେନ୍), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ପାଥୁମ ନିଶାଙ୍କା, ଦୁଷ୍ମନ୍ତ ଚମୀରା, ଅକିଲା ଧନଞ୍ଜୟ।