ଅକଲ୍ୟାଣ୍ଡ: ମହିଳା ଦିନିକିଆ ବିଶ୍ୱକପରେ ଭାରତର ଅଭିଯାନ ଶେଷ ହୋଇଛି। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମ୍ୟାଚ୍ ଭାରତୀୟ ମହିଳା ଦଳ ହାରି ଯାଇଛି। ଏହି ପରାଜୟ ସହ ଭାରତର ବିଶ୍ୱକପ ଜିତିବା ରେସରୁ ବାଦ ପଡ଼ିଛି। ଶେଷ ଓଭରରେ ଗୋଟିଏ ନୋ ବଲ ହିଁ ଭାରତର ବିଶ୍ୱକପ ସ୍ୱପ୍ନକୁ ଚୂରମାର କରି ଦେଇଛି।
ଶେଷ ଓଭର୍ରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୭ ରନ୍ ଦରକାର ଥିଲା। ବୋଲିଂ କରିବାକୁ ଆସିଥିଲେ ଦୀପ୍ତି ଶର୍ମା। ପ୍ରଥମ ବଲରେ ତ୍ରିଶା ଚେଟ୍ଟୀ ୧ ରନ୍ ହାସଲ କରିଥିଲେ। ଏହାପରେ ମିଗନନ ଡୁପ୍ରିଜ ୨ରନ୍ ନେବା ଚକରରେ ଚେଟ୍ଟୀଙ୍କୁ ରନ ଆଉଟ କରିଦେଇଥିଲେ।
ଫଳରେ ଶେଷ ୪ ବଲରେ ୫ ରନ୍ ଦରକାର ଥିଲା। ଦକ୍ଷିଣ ଆଫ୍ରିକା ଦୀପ୍ତିଙ୍କ ୩ୟ ବଲରେ ୧ ରନ୍ ହାସଲ କରିଥିଲା। ୪ର୍ଥ ବଲରେ ମଧ୍ୟ ପୁଣି ୧ ରନ୍ ହୋଇଥିଲା। ଶେଷ ୨ ବଲରେ ୩ ରନ ଦରକାର ଥିବା ବେଳେ ଡୁପ୍ରିଜ୍ ଲଗଅନରେ ଆଉଟ ହୋଇଯାଇଥିଲେ। କିନ୍ତୁ ଅମ୍ପାୟାର ଏହାକୁ ନୋ ବଲ ଡାକି ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ନୋ ବଲ ହେବାରୁ ଦକ୍ଷିଣ ଆଫ୍ରିକାକୁ ଶେଷ ୨ ବଲରେ ୨ ରନର ଆବଶ୍ୟକ ରହିଥିଲା, ଯାହାକୁ ଦଳ ଶେଷ ବଲରେ ହାସଲ କରି ନେଇଛି।
ଦକ୍ଷିଣ ଆଫ୍ରିକା ଠାରୁ ଭାରତ ହାରିବାରୁ ସେମି ଫାଇନାଲ ରେସରୁ ବାଦ ପଡ଼ିଛି। ସେହିପରି ୱେଷ୍ଟଇଣ୍ଡିଜ୍ ୪ର୍ଥ ଦଳ ଭାବେ ସେମିରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ପୂର୍ବରୁ ସେମିରେ ତା’ର ସୁରକ୍ଷିତ କରି ସାରିଥିଲା। ଏବେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିରେ ଇଂଲଣ୍ଡକୁ ଭେଟିବ ଦକ୍ଷିଣ ଆଫ୍ରିକା।
ଆଜିର ମ୍ୟାଚରେ ଭାରତ ୭ ୱିକେଟ ହରାଇ ୨୭୪ ରନ୍ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୭ ୱିକେଟ ହରାଇ ଶେଷ ବଲରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।
ଭାରତୀୟ ମହିଳା ଟିମ୍ର ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ସ୍ମୃତି ମନ୍ଧାନା ଓ ଶେଫାଲି ବର୍ମା ବେଶ ଦ୍ରୁତଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ। ବିଶେଷ କରି ଶେଫାଲି ବଡ଼ ବଡ଼ ଶଟ ଖେଳିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ସେ ୫୩ ରନ୍ କରିଥିବା ବେଳେ ରନ ଆଉଟ ହୋଇଯାଇଥିଲେ। ସ୍ମୃତି ମନ୍ଧାନା ୭୧, ମିତାଲି ରାଜ ୬୮ ଓ ହରମନପ୍ରୀତ କୌର ୪୮ ରନ୍ର ଇନିଂସ ଖେଳିବାରୁ ଭାରତ ନିର୍ଦ୍ଧାରିତ ୫୦ ଓଭର୍ରେ ୭ ୱିକେଟ ହରାଇ ୨୭୪ ରନ୍ କରିଥିଲା।
୨୭୫ ରନ୍ର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୧୪ ରନ୍ରେ ରନଆଉଟ ରୂପେ ଲିଜେଲ ଲି(୬)ଙ୍କୁ ହରାଇଥିଲା। ତେବେ ଦ୍ୱିତୀୟ ୱିକେଟ ପାଇଁ ଲଉରା ୱଲଭାରଡଟ(୮୦) ଓ ଲାରା ଗୁଡଅଲ(୪୯) ଜବରଦସ୍ତ ବ୍ୟାଟିଂ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୩୯ରେ ପହଞ୍ଚାଇଥିଲେ। ଏହି ସମୟରେ ଗୁଡଅଲଙ୍କୁ ଆଉଟ କରି ରାଜେଶ୍ୱରୀ ଗାଏକ୍ୱାଡ ବଡ଼ ସଫଳତା ଦେଇଥିଲେ। ଏହାପରେ ଲଉରାଙ୍କ ୱିକେଟ ହରମନପ୍ରୀତ କୌର ନେଇଥିଲେ। ସୁନେ ଲୁସ(୨୨)ଙ୍କୁ ହରମନପ୍ରୀତ ଠିକଣା ସମୟରେ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲିବାକୁ ଚେଷ୍ଟା କରିଥିଲେ।
ହେଲେ ଡୁପ୍ରିଜ ଓ ମାରିଜାନେ କାପ୍ପ ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଉଭୟ ୫ମ ୱିକେଟ ପାଇଁ ୪୭ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ତଥାପି ମାରିଜାନେ (୩୨)ଙ୍କୁ ହରମନପ୍ରୀତ ରନଆଉଟ କରି ଦେବାରୁ ଭାରତୀୟ ଶିବିରକୁ ପୁଣି ଉତ୍ସାହ ଫେରିଥିଲା।
ଦକ୍ଷିଣ ଆଫ୍ରିକା ମଧ୍ୟ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଅକ୍ଷମ ହୋଇଥିଲା। ଶେଷରେ ମ୍ୟାଚ୍ ଶେଷ ଓଭର୍ରୁ ଯାଇଥିଲା। ଶେଷ ଓଭର୍ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ ଦରକାର ଥିବା ବେଳେ ଦଳ ଏହାକୁ ଶେଷ ବଲରେ ହାସଲ କରି ଭାରତକୁ ବିଶ୍ୱକପରୁ ବିଦା କରି ଦେଇଛି। ଡୁପ୍ରିଜ୍ ଶେଷ ଯାଏ ୫୨ ରନ କରି ଅପରାଜିତ ରହିଥିଲେ। ଏହି ମ୍ୟାଚ୍ ବିଜୟ ଇନିଂସ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ମଧ୍ୟ ମିଳିଛି।