ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରେଣୁକାଙ୍କୁ ୪ ୱିକେଟ, ତଥାପି ହାରିଲା ଭାରତୀୟ ମହିଳା ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଠାରୁ ହାରିଛି ଭାରତୀୟ ମହିଳା ଦଳ। ଭାରତୀୟ ମହିଳା ମିଡିୟମ ପେସର ରେଣୁକା ସିଂହ ଏକାକୀ ୪ ୱିକେଟ ଦଖଲ କରି ଅଷ୍ଟ୍ରେଲିଆକୁ ଅଡ଼ୁଆରେ ପକାଇଥିଲେ ମଧ୍ୟ ଭାରତ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛନି। ପ୍ରଥମେ ଗ୍ରେସ ହାରିସ ଓ ଶେଷରେ ଆଶଲେଇଘ ଗାର୍ଡେନରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ ଏହି ମ୍ୟାଚକୁ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୮ […]

aus

  • Published: Friday, 29 July 2022
  • , Updated: 29 July 2022, 06:42 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଠାରୁ ହାରିଛି ଭାରତୀୟ ମହିଳା ଦଳ। ଭାରତୀୟ ମହିଳା ମିଡିୟମ ପେସର ରେଣୁକା ସିଂହ ଏକାକୀ ୪ ୱିକେଟ ଦଖଲ କରି ଅଷ୍ଟ୍ରେଲିଆକୁ ଅଡ଼ୁଆରେ ପକାଇଥିଲେ ମଧ୍ୟ ଭାରତ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛନି। ପ୍ରଥମେ ଗ୍ରେସ ହାରିସ ଓ ଶେଷରେ ଆଶଲେଇଘ ଗାର୍ଡେନରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ ଏହି ମ୍ୟାଚକୁ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବଳରେ ୧୫୪ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୬ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ଚଳିତ ବର୍ଷ ସାମିଲ କରାଯାଇଛି। ଏହି ଟି-୨୦ ଫର୍ମାଟର ପ୍ରଥମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଐତିହାସିକ ମ୍ୟାଚରେ ଭାରତକୁ ହାରିବାକୁ ପଡ଼ିଛି।


୧୫୫ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ହିଁ ରେଣୁକା ସିଂହ ଆଲେସା ହେଲୀ(୦)ଙ୍କୁ ଆଉଟ କରିଥିଲେ। ଏହାପରେ ମେଗ ଲାନିଙ୍ଗ(୮), ବେଥ ମୋନୀ(୧୦) ଓ ତାହିଲା ମ୍ୟାଗରାଥ(୧୪) ପ୍ୟାଭିଲିୟନ ଫେରିଥିଲେ। ପ୍ରଥମ ୪ ୱିକେଟ ଅଷ୍ଟ୍ରେଲିଆ ୩୪ ରନ ମଧ୍ୟରେ ହରାଇ ସଙ୍କଟରେ ପଡ଼ିଥିଲା।

ସବୁ ମହିଳା ବ୍ୟାଟରଙ୍କ ୱିକେଟ ରେଣୁକା ସିଂହ ହିଁ ନେଇଥିଲେ। ସେ ୪ ଓଭରରେ ୧୮ ରନ ଦେଇ ୪ଟି ୱିକେଟ ଦଖଲ କରିଥିଲେ। ଦଳୀୟ ସ୍କୋର ୪୯ ଥିବା ବେଳେ ଦୀପ୍ତି ଶର୍ମା ୯ ରନ କରିଥିବା ରିଚେଲ ହାୟନେସଙ୍କୁ ଆଉଟ କରିଥିଲେ।

୫୦ ରନ ଭିତରେ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ହାରିସ ଓ ଗାର୍ଡେନର ହାର ମାନିବା ମୁଡ଼ରେ ନଥିଲେ। ବିଶେଷ କରି ହାରିସଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲେ। ସେ ଗାର୍ଡେନରଙ୍କ ସହ ମିଶି ୬ଷ୍ଠ ୱିକେଟ ପାଇଁ ୫୧ ରନ ଯୋଡ଼ିଥିଲେ। ହାରିସ ୨୦ ବଲରେ ୩୭ ରନ କରିଥିବା ବେଳେ ତାଙ୍କୁ ଡେବ୍ୟୁଟାଣ୍ଟ ମେଘନା ସିଂହ ଆଉଟ କରି ଭାରତକୁ ମ୍ୟାଚ୍‌ରେ କମବ୍ୟାକ କରାଇଥିଲା। ଏହାପରେ ଜେସ ଜୋନାସେନ(୩)ଙ୍କୁ ମଧ୍ୟ ଦୀପ୍ତି ଶର୍ମା ଆଉଟ କରି ଦେଇ ଅଷ୍ଟ୍ରେଲିଆକୁ ୭ମ ଝଟକା ଦେଇଥିଲେ।

କିନ୍ତୁ କ୍ରିଜରେ ଥିବା ଗାର୍ଡେନର ଦମଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ସେ ଶେଷ ଯାଏ ୩୫ ବଲରେ ଅପରାଜି ୫୨ ରନର ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି। ତାଙ୍କ ସହ ଆଲନା କିଙ୍ଗ ୧୬ ବଲରେ ୧୮ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ। ଦଳକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ କିଙ୍ଗ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ।

Related story