ଜିମ୍ବାୱେ ବିପକ୍ଷରେ ଭାରତର ଏକତରଫା ବିଜୟ, ୧୦ ୱିକେଟରେ ଜିତିଲା

ହରାରେ: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୧୦ ୱିକେଟରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଏଥିସହ ୩ ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି କେଏଲ ରାହୁଲଙ୍କ ଭାରତୀୟ ଟିମ୍‌।  ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତରେ ଜିମ୍ବାୱେ ବିପକ୍ଷ ସିରିଜ୍‌ ଖେଳୁଥିବା ଭାରତ ଆଜି ଉଭୟ ବୋଲିଂ ଏବଂ ବ୍ୟାଟିଂରେ କମାଲ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଜିମ୍ବାୱେ ମାତ୍ର ୪୦.୩ ଓଭର୍‌ରେ ୧୮୯ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ […]

Team-India

  • Published: Thursday, 18 August 2022
  • , Updated: 18 August 2022, 07:04 PM IST

ହରାରେ: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୧୦ ୱିକେଟରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଏଥିସହ ୩ ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି କେଏଲ ରାହୁଲଙ୍କ ଭାରତୀୟ ଟିମ୍‌।  ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତରେ ଜିମ୍ବାୱେ ବିପକ୍ଷ ସିରିଜ୍‌ ଖେଳୁଥିବା ଭାରତ ଆଜି ଉଭୟ ବୋଲିଂ ଏବଂ ବ୍ୟାଟିଂରେ କମାଲ କରିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଜିମ୍ବାୱେ ମାତ୍ର ୪୦.୩ ଓଭର୍‌ରେ ୧୮୯ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଭାରତର ଦୁଇ ଓପନର ଶିଖର ଧୱନ ଓ ଶୁବମନ ଗିଲ୍‌ ଦଳକୁ କୌଣସି ପ୍ରକାରର କ୍ଷତି ସହିବାକୁ ନ ଦେଇ ୧୧୫ ବଲ ପୂର୍ବରୁ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛନ୍ତି। ଧୱନ ଶେଷ ଯାଏ ୮୧ ଓ ଗିଲ୍‌ ୮୨ ରନ୍‌ କରି ଅପରାଜିତ ରହିଥିଲେ।

ଜିମ୍ବାୱେର ହରାରେରେ କେବେ ହାରି ନଥିବା ଭାରତର ଅଧିନାୟ କେଏଲ ରାହୁଲ ଆଜି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଘରୋଇ ଟିମ୍‌ର ଦୁଇ ଓପନର ତାଡିୱାନସେ ମାରୁମନି ଓ ଇନୋସେଣ୍ଟ କାଇଆ ପ୍ରଥମ ୫ ଓଭର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ହେଲେ ୭ମ ଓଭର୍‌ରେ ଆହତ ସମସ୍ୟାରୁ ମୁକୁଳି ଦଳକୁ କମବ୍ୟାକ କରିଥିବା ଦୀପକ ଚହର ୪ ରନ କରିଥିବା କାଇଆଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ମାରୁମନି(୮) ଚହରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ମହମ୍ମ ସିରାଜ ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ସେନ ୱିଲିୟମ୍ସ(୧)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୱେସଲି ମାଧେଭେରେ(୫)ଙ୍କୁ ଆଉଟ କରି ଚହର ମ୍ୟାଚ୍‌ରେ ନିଜର ତୃତୀୟ ସଫଳତା ହାସଲ କରିଥିଲେ।

ଅଭିଜ୍ଞ ସିକନ୍ଦର ରାଜା(୧୨) ମଧ୍ୟ ବେଶୀ କିଛି କରି ପାରି ନଥିଲେ। ଜିମ୍ବାୱେ ୬୬ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଧିନାୟକ ରେଗିସ ଚକଭା(୩୫) ଓ ରାୟନ ବୁର୍ଲ(୧୧) କିଛି ସମୟ ଲଢ଼େଇ କରି ଦଳୀୟ ସ୍କୋରକୁ ୮୩ରେ ପହଞ୍ଚାଇଥିଲେ। ଏହି ସମୟରେ ପ୍ରସିଦ୍ଧ କୃଷ୍ଣ ୧୧ ରନ କରିଥିବା ରାୟନଙ୍କୁ ଆଉଟ କରିଥିଲେ।

ଚକଭା ମଧ୍ୟ ୩୫ ରନ କରି ଅକ୍ଷର ପଟେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇ ଯାଇଥିଲେ। ଲୁକ୍ ଜଙ୍ଗୱି(୧୩)ଙ୍କ ୱିକେଟ ମଧ୍ୟ ଅକ୍ଷର ନେଇଛନ୍ତି। ୧୧୦ ରନ ବେଳକୁ ଦଳ ୮ଟି ୱିକେଟ ହରାଇ ସାରିଥିଲା। କିନ୍ତୁ ବ୍ରାଡ ଇଭାନ୍ସଙ୍କ ଅପରାଜିତ ୩୩ ଓ ରିଚାର୍ଡ ନଗରାଭାଙ୍କ ଧୈର୍ଯପୂର୍ଣ୍ଣ ୩୪ ରନ ଯୋଗୁ ଜିମ୍ବାୱେ ଦଳୀୟ ସ୍କୋରକୁ ୧୮୦ରେ ପହଞ୍ଚାଇଥିଲା। ଭିକ୍ଟର ନାଉଚି ଶେଷ ବ୍ୟାଟର ଭାବେ ୮ ରନ କରି ଆଉଟ ହୋଇଥିଲେ। ଏଥିସହ ଜିମ୍ବାୱେ ମଧ୍ୟ ୧୮୯ ରନରେ ଅଲଆଉଟ ହୋଇ ଯାଇଥିଲା।

ଭାରତ ପକ୍ଷରୁ କୁଲଦୀପ ଯାଦବଙ୍କୁ ଛାଡ଼ି ଦେଲେ ପ୍ରସିଦ୍ଧ, ଅକ୍ଷର ଓ ଚହର ୩ଟି ଲେଖାଏ ୱିକେଟ ନେଇଛନ୍ତି। ସେହିପରି ସିରାଜଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। ୧୯୦ ରନର ଟାର୍ଗେଟ ଭାରତ ପାଇଁ ଆଦୌ ସମସ୍ୟା ସୃଷ୍ଟି କରି ନଥିଲା। ଆରମ୍ଭରୁ ହିଁ ଗିଲ ଓ ଧୱନ ଯୋଡ଼ି ଦମଦାର ବ୍ୟାଟିଂ କରିଥିଲେ। ଉଭୟଙ୍କୁ ଆଉଟ କରିବା ପାଇଁ ଜିମ୍ବାୱେ ଅଧିନାୟକ ଚକଭା ବୋଲିଂରେ ବାରମ୍ବାର ପରିବର୍ତ୍ତନ କରିଥିଲେ।

ହେଲେ କୌଣସି ଲାଭ ମିଳି ନଥିଲା। ଉଭୟ ଭାରତକୁ ବିଜୟ ଆଡ଼କୁ ନେବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍‌ ୭୨ ବଲରେ ୮୨ ରନ ଓ ଧୱନ ୧୧୩ ବଲରେ ୮୧ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ। ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ଧୱନ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ।

ଏବେ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୨୦ ତାରିଖରେ ଖେଳାଯିବ।

Related story