ଡି’କକଙ୍କ ବିସ୍ଫୋରକ ଶତକ, ରାହୁଲଙ୍କ ଅର୍ଦ୍ଧଶତକ: ବିନା ୱିକେଟରେ ଲକ୍ଷ୍ନୌ ୨୧୦

ମୁମ୍ବାଇ: ଶେଷ ଲିଗ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ଜବରଦସ୍ତ ବ୍ୟାଟିଂ କରିଛନ୍ତି କ୍ୱିଣ୍ଟନ ଡି’କକ ଓ ଅଧିନାୟକ କେଏଲ ରାହୁଲ। ଡି’କକଙ୍କ ଶତକ ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିଶାଳ ସ୍କୋର କରିଛି। ଦଳ ବିନା କୌଣସି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍ ହାସଲ କରିବାକୁ ସକ୍ଷମ ହୋଇଛି। ଫଳରେ କୋଲକାତାକୁ ଏହି କର ବା ମର ମ୍ୟାଚକୁ ଜିତିବା ପାଇଁ […]

KKR

KKR

Hemant Lenka
  • Published: Wednesday, 18 May 2022
  • Updated: 18 May 2022, 09:45 PM IST

ମୁମ୍ବାଇ: ଶେଷ ଲିଗ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ଜବରଦସ୍ତ ବ୍ୟାଟିଂ କରିଛନ୍ତି କ୍ୱିଣ୍ଟନ ଡି’କକ ଓ ଅଧିନାୟକ କେଏଲ ରାହୁଲ। ଡି’କକଙ୍କ ଶତକ ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିଶାଳ ସ୍କୋର କରିଛି। ଦଳ ବିନା କୌଣସି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍ ହାସଲ କରିବାକୁ ସକ୍ଷମ ହୋଇଛି। ଫଳରେ କୋଲକାତାକୁ ଏହି କର ବା ମର ମ୍ୟାଚକୁ ଜିତିବା ପାଇଁ ୨୧୧ ରନର ଟାର୍ଗେଟ ମିଳିଛି। ଡି’କକ ଅପରାଜି ୧୪୦ ଓ ରାହୁଲ ଅପରାଜିତ ୬୮ ରନ୍ କରିଛନ୍ତି।

ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ କୌଣସି ଓପନିଂ ଯୋଡ଼ି ଏତେ ରନ୍‌ କରି ପାରିଛନ୍ତି। ଏଥିସହ ପ୍ରଥମଥର ପାଇଁ ଦୁଇ ଜଣ ବ୍ୟାଟର ପୂରା ୨୦ ଓଭର୍‌ ଖେଳିଛନ୍ତି। ଡି’କକ ୧୨ ରନ କରିଥିବା ବେଳେ ଡେବ୍ୟୁଟାଣ୍ଟ ଅଭିଜିତ ତୋମାର ତାଙ୍କ କ୍ୟାଚ୍‌ ଛାଡ଼ିଥିଲେ। ଏହା କୋଲକାତାକୁ ବେଶ ମହଙ୍ଗା ପଡ଼ିଛି।

ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ସାବ୍ୟସ୍ତ କରି ଡି’କକ ଓ ନିଜେ ରାହୁଲ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଆରମ୍ଭରୁ ବେଶ ସତର୍କତାର ସହ ଖେଳିଥିଲେ। ହେଲେ ସେଟ ହେବା ପରେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲେ।

କୋଲକାତାର ପ୍ରତିଟି ବୋଲରଙ୍କୁ ଦୁଇ ବ୍ୟାଟର ନିର୍ଘାତ ମାଡ଼ ମାରିଥିଲେ। କୋଲକାତା ଅଧିନାୟକ ଶ୍ରେୟସ ଆୟର ବାରମ୍ବାର ବୋଲିଂ ଏଣ୍ଡରେ ପରିବର୍ତ୍ତନ କରୁଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ଉଭୟ ରାହୁଲ ଓ ଡି’କକ ଶଟ୍‌ ପରେ ଶଟ୍‌ ମାରି ଚାଲିଥିଲେ। ସେମାନେ କୋଲକାତାର କୌଣସି ବୋଲରଙ୍କୁ ୱିକେଟ ନେବାକୁ ସୁଯୋଗ ଦେଇ ନଥିଲେ।

ଆନ୍ଦ୍ରେ ରସେଲ, ଉମେଶ ଯାଦବ ଓ ଟିମ୍‌ ସାଉଦିଙ୍କ ଶତ ଚେଷ୍ଟା ସତ୍ତ୍ୱେ ଲକ୍ଷ୍ନୌର ଗୋଟିଏ ହେଲେ ବି ୱିକେଟ ନେଇ ପାରି ନାହାନ୍ତି। ବିଶେଷ କରି ଡି’କକ ଦମଦାର ବ୍ୟାଟିଂ କରିଛନ୍ତି। ସେ ଅର୍ଦ୍ଧଶତକ ହାସଲ କରିବା ପରେ ବ୍ୟାଟିଂ ଗିୟର ବଦଳାଇ ଥିଲେ। ବଡ଼ବଡ଼ ଶଟ୍‌ ଖେଳି ମାତ୍ର ୫୯ଟି ବଲ୍‌ରେ ଶତକ ହାସଲ କରିଥିଲେ।

୨୦୧୬ ପରେ ଏହା ଡି’କକଙ୍କ ପ୍ରଥମ ଶତକ। ସେହିପରି ଆଇପିଏଲ ଇତିହାସରେ ମଧ୍ୟ ଏହା ଡି’କକ ଦ୍ୱିତୀୟ ଶତକ। ଶତକ ହାସଲ କରିବା ପରେ ସେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ୧୯ତମ ଓଭର ବୋଲିଂ କରୁଥିବା ଟିମ୍‌ ସାଉଦିଙ୍କୁ ସେ ଲଗାତର ୩ଟି ଛକା ମାରି ଦଳୀୟ ସ୍କୋରକୁ ୧୯୦ ପାର କରାଇଥିଲେ। ଶେଷ ଓଭର୍‌ରେ ସେ ରସେଲଙ୍କୁ ଲଗାତର ୪ଟି ଚୌକା ମାରି ନିଜର ବିସ୍ଫୋରକ ଅନ୍ଦାଜ ସମସ୍ତଙ୍କୁ ଦେଖାଇଥିଲେ। ଏଥିସହ ଶେଷ ଯାଏ ୧୪୦ ରନ୍‌ କରି ଅପରାଜିତ ରହିଥିଲେ। ସେ ପୂରା ଇନିଂସରେ ୭୦ଟି ବଲ ଖେଳି ଅପରାଜିତ ୧୪୦ ରନ୍‌ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୨୦୦। ସେହିପରି ସେ ୧୦ଟି ଚୌକା ଓ ୧୦ଟି ବିଶାଳ ଛକା ମାରିଛନ୍ତି।

ଅଧିନାୟକ ରାହୁଲ ମଧ୍ୟ ନିରାଶ କରି ନାହାନ୍ତି। ସେ ୪୧ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବା ପରେ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଏଥିସହ ଶେଷ ଯାଏ ଡି’କକଙ୍କ ସହ ମିଶି ଦଳୀୟ ସ୍କୋରକୁ ବିନା ୱିକେଟରେ ୨୧୦ ରନ୍‌ରେ ପହଞ୍ଚାଇଥିଲେ। ରାହୁଲ ୫୧ଟି ବଲ୍‌ରେ ୬୮ ରନ୍‌ କରିଛନ୍ତି। ସେ ୪ଟି ଛକା ଓ ମାତ୍ର ୩ଟି ଚୌକା ମାରିଛନ୍ତି। ପୂରା ଇନିଂସରେ କେବଳ ଡି’କକଙ୍କର ରହିଥିଲା। ରାହୁଲ କେବଳ ତାଙ୍କୁ ସାଥ ଦେଇଥିଲେ।

କୋଲକାତା ପକ୍ଷରୁ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି ସାଉଦି। ସେ ୪ ଓଭର୍‌ରେ ୫୭ ରନ୍‌ ଦେଇଥିବେ ବେଳେ ରସେଲ ୩ ଓଭର୍‌ରେ ୪୫, ଉମେଶ ଯାଦବ ୪ ଓଭର୍‌ରେ ୩୪, ସୁନୀଲ ନାରିନ ୪ ଓଭରରେ ୨୭, ବରୁଣ ଚକ୍ରବର୍ତ୍ତୀ ୪ ଓଭର୍‌ରେ ୩୮, ଓ ନୀତୀଶ ରାଣା ଗୋଟିଏ ଓଭରରେ ୯ ରନ୍ ବ୍ୟୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos