ମାତ୍ର ୧୩୧ ରନରେ ଚେନ୍ନାଇକୁ ରୋକିଲା କୋଲକାତା

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ି ଦେଲେ ପ୍ରଥମ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସର ବାକି ବ୍ୟାଟର। ନୂଆ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ୱରେ ଚଳିତ ବର୍ଷ ଆଇପିଏଲ ଖେଳୁଥିବା ଚେନ୍ନାଇ ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ମାତ୍ର ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳର ଆଇପିଏଲ ୧୫ତମ ସଂସ୍କରଣର […]

KKRq

Hemant Lenka
  • Published: Saturday, 26 March 2022
  • , Updated: 26 March 2022, 09:19 PM IST

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ି ଦେଲେ ପ୍ରଥମ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସର ବାକି ବ୍ୟାଟର। ନୂଆ ଅଧିନାୟକ ରବୀନ୍ଦ୍ର ଜାଡେଜାଙ୍କ ନେତୃତ୍ୱରେ ଚଳିତ ବର୍ଷ ଆଇପିଏଲ ଖେଳୁଥିବା ଚେନ୍ନାଇ ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ମାତ୍ର ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳର ଆଇପିଏଲ ୧୫ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଜିତିବାକୁ ଶ୍ରେୟସ ଆୟରଙ୍କ କୋଲକାତାକୁ ୧୩୨ ରନ୍‌ ରନର ଟାର୍ଗେଟ ମିଳିଛି। ଚେନ୍ନାଇ ପକ୍ଷରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୫୦ ରନ୍‌ର ଇନିଂସ ଖେଳିଛନ୍ତି।

ଟସ୍‌ ହାରି ମୁମ୍ବାଇର ୱାଙ୍ଖଡେରେ ବ୍ୟାଟିଂ କରୁଥିବା ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଓପନର ଋତୁରାଜ ଗାଏକ୍ୱାଡ ପ୍ରଥମ ଓଭର୍‌ରେ ହିଁ ପ୍ୟାଭିଲିୟନ ଫେରିଥିଲେ। ଚେନ୍ନାଇର ନୂଆ ଓପନର ଡେଭୋନ କନୱେ(୩) ମଧ୍ୟ ବେଶୀ କିଛି କରି ପାରି ନଥିଲେ। ଉଭୟଙ୍କ ୱିକେଟ ଉମେଶ ଯାଦବ ନେଇଛନ୍ତି।

ରବୀନ ଉଥାପ୍ପା ଭଲ ଲୟରେ ଥିଲେ ମଧ୍ୟ କେବଳ ୨୮ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ୨୧ ବଲରେ ସେ ୨ଟି ଛକା ଓ ୨ଟି ଚୌକା ବଳରେ ୨୮ ରନ୍‌ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ ହୋଇଥିଲେ। ଅମ୍ବାତି ରାୟୁଡୁ ୧୭ ରନ୍ କରିଥିବା ବେଳେ ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ ଆଉଟ ହୋଇ ଯାଇଥିଲେ।

ଚେନ୍ନାଇ ପାଇଁ ପ୍ରଥମଥର ମ୍ୟାଚ୍ ଖେଳୁଥିବା ଶିବମ ଦୁବେ କେବଳ ୩ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ୧୧ ଓଭର ସୁଦ୍ଧା ଚେନ୍ନାଇ ୬୧ ରନ୍‌ରେ ୫ ୱିକେଟ ହରାଇ ସାଂଘାତିକ ସମସ୍ୟାରେ ପଡ଼ିଥିଲା। ଏହି ସମୟରେ ଅଧିନାୟକ ଜାଡେଜାଙ୍କ ସହ କ୍ରିଜରେ ଯୋଗଦେଇଥିଲେ ମିଷ୍ଟର ଫିନିଶର ମହେନ୍ଦ୍ର ସିଂହ ଧୋନି।

ଉଭୟ ବଡ଼ ଶଟ ଖେଳିବାକୁ ଅକ୍ଷମ ହୋଇଥିଲେ ମଧ୍ୟ କେକେଆର ବୋଲରଙ୍କୁ ୱିକେଟ ନେବାକୁ କୌଣସି ସୁଯୋଗ ଦେଇ ନଥିଲେ। ବିଶେଷ କରି ଧୋନି ସିଙ୍ଗଲ ଉପରେ ବେଶୀ ନିର୍ଭର କରିଥିଲେ। ଶେଷ ଭାଗରେ ଧୋନି ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ଏପରି କି ସେ ୧୮ତମ ଓଭର ବୋଲିଂ କରୁଥିବା ଆନ୍ଦ୍ରେ ରସେଲଙ୍କୁ ୩ଟି ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ।

୧୯ତମ ଓଭର୍‌ରେ ଧୋନି ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ। ଏହି ଓଭର୍‌ରେ ଚେନ୍ନାଇ ୧୫ ରନ୍‌ ରନ ଆଦାୟ କରିଥିଲା। ଶେଷ ଓଭର୍‌ରେ ମଧ୍ୟ ଧୋନି ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ କ୍ରମାଗତ ରସେଲଙ୍କୁ ୨ଟି ଚୌକର ମାରି ଚେନ୍ନାଇ ସ୍କୋରକୁ ୧୨୦ ପାର କରାଇଥିଲେ।

ଏଥିସହ ଧୋନି ୩୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ବଲରେ ଜାଡେଜା ଗୋଟିଏ ବିଶାଳ ଛକା ମାରିବାରୁ ଚେନ୍ନାଇ ୧୩୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଶେଷ ଯାଏ ଧୋନି ୫୦ ଓ ଜାଡେଜା ୨୮ ବଲରେ ୨୬ ରନ୍‌ କରି ଅପରାଜିତ ରହିଥିଲେ। ଧୋନି ତାଙ୍କ ଇନିଂସରେ ୭ ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ଅନ୍ୟପକ୍ଷରେ କୋଲକାତା ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ରସେଲ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Related story