ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ୍ ଦମଦାର ଶତକ ମାରି ରେକର୍ଡ ବୁକରେ ନିଜ ନାଁକୁ ସାମିଲ୍ କରିଛନ୍ତି। ପ୍ରଥମ ଦିବସରେ ରାହୁଲ୍ ୧୨୭ ରନ୍ କରି ଅପରାଜିତ ଥିଲେ। ହୋମ୍ ଅଫ୍ କ୍ରିକେଟରେ ଜବରଦସ୍ତ ଇନିଂସ୍ ଖେଳିଥିବାରୁ ରାହୁଲଙ୍କୁ ଖାସ୍ ଉପହାର ମିଳିଛି।
ବିସିସିଆଇ ଏକ ଭିଡିଓ ସୋଶାଲ ମିଡିଆରେ ଶେଆର୍ କରିଛି, ଯେଉଁଥିରେ ରାହୁଲ୍ ନିଜର ଶତକୀୟ ଇନିଂସ୍ ଖେଳି ଡ୍ରେସିଂ ରୁମ୍ ଫେରୁଛନ୍ତି ଏବଂ ତାଙ୍କୁ ସାଥୀ ଖେଳାଳି ଛିଡ଼ା ହୋଇ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ତାଙ୍କ ଓପନିଂ ପାର୍ଟନର୍ ରୋହିତ ଶର୍ମା ମଧ୍ୟ ତାଙ୍କୁ ବଧେଇ ଜଣାଉଛନ୍ତି। ମୟଙ୍କ ଅଗ୍ରୱାଲ ମଧ୍ୟ ରାହୁଲଙ୍କୁ କୁଣ୍ଢେଇ ପକାଉଛନ୍ତି। ଭାରତୀୟ କୋଚ୍ ରବି ଶାସ୍ତ୍ରୀ ଓ ପେସ୍ ବୋଲର୍ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ତାଙ୍କୁ ଶୁଭକାମନା ଜଣାଇଥିଲେ।
https://twitter.com/BCCI/status/1426038301887135750?s=20
ଏହାବ୍ୟତୀତ ଏହି ଭିଡିଓରେ ରାହୁଲଙ୍କ ନାଁ ହନର୍ସ ବୋର୍ଡରେ ମଧ୍ୟ ଉଲ୍ଲେଖ କରାଯାଇଛି। ରାହୁଲଙ୍କ ପୂର୍ବରୁ ୯ ଭାରତୀୟ ବ୍ୟାଟ୍ସମ୍ୟାନ୍ ଲର୍ଡ୍ସରେ ଶତକ ମାରିଛନ୍ତି। ଭାରତର ବିନୁ ମାଙ୍କଡ, ଦିଲୀପ ଭେଙ୍ଗସରକାର, ଗୁଣ୍ଡପ୍ପା ବିଶ୍ୱନାଥ, ରବି ଶାସ୍ତ୍ରୀ, ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି, ଅଜିତ୍ ଅଗରକର, ରାହୁଲ୍ ଡ୍ରାଭିଡ୍ ଓ ଅଜିଙ୍କ୍ୟ ରାହାଣେ ମଧ୍ୟ ରାହୁଲଙ୍କ ପୂର୍ବରୁ ଲର୍ଡ୍ସରେ ଶତକ ମାରିଥିଲେ।
ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ଦମଦାର ବ୍ୟାଟିଂ କରିଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୬ ରନ୍ କରିଥିଲା। ରାହୁଲ୍ ୧୨୭ ଓ ରାହାଣେ ୧ ରନ୍ କରି ଅପରାଜିତ ଥିଲେ। ରୋହିତ୍ ଶର୍ମା ୮୩, କ୍ୟାପଟେନ୍ ବିରାଟ୍ କୋହଲି ୪୨ ଓ ଚେତେଶ୍ୱର ପୂଜାରା ୯ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ୨ଟି ଓ ଓଲି ରବିନସନ୍ ଗୋଟିଏ ୱିକେଟ୍ ନେଇଥିଲେ।