ଦିନିକିଆ ରାଙ୍କିଙ୍ଗ: ଉଠିଲେ ସ୍ମୃତି ମନ୍ଧାନା, ଖସିଲେ ମିତାଲି ରାଜ

ଦୁବାଇ: ଭାରତୀୟ ମହିଳା ଟିମ୍‌ର ଅଧିନାୟକ ମିତାଲି ରାଜ ଆଇସିସି ଦିନିକିଆ ରାଙ୍କିଙ୍ଗର ବ୍ୟାଟର୍ସ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ଏବେ ସେ ୭ନଂ ସ୍ଥାନରେ ରହିଛନ୍ତି। କିନ୍ତୁ ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟର୍ସ ତାଲିକାର ୯ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ନିକଟରେ ଶେଷ ହୋଇଥିବା ଦିନିକିଆ ମହିଳା ବିଶ୍ୱକପରେ ମିତାଲି ଆଦୌ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନଥିଲେ। ଏଥିପାଇଁ ସେ ୬୮୬ ପଏଣ୍ଟ […]

Mithali

Hemant Lenka
  • Published: Wednesday, 06 April 2022
  • , Updated: 06 April 2022, 10:34 AM IST

ଦୁବାଇ: ଭାରତୀୟ ମହିଳା ଟିମ୍‌ର ଅଧିନାୟକ ମିତାଲି ରାଜ ଆଇସିସି ଦିନିକିଆ ରାଙ୍କିଙ୍ଗର ବ୍ୟାଟର୍ସ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ଏବେ ସେ ୭ନଂ ସ୍ଥାନରେ ରହିଛନ୍ତି। କିନ୍ତୁ ଦଳର ଷ୍ଟାର ଓପନର ସ୍ମୃତି ମନ୍ଧାନା ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟର୍ସ ତାଲିକାର ୯ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ନିକଟରେ ଶେଷ ହୋଇଥିବା ଦିନିକିଆ ମହିଳା ବିଶ୍ୱକପରେ ମିତାଲି ଆଦୌ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନଥିଲେ। ଏଥିପାଇଁ ସେ ୬୮୬ ପଏଣ୍ଟ ସହ ୭ମ ସ୍ଥାନକୁ ଖସିଛନ୍ତି। ମିତାଲି ବିଶ୍ୱକପର ୭ଟି ମ୍ୟାଚ୍‌ରେ ମାତ୍ର ୧୮୨ ରନ୍‌ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୨୬ ରହିଛି।

ତାଙ୍କ ତୁଳନାରେ ସ୍ମୃତି ମନ୍ଧାନା ୭ଟି ମ୍ୟାଚ୍‌ରେ ୩୨୭ ରନ୍‌ କରିଥିଲେ। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ମଧ୍ୟ ୧୨୩ ରହିଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ସେ ୪୬.୭୧ ହାରରେ ରନ ସଂଗ୍ରହ କରିଥିବାରୁ ଏବେ ରାଙ୍କିଙ୍ଗରେ ତାଙ୍କୁ ଫାଇଦା ମିଳିଛି।

ଏହି ଦୁଇ ଜଣଙ୍କ ବ୍ୟତୀତ ଉପ ଅଧିନାୟକ ହରମନପ୍ରୀତ କୌର ଗୋଟିଏ ସ୍ଥାନ ଉପରକୁ ଉଠି ୧୪ନଂରେ ପହଞ୍ଚିଛନ୍ତି। ବିଶ୍ୱକପରେ କୌର ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋରର ଭାବେ ୩୧୮ ରନ୍‌ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୧୦୯ ରହିଥିଲା।

ମହିଳା ଦିନିକିଆ ବିଶ୍ୱକପ ଫାଇନାଲରେ ୧୭୦ ରନ୍‌ର ଇନିଂସ ଖେଳିଥିବା ଅଷ୍ଟ୍ରେଲିଆର ୱିକେଟ କିପର ବ୍ୟାଟର ଏଲିସା ହେଲୀ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକାର ଲାଉରା ୱଲଭାରଡଟ ରହିଥିଲେ। ଏବେ କିନ୍ତୁ ସେ ୪ ନଂକୁ ଖସି ଯାଇଛନ୍ତି।

ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡର ନାତାଲେ ସ୍କିଭର ଓ ତୃତୀୟରେ ଅଷ୍ଟ୍ରେଲିଆର ବେଥ ମୋନୀ ରହିଛନ୍ତି। ୫ମ ସ୍ଥାନରେ ଅଷ୍ଟ୍ରେଲିଆର ଅଧିନାୟକ ମେଗ ଲାନିଂ, ୬ଷ୍ଠରେ ରାଚେଲ ହାୟନେସ, ୮ମରେ ଆମୀ ସାଟେରଥୱେଟ ଓ ୧୦ମରେ ଇଂଲଣ୍ଡର ଟାମୀ ବେମାଉଣ୍ଟ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟାଟର୍ସ ରାଙ୍କିଙ୍ଗର ଟପ୍‌ ୧୦ରେ ଅଷ୍ଟ୍ରେଲିଆର ୫ ଜଣ ଖେଳାଳି ରହିଛନ୍ତି।


ଅନ୍ୟପକ୍ଷରେ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ସୋଫି ଏସେଲଷ୍ଟୋନ ରହିଛନ୍ତି। ସେହିପରି ସେ ଅଲରାଉଣ୍ଡ ତାଲିକାରେ ଅଷ୍ଟ୍ରେଲିଆର ଏଲିସା ପେରୀଙ୍କୁ ପଛରେ ପକାଇ ପ୍ରଥମଥର ପାଇଁ ୧ନଂ ସ୍ଥାନ ଦଖଲ କରିଛନ୍ତି। ବୋଲିଂ ରାଙ୍କିଙ୍ଗର ଦ୍ୱିତୀୟରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଶାବନିମ ଇସ୍ମାଲ ଓ ତୃତୀୟରେ ଅଷ୍ଟ୍ରେଲିଆର ଜେସ ଜୋନାସେନ ରହିଛନ୍ତି।

ଟପ୍‌ ୧୦ ବୋଲିଂ ରାଙ୍କିଙ୍ଗରେ ଏକମାତ୍ର ଭାରତୀୟ ଭାବେ ଝୁଲଣ ଗୋସ୍ୱାମୀ ୫ମ ସ୍ଥାନରେ ପୂର୍ବଭଳି ରହିଛନ୍ତି। ତେବେ ଅଲରାଉଣ୍ଡ ତାଲିକାରେ ଭାରତର ଦୀପ୍ତି ଶର୍ମା ୭ନଂ ଓ ୧୦ନଂ ସ୍ଥାନରେ ଝୁଲଣ ରହିଛନ୍ତି। ପେରୀ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକାର ମାରିଜାନେ କାପ୍ପ ତୃତୀୟରେ ଅଛନ୍ତି।

Related story