ଇସଲାମାବାଦ: ପାକିସ୍ତାନରେ ଦେଖାଯାଇଥିବା ରାଜନୀତିକ ଅସ୍ଥିରତାର ପ୍ରଭାବ ଏବେ ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ସିରିଜ ଉପରେ ପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଏବେ ଦେଶର ରାଜନୀତି ସରଗରମ ହୋଇଯାଇଛି।
ବିବାଦ ବଢ଼ୁଥିବାରୁ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ସୀମିତ ଓଭର କ୍ରିକେଟ ସିରିଜର ଭେନ୍ୟୁ ବଦଳିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ଦିନିକିଆ ଓ ଟି-୨୦ ମ୍ୟାଚ୍ ରାୱଲପିଣ୍ଡିରେ ହେବାର ଥିଲା। କିନ୍ତୁ ଏବେ ଏହାକୁ ଲାହୋରକୁ ସ୍ଥାନାନ୍ତରଣ କରାଯାଇଛି।
ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶୀଦ କହିଛନ୍ତି, “ମାର୍ଚ୍ଚ ୨୯ରୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ସୀମିତ ଓଭର ସିରିଜ ରାୱଲପିଣ୍ଡିରେ ଆରମ୍ଭ ହେବାକୁ ଥିଲା। ହେଲେ ବର୍ତ୍ତମାନ ଦେଖାଯାଇଥିବା ରାଜନୀତିକ ଅସ୍ଥିରତା ଯୋଗୁ ଏହି ସିରିଜକୁ ଲାହୋରକୁ ସ୍ଥାନାନ୍ତର କରାଯାଇଛି।”
#BREAKING Pakistan-Australia ODIs, T20 moved from Rawalpindi to Lahore on 'political' grounds: minister #AFPSports pic.twitter.com/QBb5ifVMRb
— AFP News Agency (@AFP) March 18, 2022
ଲାହୋରର ଗଦାଫି ଷ୍ଟାଡିୟମରେ ୩ଟି ଯାକ ଦିନିକିଆ ଓ ଏକମାତ୍ର ଟି-୨୦ ମ୍ୟାଚ୍ ଖେଳାଯିବ। ଦୁଇ ଦେଶ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ୍ ମଧ୍ୟ ଏହି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହା ପୂର୍ବରୁ ଖେଳା ଯାଇଥିବା ଦୁଇଟି ଯାକ ଟେଷ୍ଟ ଡ୍ରରେ ଶେଷ ହୋଇଛି। ଗୋଟିଏ ମ୍ୟାଚ୍ ରାୱଲପିଣ୍ଡିରେ ଖେଳା ଯାଇଥିବା ବେଳେ ଆଉ ଗୋଟିଏ ମ୍ୟାଚ୍ କରାଚିରେ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨୧ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ।