ମହିଳା ବିଶ୍ୱକପ: ପାକିସ୍ତାନର ପ୍ରଥମ ବିଜୟ, ହାରିଲା ୱେଷ୍ଟଇଣ୍ଡିଜ

ହାମିଲଟନ୍‌: କ୍ରମାଗତ ୪ଟି ମ୍ୟାଚ୍‌ ହାରିବା ପରେ ଚଳିତ ବର୍ଷର ଦିନିକିଆ ମହିଳା ବିଶ୍ୱକପରେ ବିଜୟ ସ୍ୱାଦ ଚାଖିଛି ପାକିସ୍ତାନ। ଆଜି ମହିଳା ବିଶ୍ୱକପର ଗୋଟିଏ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇ ଦେଇଛି। ବର୍ଷା ଯୋଗୁ ଏହି ମ୍ୟାଚ୍‌ଟି ୨୦ ଓଭର ବିଶିଷ୍ଟ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ମାତ୍ର ୮୯ ରନ୍‌ କରି ପାରିଥିଲା। ଏହାର ଜବାବରେ ପାକିସ୍ତାନ […]

Pakistan

Hemant Lenka
  • Published: Monday, 21 March 2022
  • , Updated: 21 March 2022, 03:50 PM IST

ହାମିଲଟନ୍‌: କ୍ରମାଗତ ୪ଟି ମ୍ୟାଚ୍‌ ହାରିବା ପରେ ଚଳିତ ବର୍ଷର ଦିନିକିଆ ମହିଳା ବିଶ୍ୱକପରେ ବିଜୟ ସ୍ୱାଦ ଚାଖିଛି ପାକିସ୍ତାନ। ଆଜି ମହିଳା ବିଶ୍ୱକପର ଗୋଟିଏ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇ ଦେଇଛି। ବର୍ଷା ଯୋଗୁ ଏହି ମ୍ୟାଚ୍‌ଟି ୨୦ ଓଭର ବିଶିଷ୍ଟ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ମାତ୍ର ୮୯ ରନ୍‌ କରି ପାରିଥିଲା। ଏହାର ଜବାବରେ ପାକିସ୍ତାନ ୨ ୱିକେଟ ହରାଇ ୭ ବଲ୍‌ ପୂର୍ବରୁ ବିଜୟ ଟାର୍ଗେଟ ହାସଲ କରି ନେଇଛି।

ପାକିସ୍ତାନ ଚଳିତ ବିଶ୍ୱକପରେ ଏଯାଏ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟିରେ ହାରିଛି ଓ ଗୋଟିଏରେ ଜିତିଛି। ସେହିପରି ୱେଷ୍ଟଇଣ୍ଡିଜ ମହିଳା ଟିମ୍‌ ୬ଟି ମ୍ୟାଚ୍‌ରୁ ୩ଟିରେ ଜିତିଛି ଓ ୩ଟିରେ ହାରି ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି। ୨୦୦୯ ପରଠାରୁ ପାକିସ୍ତାନ ମହିଳା ବିଶ୍ୱକପରେ କୌଣସି ମ୍ୟାଚ୍‌ ଜିତି ପାରୁ ନଥିଲା। ଏପରି କି ଚଳିତ ବର୍ଷ ମଧ୍ୟ କ୍ରମାଗତ ୪ଟି ମ୍ୟାଚ୍‌ ହାରି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି। 

ହାମିଲଟନରେ ଖେଳାଯାଉଥିବା ଏହି ମ୍ୟାଚ ବର୍ଷା ଯୋଗୁ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରି ନଥିଲା। ବର୍ଷା ଯୋଗୁ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୨୦ ଓଭରକୁ ହ୍ରାସ କରାଯାଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହାକୁ ବୋଲରମାନେ ସଠିକ୍‌ ସାବ୍ୟସ୍ତ କରି କ୍ରମାଗତ ଭାବେ ଇଣ୍ଡିଜ୍‌ ବ୍ୟାଟରଙ୍କୁ ଅଡ଼ୁରେ ପକାଇ ଚାଲିଥିଲେ।

ବିଶେଷ କରି ନିଦା ଦର ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭର୍‌ରେ ୧୦ ରନ୍‌ ଦେଇ ଇଣ୍ଡିଜ୍‌ର ୪ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଇଣ୍ଡିଜ ପକ୍ଷରୁ ଡଟିନ ୨୭, ଅଧିନାୟକ ଟେଲର ୧୮ ଓ ଫ୍ଲେଚର ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହି ୩ ବ୍ୟାଟରଙ୍କୁ ଛାଡ଼ିଦେଲେ ଆଉ କୌଣସି ଇଣ୍ଡିଜ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଶେଷରେ ଇଣ୍ଡିଜ୍‌ ଟିମ୍‌ ୨୦ ଓଭର୍‌ରେ ୭ ୱିକେଟ ହରାଇ ୮୯ ରନ କରିବାକୁ ସକ୍ଷମ ହୋଇଥିଲା।

୯୦ ରନ୍‌ର ଟାର୍ଗେଟ ପାଇଥିବା ପାକିସ୍ତାନ ୨୨ ରନ୍‌ରେ ଓପନର ସିଦ୍ରା ଅମୀନ(୮)ଙ୍କୁ ହରାଇଥିଲେ। ତେବେ ଅନ୍ୟତମ ଓପନର ମୁନୀବା ଅଲୀ ଦମଦାର ବ୍ୟାଟିଂ କରିଥିଲେ। ତାଙ୍କୁ ଅଧିନାୟକ ବିଶମା ମାରୁଫ ଭରପୂର ସହଯୋଗ କରିଥିଲେ। ମୁନୀବା ୩୭ ରନ୍‌ କରି ଆଉଟ ହୋଇଥିଲେ ମଧ୍ୟ ମାରୁଫ ଓ ଓମାଇମା ସୋହାଲି ଆଉ ଦଳକୁ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ମାରୁଫ ଶେଷ ଯାଏ ୨୦ ଓ ସୋହାଲି ୨୨ ରନ୍‌ କରି ଅପରାଜିତ ରହିଥିଲେ। ଇଣ୍ଡିଜ ମହିଳା ଟିମ୍‌ ପକ୍ଷରୁ ପ୍ଲେଚର ଓ ଶାକେରା ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

Related story