ଇଂଲଣ୍ଡ ଯିବେ ପୃଥ୍ୱୀ ଶ' ଓ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଭାରତୀୟ ସ୍କ୍ୱାଡରେ ପରିବର୍ତ୍ତନ କରିଛି। ଓପ୍ନର ପୃଥ୍ୱୀ ଶ’ ଓ ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଏବେ ଏହି ଦୁଇ ଖେଳାଳି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ଇଂଲଣ୍ଡ ଗସ୍ତ ପାଇଁ ଚୟନ ହୋଇଥିବା ଶୁବମନ୍ ଗିଲ ଓ ୱାଶିଂଟନ୍ ସୁନ୍ଦର ଆହତ କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ତେଣୁ ଏହି […]

surya-kumar-and-prithvi-shaw

Ranjit Kumar Jena
  • Published: Monday, 26 July 2021
  • , Updated: 26 July 2021, 03:49 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଭାରତୀୟ ସ୍କ୍ୱାଡରେ ପରିବର୍ତ୍ତନ କରିଛି। ଓପ୍ନର ପୃଥ୍ୱୀ ଶ' ଓ ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଏବେ ଏହି ଦୁଇ ଖେଳାଳି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ଇଂଲଣ୍ଡ ଗସ୍ତ ପାଇଁ ଚୟନ ହୋଇଥିବା ଶୁବମନ୍ ଗିଲ ଓ ୱାଶିଂଟନ୍ ସୁନ୍ଦର ଆହତ କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ତେଣୁ ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ପୃଥ୍ୱୀ ଓ ସୂର୍ଯ୍ୟକୁମାରଙ୍କୁ ସାମିଲ୍ କରାଯାଇଛି।

ଇଂଲଣ୍ଡ ଗସ୍ତ ପାଇଁ ଷ୍ଟାଣ୍ଡବାଇ ଥିବା ବେଙ୍ଗଲ୍ ଓପ୍ନର ଅଭିମନ୍ୟୁ ଈଶ୍ୱରନଙ୍କୁ ମୁଖ୍ୟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ତେବେ ଅନ୍ୟତମ ଷ୍ଟାଣ୍ଡବାଇ ବୋଲର ଆଭେଶ ଖାନ୍ ଆହତ କାରଣରୁ ସ୍ୱଦେଶ ଫେରିଆସିଛନ୍ତି। ଗିଲଙ୍କ ପେଣ୍ଡାରେ ଆଘାତ ଲାଗିଥିବା ବେଳେ ସୁନ୍ଦରଙ୍କ ଡାହାଣ ହାତ ବୋଲିଂ ଫିଙ୍ଗର (ଅଙ୍ଗୁଳି)ରେ ଗୁରୁତର ଆଘାତ ଲାଗିଛି। ଏମାନଙ୍କ ସ୍ଥାନରେ ଅଲ୍ ଇଣ୍ଡିଆ ସିନିୟର ସିଲେକ୍ସନ୍ କମିଟି ପୃଥ୍ୱୀ ଶ' ଓ ସୂର୍ଯ୍ୟକୁମାର ଯାଦବଙ୍କ ନାଁ ଘୋଷଣା କରିଛନ୍ତି।

https://twitter.com/BCCI/status/1419559396338700289?s=20

ଉଭୟ ଆଭେଶ ଖାନ୍ ଓ ୱାଶିଂଟନ୍ ସୁନ୍ଦର ଭାରତ ବିପକ୍ଷ କାଉଣ୍ଟି ଏକାଦଶ ପକ୍ଷରୁ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ଆଘାତପ୍ରାପ୍ତ ହୋଇଥିଲେ। ୱାର୍ମଅପ୍ ଗେମର ପ୍ରଥମ ଦିବସରେ ଆଭେଶ୍ ଖାନଙ୍କ ବାମ ବାମ ଅଙ୍ଗୁଳିରେ ଆଘାତ ଲାଗିଥିଲା। ଏହା ତାଙ୍କ ଅଙ୍ଗୁଳିର ଏକ୍ସ-ରେ' କରାଯାଇଥିଲା, ଯେଉଁଥିରୁ ଜଣାପଡ଼ିଲା ଯେ ତାଙ୍କର ଫ୍ରାକଚର୍ ହୋଇଛି। ଏହା ପରେ ସେ ଇଂଲଣ୍ଡ ଗସ୍ତରୁ ବାଦ୍ ପଡ଼ିଲେ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ବିସିସିଆଇ ମେଡିକାଲ୍ ଟିମ୍ ଠାରୁ କ୍ଲିୟରାନ୍ସ ପାଇବା ପରେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ବୋଲିଂ କୋଚ୍ ଭରତ ଅରୁଣ, ୱିକେଟ୍ କିପର ଋଦ୍ଧିମାନ ସାହା ଓ ଅଭିମନ୍ୟୁ ଈଶ୍ୱରନ୍ ମଧ୍ୟ ସେମାନଙ୍କର ଆଇସୋଲେସନ୍ ଅବଧି ଶେଷ କରିସାରିଛନ୍ତି ଏବଂ ଡରହାମରେ ଟିମ୍ ସହ ଯୋଗ ଦେଇଛନ୍ତି।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଚୟନ ହୋଇଥିବା ପୃଥ୍ୱୀ ଓ ସୂର୍ଯ୍ୟକୁମାର ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ସୀମିତ ଓଭର ସିରିଜ୍ ଖେଳୁଛନ୍ତି। ସୂର୍ଯ୍ୟକୁମାର ଦିନିକିଆ ସିରିଜରେ ଦମଦାର ବ୍ୟାଟିଂ କରିଥିବା ବେଳେ ରବିବାର ପ୍ରଥମ ଟି-୨୦ ମ୍ୟାଚରେ ମଧ୍ୟ ସେ ଅର୍ଦ୍ଧଶତକ ମାରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ସୂର୍ଯ୍ୟକୁମାରଙ୍କ ନାଁରେ ୧୪ ଶତକ ରହିଛି। ତେବେ ପୃଥ୍ୱୀଙ୍କ ଫର୍ମ ସାମାନ୍ୟ ଚିନ୍ତାଜନକ ରହିଛି।

ଭାରତୀୟ ସ୍କ୍ୱାଡ୍: ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ୍), ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ୍, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ଲୋକେଶ ରାହୁଲ, ଋଦ୍ଧିମାନ ସାହା (ୱିକେଟ୍ କିପର), ଅଭିମନ୍ୟୁ ଈଶ୍ୱରନ୍, ପୃଥ୍ୱୀ ଶ', ସୂର୍ଯ୍ୟକୁମାର ଯାଦବ।

ଷ୍ଟାଣ୍ଡବାଇ ଖେଳାଳି: ପ୍ରସିଦ୍ଧା କ୍ରିଷ୍ଣା, ଅର୍ଜାନ ନାଗୱାସୱାଲ୍ଲା।

Related story