ପୁଣି ହାରିଲା ମୁମ୍ବାଇ, ବିଜୟ ଟ୍ରାକକୁ ଫେରିଲା ପଞ୍ଜାବ

ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ଭଳି ପଞ୍ଜାବ କିଙ୍ଗସ ପାଖକୁ ମଧ୍ୟ ପରାସ୍ତ ହୋଇଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇକୁ ୯ ୱିକେଟରେ ହରାଇ ପଞ୍ଜାବ ପୁଣିଥରେ ବିଜୟ ଟ୍ରାକ୍‌କୁ ଫେରିଛି। ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଜିତିଥିବା ପଞ୍ଜାବ କ୍ରମାଗତ ୩ଟି ମ୍ୟାଚ୍‌ ହାରିଥିଲା। ହେଲେ ଆଜି ମୁମ୍ବାଇ ଠାରୁ ବିଜୟ ହାସଲ କରି କେଏଲ ରାହୁଲଙ୍କ ଟିମ୍‌ ଜବରଦସ୍ତ କମବ୍ୟାକ କରିଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ମାତ୍ର ୧୩୧ […]

Punjab

Hemant Lenka
  • Published: Friday, 23 April 2021
  • , Updated: 23 April 2021, 11:04 PM IST

ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ଭଳି ପଞ୍ଜାବ କିଙ୍ଗସ ପାଖକୁ ମଧ୍ୟ ପରାସ୍ତ ହୋଇଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇକୁ ୯ ୱିକେଟରେ ହରାଇ ପଞ୍ଜାବ ପୁଣିଥରେ ବିଜୟ ଟ୍ରାକ୍‌କୁ ଫେରିଛି। ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଜିତିଥିବା ପଞ୍ଜାବ କ୍ରମାଗତ ୩ଟି ମ୍ୟାଚ୍‌ ହାରିଥିଲା। ହେଲେ ଆଜି ମୁମ୍ବାଇ ଠାରୁ ବିଜୟ ହାସଲ କରି କେଏଲ ରାହୁଲଙ୍କ ଟିମ୍‌ ଜବରଦସ୍ତ କମବ୍ୟାକ କରିଛି।

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ମାତ୍ର ୧୩୧ ରନ୍‌ କରିଥିଲା। ଏହାର ଜବାବରେ ପଞ୍ଜାବ ଗୋଟିଏ ୱିକେଟ ହରାଇ ୧୪ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ପଞ୍ଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଅପରାଜିତ ୬୦ରନ୍‌ର ଇନିଂସ ଖେଳିଛନ୍ତି।

ମୁମ୍ବାଇ ଦେଇଥିବା ୧୩୨ ରନ୍‌ର ଟାର୍ଗେଟ ପିଛା କରୁଥିବା ପଞ୍ଜାବ ଜବରଦସ୍ତ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ମୁମ୍ବାଇ ବୋଲରଙ୍କୁ ନିରାଶ କରିଥିଲେ। ବିଶେଷ କରି ମୟଙ୍କ ଅଗ୍ରୱାଲ ବଡ଼ବଡ଼ ଶଟ ଖେଳିଥିଲେ। ତାଙ୍କୁ କେଏଲ ରାହୁଲ ଭରପୂର ସହଯୋଗ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୫୩ ରନ୍‌ ଯୋଡ଼ିଥିଲେ। ତେବେ ଏହି ସମୟରେ ମୟଙ୍କ ୨୦ ବଲ୍‌ରେ ୨୫ ରନ୍‌ କରି ରାହୁଲ ଚହରଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ବିସ୍ଫୋରକ କ୍ରିସ୍‌ ଗେଲ୍‌। କିନ୍ତୁ ସେ ଆରମ୍ଭରୁ ବେଶ ସତର୍କତାର ସହ ଖେଳିଥିଲେ। ମୁମ୍ବାଇର ଦୁଇ ସ୍ପିନର ଜୟନ୍ତ ଯାଦବ ଓ ରାହୁଲ ଚହର ଜବରଦସ୍ତ ବୋଲିଂ କରି ରାହୁଲ କିମ୍ବା ଗେଲ୍‌ଙ୍କୁ ବଡ଼ ଶଟ ଖେଳିବାର ସୁଯୋଗ ଦେଇନଥିଲେ। କିନ୍ତୁ ଗେଲ୍‌ ସେଟ୍‌ ହୋଇଗଲା ପରେ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ।

ରାହୁଲ ମଧ୍ୟ ସିଙ୍ଗଲ ଓ ଦୁଇ ରନ୍‌ ନେଇ ଷ୍ଟ୍ରାଇକ ରୋଟରେଟ୍‌ କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ପଞ୍ଜାବକୁ ଶେଷ ୨୪ ବଲ୍‌ରେ ୨୪ ରନ୍‌ର ଦରକାର ରହିଥିଲା। ଏହି ସମୟରେ ରାହୁଲ ୪୯ ବଲରେ ୪୯ ଓ ଗେଲ୍‌ ୨୮ ବଲ୍‌ରେ ୩୦ ରନ୍‌ କରି ଅପରାଜିତ ରହିଥିଲେ।

୧୭ତମ ଓଭର ବୋଲିଂ କରୁଥିବା ବୁମ୍ରାଙ୍କ ତୃତୀୟ ବଲ୍‌ରେ ସିଙ୍ଗଲ ନେଇ ରାହୁଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ ବଲରେ ଅର୍ଦ୍ଧଶତକ କରିଥିଲେ। ଏହି ଓଭରରେ ପଞ୍ଜାବ ୭ ରନ୍‌ ଆଦାୟ କରିଥିଲା। ଏହାପରେ ବୋଲିଂ କରିବାକୁ ଆସିଥିବା ଟ୍ରେଣ୍ଟ ବୋଲ୍ଟଙ୍କୁ ପ୍ରଥମ ବଲ୍‌ରେ ଛକା ମାରି ଗେଲ୍‌ ବିଜୟ ବ୍ୟବଧାନକୁ ଆହୁରି କମ କରିଦେଇଥିଲେ। ସେ ଦ୍ୱିତୀୟ ବଲ୍‌ରେ ସିଙ୍ଗଲ ନେବା ପରେ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ। ସେ କ୍ରମାଗତ ୩ୟ ବଲରେ ଛକା ଓ ୪ର୍ଥ ବଲ୍‌ରେ ଚୌକା ମାରି ପଞ୍ଜାବ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ୫୨ ବଲ୍‌ରେ ଶେଷ ଯାଏ ୬୦ ରନ୍‌ କରି ଅପରାଜିତ ଥିବା ରାହୁଲ ୩ଟି ଛକା ଓ ୩ଟି ଚୌକା ମାରିଛନ୍ତି। ସେହିପରି କ୍ରିସ ଗେଲ ୩୫ ବଲ୍‌ରେ ୪୩ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। ସେ ଏହି ଇନିଂସ୍‌ରେ ୫ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ମୁମ୍ବାଇ ପକ୍ଷରୁ ରାହୁଲ ଏକମାତ୍ର ବୋଲର ଭାବେ ଗୋଟିଏ ୱିକେଟ ପାଇଛନ୍ତି।

Related story