ଏଲଏଲସିସି ଡ୍ୟୁଜ ବଲ କ୍ରିକେଟ: ଡିଫେଣ୍ଡିଂ ଚାମ୍ପିୟନକୁ ହରାଇ ସେମିରେ ରାମେଶ୍ୱର ସ୍ପୋର୍ଟିଂ

ଭୁବନେଶ୍ୱର: ଆଇଆରସି ସ୍ଥିତ ଏଲଏଲସିସି ପଡ଼ିଆରେ ଆୟୋଜିତ ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ଡିଫେଣ୍ଡିଂ ଚାମ୍ପିୟନ ପ୍ରଗତି ସ୍ପୋର୍ଟିଂ। ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିବା ପ୍ରଗତି ଆଜି ୩ୟ କ୍ୱାର୍ଟର ଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରି ରାମେଶ୍ୱର ସ୍ପୋର୍ଟିଂ କ୍ଲବ ନିକଟରୁ ୧୭୯ ରନ୍‌ରେ ହାରି ଯାଇଛି। ଏହି ବିଜୟ ସହ ରାମେଶ୍ୱର ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ରାମେଶ୍ୱର ନିର୍ଦ୍ଧାରିତ ୩୫ […]

LLCC

Hemant Lenka
  • Published: Tuesday, 19 April 2022
  • , Updated: 20 April 2022, 03:10 PM IST

ଭୁବନେଶ୍ୱର: ଆଇଆରସି ସ୍ଥିତ ଏଲଏଲସିସି ପଡ଼ିଆରେ ଆୟୋଜିତ ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ଡିଫେଣ୍ଡିଂ ଚାମ୍ପିୟନ ପ୍ରଗତି ସ୍ପୋର୍ଟିଂ। ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିବା ପ୍ରଗତି ଆଜି ୩ୟ କ୍ୱାର୍ଟର ଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରି ରାମେଶ୍ୱର ସ୍ପୋର୍ଟିଂ କ୍ଲବ ନିକଟରୁ ୧୭୯ ରନ୍‌ରେ ହାରି ଯାଇଛି। ଏହି ବିଜୟ ସହ ରାମେଶ୍ୱର ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ରାମେଶ୍ୱର ନିର୍ଦ୍ଧାରିତ ୩୫ ଓଭର୍‌ରେ ୪ ୱିକେଟ ହରାଇ ବିଶାଳ ୩୦୭ ରନ୍‌ କରିଥିଲା। ଦଳ ପକ୍ଷରୁ ଓପନର ଶୁଭାଶିଷ ମଲ୍ଲିକ ୮୭ ବଲରେ ୧୫୨ ରନ୍‌ର ଇନିଂସ ଖେଳିଥିବା ବେଳେ ଶୁଭ୍ରଜିତ ମିଶ୍ର ୧୬, ତୀର୍ଥଙ୍କର ସାହୁ ୮୦ ଓ ବିନୋଦ ବି ପରିଡ଼ା ୮ ରନ୍‌ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁଭ୍ରକାନ୍ତ ପରିଡ଼ା ୮ ଓ ସୋହମ ପଟ୍ଟନାୟକ ୮ ରନ୍‌ କରି ଓଭର ଶେଷ ଯାଏ ଅପରାଜିତ ଥିଲେ। ଏହାକୁ ଆଧାର କରି ରାମେଶ୍ୱର ୪ ୱିକେଟ ହରାଇ ୩୦୭ ରନ୍‌ କରିଥିଲା। ପ୍ରଗତି ପକ୍ଷରୁ ସ୍ୱସ୍ତିକ ବିଶ୍ୱାଳ ୨ଟି ୱିକେଟ ନେଇଥିବା ବେଳେ ଅସିମ ବରାଳ ଓ ଆଦିତ୍ୟ ଷଡ଼ଙ୍ଗୀ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

୩୦୮ ରନ୍‌ର ପିଛା କରୁଥିବା ପ୍ରଗତି ବେଶ ଧିମା ଆରମ୍ଭ କରିଥିଲା। ଦଳର କୌଣସି ବ୍ୟାଟର ଆଶାନୁଯାୟୀ ବ୍ୟାଟିଂ କରି ପାରି ନଥିଲେ। ଦଳ ପକ୍ଷରୁ ଅସିମ ବିଶ୍ୱାଳ ଅପରାଜିତ ୪୫ ରନ କରିଥିଲେ ମଧ୍ୟ ୬୩ ବଲର ସମ୍ମୁଖୀନ ହୋଇଥିଲେ। ସେହିପରି ଆଦର୍ଶ କୁମାର ୨୪, ଆଦିତ୍ୟ ଷଡ଼ଙ୍ଗୀ ୨୪, ଯଶୋବନ୍ତ ପ୍ରଧାନ ୧୬ ଓ ଯୁବରାଜ ଦେଓ ମାତ୍ର ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଶେଷରେ ପ୍ରଗତି ୩୫ ଓଭର ଶେଷ ସୁଦ୍ଧା ୫ ୱିକେଟ ହରାଇ କେବଳ ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ରାମେଶ୍ୱର ପକ୍ଷରୁ ବିନୋଦ ବି ପରିଡ଼ା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଶୁଭ୍ରକାନ୍ତ ପରିଡ଼ା ୨ଟି ସଫଳତା ପାଇଛନ୍ତି।

୩ୟ କ୍ୱାର୍ଟର ଫାଇନାଲରେ ଦମଦାର ଶତକୀୟ ଇନିଂସ ଖେଳିଥିବା ଶୁଭାଶିଷ ମିଲ୍ଲିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ପୁରସ୍କାର କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ରଣଜୀ ଖେଳାଳି ପ୍ରୀତମ ଜିତ ସିଂହ, ଜୁନେଦ ଖାନ ଓ ଅଶୋକ ସାହୁ ଯୋଗଦେଇଥିଲେ। ଏମାନଙ୍କ ସହ କ୍ଲବର ସଭାପତି ନିତ୍ୟାନନ୍ଦ ବେହେରା ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଚଳିତ ଟୁର୍ଣ୍ଣାମେଣ୍ଟର ଶେଷ କ୍ୱାର୍ଟର ଫାଇନାଲ ଆସନ୍ତାକାଲି ଖେଳାଯିବ। ଏହି ମ୍ୟାଚ୍‌ରେ ଆୟୋଜକ ଏଲଏଲସିସିର ମୁକାବିଲା ଅଭିଳାଶା କ୍ରିକେଟ ଏକାଡେମୀ ସହ ହେବ।

Related story